କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): କେନ୍ଦ୍ରାପଡ଼ା ସହର ଉପକଣ୍ଠ ବାରିମୂଳ ପଞ୍ଚାୟତ ନାଗେଶ୍ୱରପୁରରେ ଥିବା ଦେଶୀ ମଦ ଦୋକାନକୁ ଉଚ୍ଛେଦ କରିବା ଲାଗି ଅଞ୍ଚଳବାସୀ ବହୁବାର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ । ଧାରଣା, ବିକ୍ଷୋଭ ଯାଏ ବି କଥା ଯାଇଥିଲା । ହେଲେ ପ୍ରଶାସନିକ ଅଧିକାରୀମାନେ କିଛି ଶୁଣିଲେନି । ଶେଷରେ ଦେଶୀ ମଦ ଯୋଗୁଁ ଗାଁରେ ସ୍ଥିତି ଅଣାୟତ୍ତ ହେଉଥିବା ଦେଖି, ଆଜି ଆଇନକୁ ହାତକୁ ନେଇଥିଲେ ନାଗେଶ୍ୱରପୁରର ମହିଳାମାନେ । ଆଜି ଶତାଧିକ ମହିଳା ଏକାଠି ହୋଇ ଦେଶୀ ମଦ କ୍ୟାବିନ୍ର ତାଲା ଭାଙ୍ଗି, ଭିତରେ ଥିବା ପେଟିପେଟି ମଦ ବାହାରକୁ ଆଣି ବୋତଲଗୁଡ଼ିକୁ ପିଟି ଭାଙ୍ଗିଥିଲେ । ବୋତଲ ତଳେ କଚାଡ଼ି ମଦ ନଷ୍ଟ କରିବା ସହିତ ସାଙ୍ଗରେ ଆଣିଥିବା ଶାବଳ, ଲୁହାରଡ୍, ବାଉଁଶଫାଳିଆରେ ଗୋଟିଏ ପରେ ଗୋଟିଏ ପେଟିକୁ ଭାଙ୍ଗିଥିଲେ । ଭଙ୍ଗାଭଙ୍ଗିକୁ ନେଇ ବେଶ୍ କିଛି ସମୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିଲା ।
କେନ୍ଦ୍ରାପଡ଼ା ସଦର ଥାନାର ଡେରାବିଶ ବ୍ଲକ ଅନ୍ତର୍ଗତ ବାରିମୂଳ ପଞ୍ଚାୟତ ନାଗେଶ୍ୱରପୁର ଗ୍ରାମ ଛକରେ ଏକ ମଦ ଦୋକାନ ଖୋଲାଯାଇଥିଲା । ଯାହାକୁ ବିରୋଧ କରି ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମର ସ୍ୱୟଂ ସହାୟିକା ଗୋÂୀର ଶତାଧିକ ମହିଳା ଜିଲ୍ଲାପାଳଙ୍କୁ ଭେଟିବା ସହିତ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିସହିତ ତୁରନ୍ତ ଏହି ମଦ ଦୋକାନକୁ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲେ । ଗ୍ରାମ ଛକରେ ମଦ ଦୋକାନ ଖୋଲାଗଲେ ନିକଟସ୍ଥ ଶିକ୍ଷାନୁÂାନ, ଧର୍ମପୀଠ ସମେତ ଗ୍ରାମୀଣ ପରିବେଶ ସମ୍ପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ ହୋଇପଡ଼ିବ ବୋଲି ମହିଳାମାନେ ପ୍ରଶାସନକୁ ଅଭିଯୋଗ କରିଥିଲେ । ହେଲେ ନା ଶୁଣିଥିଲା ଜିଲ୍ଲା ପ୍ରଶାସନ ବା ଅବକାରୀ ବିଭାଗ ଆଉ ପୁଲିସ । ସମସ୍ତେ ଏହି ଘଟଣାକୁ ନଜରଅନ୍ଦାଜ କରି ଚାଲିଥିଲେ ।
