ଯାଜପୁର, (ବି.ବି.ନ୍ୟୁଜ୍): ଯାଜପୁର ତହସିଲ ତହବିଲରୁ ୨୦୦୬-୨୦୧୬ ମଧ୍ୟରେ ୫ କୋଟି ଟଙ୍କା ହଡ଼ପ ହୋଇଛି । ଏଭଳି ତଥ୍ୟକୁ ୨ ବର୍ଷ ତଳେ ସ୍ୱତନ୍ତ୍ର ଅଡିଟ୍ ରିପୋର୍ଟ ଠାବ କରିବା ପରେ ଚଳିତ ମାସରେ ଯାଜପୁର ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ଦୁର୍ନୀତିର ମୂଳବର୍ଷ ୨୦୦୬ରୁ ଆରମ୍ଭ ହୋଇଥିବା ବେଳେ ଭିଜିଲାନ୍ସ କର୍ତ୍ତୃପକ୍ଷ ଦୁର୍ନୀତିର ଚୂଳ ଆଡୁ ତଦନ୍ତ ଆରମ୍ଭ କରିଛି । ବିଜ୍ଞ ଭିଜିଲାନ୍ସ ଅଧିକାରୀ ସମ୍ଭବତଃ ତଦନ୍ତକୁ ସହଜପଥରେ ନେବା ପାଇଁ ଉପରୁ ତଳକୁ ତଦନ୍ତ କରୁଛନ୍ତି । ତଦନ୍ତ ପ୍ରକ୍ରିୟାରେ କଥିତ ୧୦ ବର୍ଷର ସମସ୍ତ ତହସିଲଦାର, ନାଜିର ଓ ମୁଖ୍ୟ କିରାଣୀଙ୍କୁ ଅଭିଯୁକ୍ତ କରିବ ବୋଲି ଭିଜିଲାନ୍ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଅପରପକ୍ଷରେ, ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହଯୋଗରେ ନାଜିର ୫ କୋଟି ଟଙ୍କା ଗିଳିଥିବା ପ୍ରମାଣ ଭିଜିଲାନ୍ସ ପାଖରେ ରହିଛି । ସୁତରାଂ, ତହସିଲ ଜମାଖାତା ସଂଚାଳନ କରୁଥିବା ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଭିଜିଲାନ୍ସ ତଦନ୍ତ ପରିସରକୁ ଆଣିବା ଆବଶ୍ୟକ ।
୧୦ ବର୍ଷ କାଳ ତକ୍ରାଳୀନ ନାଜିର ରଜତ କୁମାର ରାଉତରାୟ ତହସିଲଦାରଙ୍କ ଦସ୍ତଖତ ରହିଥିବା ଚେକ୍କୁ ବ୍ୟବହାର କରି ବହୁ ଲକ୍ଷଟଙ୍କା ଆତ୍ମସାତ୍ କରିଛନ୍ତି । ଚେକ୍ ବହିରେ ଦସ୍ତଖତ ଦେଇ ତହସିଲଦାର ପରବର୍ତ୍ତୀ ସମୟରେ ବର୍ଷବର୍ଷ ଧରି କେତେ ଟଙ୍କା ଜମା ରହିଲା ସେ ସମ୍ପର୍କରେ ତନଖି କରି ନାହାନ୍ତି । ନାଜିର କେତେ ଟଙ୍କା ଆଦାୟ କଲେ, ବ୍ୟାଙ୍କରେ ଏହି ଅର୍ଥ ଜମା ହେଲା କି ନାହିଁ ସେ ସମ୍ପର୍କରେ ତହସିଲର ମୁଖ୍ୟ କିରାଣୀ ତଥା ଏକାଉଣ୍ଟାଣ୍ଟ ତନଖି କରିବା କଥା, ତାହା ମଧ୍ୟ ହୋଇ ନାହିଁ ।
ଯାଜପୁର ତହସିଲର ଜମାଖାତା ଖୋଲା ଯାଇଥିବା ଜାତୀୟ କରଣ ବ୍ୟାଙ୍କ ଅଧିକାରୀ ରଜତ ରାଉତରାୟଙ୍କ ସହ ମିତ ବସି ସରକାରୀ ଜମାରାଶିକୁ ତୋଷରପାତ କରାଇବାରେ ସହଯୋଗ କରିଛନ୍ତି । ତହସିଲଦାରଙ୍କ ଦସ୍ତଖତ ଥାଇ ବ୍ୟାଙ୍କ୍ରେ ବିଭିନ୍ନ ସରକାରୀ ଏକାଉଣ୍ଟ୍ରେ ଜମା ହେବାକୁ ଯାଉଥିବା ଚେକ୍ରେ ସର୍ବଦା ‘ୟୋର୍ ସେଲ୍ଫ’ ଲେଖା ଯାଇଥାଏ । ଅର୍ଥାତ୍ ତହସିଲଦାର ଯେଉଁ ଅର୍ଥ ଚେକ୍ ମାଧ୍ୟମରେ ଅନ୍ୟ ଏକ ଏକାଉଣ୍ଟ୍କୁ ଟ୍ରାନ୍ସଫର କରିବାକୁ ଚାହୁଁଛନ୍ତି ତାହା ଏକ ସରକାରୀ ଏକାଉଣ୍ଟ୍କୁ ର୍ହି ଯିବା ପାଇଁ ନିର୍ଦ୍ଦେଶ ରହିଛି ବୋଲି ବ୍ୟାଙ୍କ ଅଧିକାରୀ ମନେ କରନ୍ତି । ରଜତ ରାଉତରାୟ ନିୟମିତ ବ୍ୟାଙ୍କରେ ତହସିଲ ଅର୍ଥ ଜମା କରିବାକୁ ଯାଉଥିବାରୁ ବ୍ୟାଙ୍କ ଅଧିକାରୀ ରଜତଙ୍କୁ ଭଲ ଭାବେ ଜାଣିଥିଲେ । ଏପରିକି ସମ୍ପୃକ୍ତ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜର ଜମାରାଶି ବଢ଼ାଇବାକୁ ରଜତଙ୍କୁ ଅସ୍ତ୍ର କରିଥିବାର ଜଣାପଡ଼ିଛି । ତହସିଲଦାରଙ୍କ ଦସ୍ତଖତ ଥାଇ ବ୍ୟାଙ୍କ୍ ଯାଉଥିବା ଚେକ୍ରେ ରଜତ ନିଜ ନାଁ ଲେଖି ତହସିଲ ଅର୍ଥକୁ ନିଜ ବ୍ୟକ୍ତିଗତ ଏକାଉଣ୍ଟ୍କୁ ଟ୍ରାନ୍ସଫର କରୁଥିବା ବେଳେ ବ୍ୟାଙ୍କ ଅଧିକାରୀ ଘୋଟାଲାର ଗନ୍ଧ ନିଶ୍ଚିତ ଭାବେ ବାରିଥିବେ । ତହସିଲଦାରଙ୍କ ସରକାରୀ ଏକାଉଣ୍ଟରୁ ତହସିଲଦାରଙ୍କ ଦସ୍ତଖତ ଥାଇ ୟୋର୍ ସେଲଫ୍ ଲେଖା ଯାଇଥିଲେ ବି ନାଜିର ନିଜ ବ୍ୟକ୍ତିଗତ ଏକାଉଣ୍ଟ୍କୁ ବହୁ ଲକ୍ଷଟଙ୍କା ଟ୍ରାନ୍ସଫର କରୁଥିଲେ ମଧ୍ୟ ସମ୍ପୃକ୍ତ ଜାତୀୟ କରଣ ବ୍ୟାଙ୍କ୍ ବି ଦିନଟିଏ ଆପତ୍ତି ଉଠାଇ ନାହିଁ । ସାଧାରଣତଃ ବ୍ୟାଙ୍କରୁ ଲକ୍ଷାଧିକ ଟଙ୍କାର ଚେକ୍କୁ ଏନକାସ୍ କରାଯାଉଥିବା ବେଳେ ଚେକ୍ ହୋଲଡରଙ୍କୁ ବ୍ୟାଙ୍କ କର୍ତ୍ତୃପକ୍ଷ ଟେଲିଫୋନ୍ରେ ନେଣଦେଣ ସମ୍ପର୍କରେ ସୂଚନା ସଂଗ୍ରହ କରି ଥାଆନ୍ତି ।
ଯାଜପୁର ତହସିଲ ଠାରୁ ଅଳ୍ପ ଦୂରରେ ଅବସ୍ଥିତ ତଥାକଥିତ ବ୍ୟାଙ୍କ୍ରୁ ବର୍ଷବର୍ଷ ଧରି ନିର୍ଦ୍ଦିଷ୍ଟ ନାଜିର ସରକାରଙ୍କ ତହବିଲ ଟଙ୍କାକୁ ନିଜ ଏକାଉଣ୍ଟ୍କୁ ଟ୍ରାନସ୍ଫର କରୁଥିଲେ ବି ବ୍ୟାଙ୍କ୍ ଅଧିକାରୀ ନାଜିରର ବଶମ୍ବଦ ସାଜି ଚୁପ୍ ରହିଥିଲେ । ଯାହାର ଫଳ ସ୍ୱରୂପ ଯାଜପୁର ତହସିଲର ଏକାଉଣ୍ଟ୍ରୁ ୫ କୋଟି ଟଙ୍କାରୁ ଅଧିକ ଅର୍ଥ ହଡ଼ପ ହୋଇଗଲା । ତହସିଲ ତହବିଲକୁ ସଂଚାଳନ କରୁଥିବା ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଭିଜିଲାନ୍ସ ଆଇନତଃ ଆଗେଇ ଆସିବା ଉଚିତ ।
Comments are closed, but trackbacks and pingbacks are open.