
ଝରିଗାଁ,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ରେ କାଜୁ ବାଡକୁ ନେଇ ଲାଗି ରହିଛି ବିବାଦ । ବିବାଦର ସ୍ଥାୟୀ ସମାଧାନ କରାଯାଉନଥିବାରୁ ଗ୍ରାମବାସୀ ତହସିଲ କାର୍ଯ୍ୟାଳୟରେ ତାଲା ପକାଇ ଆଜି ଧାରଣା ଦେଇଥିଲେ । ଆସନ୍ତା ୧୮ ତାରିଖରେ ଉଭୟ ପକ୍ଷକୁ ଡକାଇ ବିବାଦର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ କାର୍ଯ୍ୟାଳୟରୁ ତାଲା ଖୋଲିଥିଲେ ।
ଗ୍ରାମବାସୀଙ୍କ ସୂଚନାଅନୁଯାୟୀ, ୧୯୮୨ ମସିହାରେ ମୃତ୍ତିକା ସଂରକ୍ଷଣ ବିଭାଗ ତରଫରୁ କାଜୁ ପ୍ଲାଣ୍ଟେସନ୍ କରାଯାଇଥିଲା । ଜବାଧଡି ଗାଁର ୪୦ ଲୋକଙ୍କୁ ୮୦ ଏକର, ଦେଉଳକଣା ଗାଁର ୫୦ଜଣଙ୍କୁ ୧୦୦ ଏକର, ବାଣୁଆଗୁଡା ଗାଁର ୨୫ଜଣଙ୍କୁ ୫୦ ଏକର ଓ ପଲସଗାଁର ୨୫ ଲୋକଙ୍କୁ ୫୦ ଏକର ପ୍ରଦାନ କରାଯାଇଥିଲା । ପ୍ରତି ପରିବାର ଭାଗରେ ପଡ଼ିଥିଲା ୨ ଏକର । କିଛି ବର୍ଷ ହେଲା ସେମାନେ ଫସଲ ଅମଳ କରି ଆସୁଥିଲେ । ହଠାତ୍ କାଜୁ ବଗିଚାକୁ ନେଇ ବିରୋଧ କରାଯାଇଥିଲା । ଯାହାକୁ ନେଇ ଦୁଇ ଗୋÂୀ ଭିତରେ ବିବାଦ ସୃଷ୍ଟି ହୋଇଥିଲା । ବର୍ତ୍ତମାନ ଏହି ବିବାଦ କୋର୍ଟରେ ବିଚାରାଧୀନ ରହିଛି । ଗତବର୍ଷ ବିବାଦୀୟ ସ୍ଥଳରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା । ଫଳରେ ଉଭୟ ପକ୍ଷଙ୍କୁ ବିବାଦୀୟ ସ୍ଥଳକୁ ଯିବା ଲାଗି ବାରଣ କରାଯାଇଥିଲା । କିନ୍ତୁ ଏହାକୁ ନମାନି କେତେକ ଲୋକ ଜୋର୍ଜବରଦସ୍ତ ଆସି କାଜୁତୋଳି ନେଉଥିବା ସମ୍ପର୍କରେ ଅଭିଯୋଗ କରିଥିଲେ । ସରକାର ସେମାନଙ୍କୁ କାଜୁ ବଗିଚା ଦେଇଥିଲେ ମଧ୍ୟ ସେମାନେ ନିଜ ହକ୍ ପାଇପାରୁନାହାନ୍ତି । ଯାହାକୁ ନେଇ ଏହି ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ପ୍ରଶାସନିକ ସ୍ତରରେ ଏହାର ସ୍ଥାୟୀ ସମାଧାନ କରାଯାଉନଥିବାରୁ ବାଧ୍ୟ ହୋଇ ଆଜି ଯବାଧୋଡି, ବାଣୁଆଗୁଡା, ପଲସଗାଁ ଓ ଦେଉକନା ଗାଁର ଉତ୍ତ୍ୟକ୍ତ ଗ୍ରାମବାସୀ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତାଲା ପକାଇବା ସହ ଧାରଣା ଦେଇଥିଲେ ।
ଖବରପାଇ ପୂର୍ବତନ ସାଂସଦ ଭଗବାନ ମାଝୀ, ଝରିଗାଁ ଥାନା ଆଇଆଇସି ଉମେଶ ଚନ୍ଦ୍ର ସାହୁ ପ୍ରମୁଖ ଆନେ୍ଦାଳନସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ । ତହସିଲଦାର ହୃଷିକେଶ ଗଣ୍ଡ ଆସନ୍ତା ୧୮ ତାରିଖରେ ଉଭୟପକ୍ଷଙ୍କୁ ଡକାଯାଇ ବିବାଦର ସମ୍ପର୍କରେ ଆଲୋଚନା କରିବା ଲାଗି ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ କାର୍ଯ୍ୟାଳୟରୁ ତାଲା ଖୋଲିବା ସହ ଆନେ୍ଦାଳନରୁ ଓହରି ଯାଇଥିଲେ ।


Comments are closed, but trackbacks and pingbacks are open.