ଏହି ମଦ ଦୋକାନ ବିରୋଧରେ ପ୍ରାୟ ବର୍ଷେ ହେବ ଗ୍ରାମବାସୀ, ବିଭିନ୍ନ ମହିଳା ସଂଗଠନର କର୍ମକର୍ତ୍ତାମାନେ ଜିଲ୍ଲା ପ୍ରଶାସନକୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ମାତ୍ର ଲୋକମାନଙ୍କ ପ୍ରବଳ ବିରୋଧ ସତ୍ତେ୍ୱ ସେଠାରେ ଏକ କ୍ୟାବିନ୍ରେ ମଦ ବିକ୍ରି କରାଯାଉଥିଲା । ଏହାକୁ ଅଞ୍ଚଳବାସୀ ବିରୋଧ କରିବା ସହିତ ତୁରନ୍ତ ମଦ ବିକ୍ରି ବନ୍ଦ କରାନଗଲେ ଆଗାମୀ ଦିନରେ ଯଦି ଆଇନଶୃଙ୍ଖଳା ପରିସ୍ଥିତି ଉପୁଜେ ସେଥିପାଇଁ ଜିଲ୍ଲା ପ୍ରଶାସନ ଦାୟୀ ରହିବ ବୋଲି ଚେତାଇ ଦେଇଥିଲେ । ହେଲେ ପ୍ରଶାସନ ଶୁଣି ନଶୁଣିଲା ଭଳି ରହିଥିଲା । ଯେଉଁଥିଲାଗି ଆଜି ଏଭଳି ଅଭାବନୀୟ ପରିସ୍ଥିତି ଉପୁଜିଥିବା ମତ ପ୍ରକାଶ ପାଇଛି । ପ୍ରଶାସନ ତକ୍ରାଳ ଏହି ମାମଲାରେ ହସ୍ତକ୍ଷେପ କରି ପଦକ୍ଷେପ ନେଇଥିଲେ ଏଦିନ ଆସିନଥାନ୍ତା । ସର୍ବସାଧାରଣଙ୍କ ସ୍ୱାର୍ଥକୁ ଉପେକ୍ଷା କରି ପ୍ରଶାସନ ଏ ବ୍ୟାପାରରେ ନିଦାବିଷ୍ଣୁ ସାଜିଥିଲା ।
ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ, ଏଠାରେ ମଦ ଦୋକାନ ଖୋଲିବା ଦିନଠାରୁ ଗ୍ରାମରେ ମଦୁଆମାନଙ୍କ ଦୌରାତ୍ମ୍ୟ ବଢ଼ିବାକୁ ଲାଗିଥିଲା । ଯୁବକମାନେ ନିଶାଗ୍ରସ୍ତ ହୋଇ ବିଭିନ୍ନ ସମୟରେ ଅପରାଧିକ କାର୍ଯ୍ୟକଳାପ ଭିଆଇ ଆସୁଥିଲେ । ରାତି କ’ଣ ଦିନରେ ବି ମହିଳାମାନେ ପଦାକୁ ବାହାରିବାକୁ ଡରୁଥିଲେ । ଅଞ୍ଚଳରେ ସାମାଜିକ, ପାରିବାରିକ ଜୀବନ କ୍ରମେ ବିଶୃଙ୍ଖଳିତ ହୋଇପଡ଼ିଥିଲା । ପୁଣି ପ୍ରତିବାଦ କରିବାରୁ ମଦ ବ୍ୟବସାୟୀ ସ୍ଥାନୀୟ ମହିଳାମାନଙ୍କୁ ନାଲିଆଖି ଦେଖାଉଥିଲେ । ବହୁବାର ଧମକଚମକ ବି ଦେଇଥିବା ସେମାନେ ଅଭିଯୋଗ ଆଣିଛନ୍ତି । ଶେଷରେ ଆଉ କିଛି ଉପାୟ ନପାଇ ମଦ ଦୋକାନର ତାଲା ତାଡ଼ି ମଦକୁ ନଷ୍ଟ କରିବାକୁ ନିଷ୍ପତ୍ତି ନେଇଥିଲେ ଅଞ୍ଚଳର ମହିଳାମାନେ । ଆଉ ଆଜି ସକାଳେ ପ୍ରାୟ ୧୦ଟା ବେଳକୁ ଏକଜୁଟ ହୋଇ ସଭିଏଁ ଏ କାମରେ ଲାଗିପଡ଼ିଥିଲେ । ରିପୋର୍ଟ ଲେଖାଯିବା ସୁଦ୍ଧା ଥାନାରେ ଏ ସଂକ୍ରାନ୍ତରେ କୌଣସି ଅଭିଯୋଗ ହୋଇନି । ଥାନାରେ ଏତଲା ପରେ ତଦନ୍ତ ପୂର୍ବକ ଯାହା କରାଯିବ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ସଦର ଆଇଆଇସି ପ୍ରମୋଦ କୁମାର ମଲିକ ।


Comments are closed, but trackbacks and pingbacks are open.