ଛତ୍ରପୁର,(ବି.ବି.ନ୍ୟୁଜ୍): ଛତ୍ରପୁର ନିକଟ ତାମ୍ପରା ଓ ଗୋପାଳପୁରରେ ଜଳକ୍ରୀଡ଼ା ନିର୍ମାଣ ହେବ । ଘରୋଇ କମ୍ପାନି ଏନେଇ ଆଗ୍ରହ ପ୍ରକାଶ କରିଛନ୍ତି । ଛତ୍ରପୁର ନିକଟ ତାମ୍ପରା ହ୍ରଦରେ ଜଳ କ୍ରୀଡ଼ା ପ୍ରକଳ୍ପ ନିର୍ମାଣ କରିବାକୁ ଆନ୍ଧ୍ର ପ୍ରଦେଶ ବିଜୟୱାଡାର ଏକ ଘରୋଇ କମ୍ପାନି ୧୦ଲକ୍ଷ ୫୦ହଜାର ଟଙ୍କାରେ ନିଲାମ ନେଇଛି । ଗୋପାଳପୁରରେ ମଧ୍ୟ ଆଉ ଏକ ଜଳ କ୍ରୀଡ଼ା ପ୍ରକଳ୍ପ ନିର୍ମାଣ କରିବାକୁ ମହାରାଷ୍ଟ୍ରର ଏକ ଘରୋଇ କମ୍ପାନି ୧୨ ଲକ୍ଷ ୫୦ହଜାର ଟଙ୍କାରେ ଟେଣ୍ଡର ନେଇଛି । ଅତି ଶୀଘ୍ର ସେମାନେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୈତୃକ ଗ୍ରାମ ନୂଆଗାଁଠାରେ ୨୦୧୪-୧୫ରେ ୪ କୋଟି ଟଙ୍କା ମଞ୍ଜୁର ହୋଇ କାର୍ଯ୍ୟ କରାଯାଇଛି । ବିଜୁ ବାବୁଙ୍କ ପୈତୃକ ଘର ସୁରକ୍ଷିତ ରଖିବାକୁ ପ୍ରକଳ୍ପ ହାତକୁ ନିଆଯାଇଛି । ଜିଲ୍ଲାସ୍ତରୀୟ ପର୍ଯ୍ୟଟନ ଶିଳ୍ପର ବିକାଶ ଓ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ ନିର୍ମାଣାଧୀନ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାକୁ ଗୁରୁତ୍ୱାରୋପ କରିଛନ୍ତି ।
ସ୍ୱଦେଶ ଦର୍ଶନ ଯୋଜନାରେ ତାମ୍ପରାର ବିକାଶ ପାଇଁ ୩୩ ଲକ୍ଷ ଟଙ୍କା ଓ ଗୋପାଳପୁରର ବିକାଶ ପାଇଁ ୨୩ କୋଟି ଟଙ୍କା ମଞ୍ଜୁର ହୋଇଛି । ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହି କାର୍ଯ୍ୟ ହାତକୁ ନେଇଛି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୯ କୋଟି ଟଙ୍କା ମିଳିଛି । ଏହି ପାଣ୍ଠି ବିନିଯୋଗ କରି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ସେହିପରି ଖଲିକେଟ ବ୍ଲକ୍ ଓଡ଼ିଆ ଆଲପୁରଠାରେ ୨ କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ ବିଜୁ ପଟ୍ଟନାୟକ ପାର୍କ କାର୍ଯ୍ୟ ଆରମ୍ଭ ହୋଇଛି । ଚିକିଟି ନିକଟ ବାଳକୁମାରୀ ଠାରେ ପ୍ରକଳ୍ପ ବାବଦରେ ୫୦ଲକ୍ଷ ଟଙ୍କା ବ୍ୟୟରେ କାମ ଆରମ୍ଭ ହୋଇଛି । ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଗ ତାରାତାରିଣୀ ଠାରେ ୪ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ହାତକୁ ନେଇଛି । ପୂର୍ତ୍ତ ବିଭାଗ ୧ କୋଟି ଟଙ୍କା ବ୍ୟୟରେ ମନ୍ଦିର ଭିତର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି । ସେହିପରି ହିଞ୍ଜିଳିଠାରେ ବରେଇ ପାହାଡ଼ ଉପରେ ଏକ କୋଟି ଟଙ୍କା ବ୍ୟୟରେ ରୋପ୍ ୱେ, ବଗିଚା ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ କରାଯାଇଛି । କରେଇସୁଣି ମନ୍ଦିର ସୌନ୍ଦର୍ଯ୍ୟକରଣ ବାବଦରେ ୭୦ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି । ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ୬ଟି ପ୍ରକଳ୍ପ ଖୁଣ୍ଟେଶ୍ୱର ଠାରେ ଆରମ୍ଭ ହୋଇଥିବା ବେଳେ ଏଥିପାଇଁ ୭୦ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇ କାମ ଆରମ୍ଭ ହୋଇଛି । ସେହିପରି ଭଞ୍ଜନଗର ଠାରେ ୨ କୋଟି ୧୮ଲକ୍ଷ ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟଚାଲିଥିବା ବେଳେ କୁଲାଡ଼ ଠାରେ ୫୦ଲକ୍ଷ ଟଙ୍କା ବ୍ୟୟରେ କାମ ଚାଲିଛି । ଜିଲ୍ଲାର ବିଭିନ୍ନ ଭାଗରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଏକାଧିକ ପ୍ରକଳ୍ପ ନିର୍ମାଣାଧୀନ ରହିଛି ।
ଓଟିଡିସି ଅଧିନରେ ୪୧ଟି ପ୍ରକଳ୍ପ ଆରମ୍ଭ ହୋଇଛି । ୨୧ଟି ପ୍ରକଳ୍ପ ଶେଷ ହୋଇଥିବା ବେଳେ ୧୦ ଟି ପ୍ରକଳ୍ପ ଆରମ୍ଭ ହୋଇନାହିଁ । ଏହି କାର୍ଯ୍ୟ ତୁରନ୍ତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ରାମଚଣ୍ଡି ମନ୍ଦିର ଉପରେ ୧୯ ଲକ୍ଷ ଟଙ୍କା ବ୍ୟୟରେ ପ୍ରସ୍ତାବିତ ସୁଲଭ ଶୌଚାଳୟ କାର୍ଯ୍ୟ ଆରମ୍ଭ ହେବ । ରଙ୍ଗେଇଲୁଣ୍ଡା ବ୍ଲକ୍ର ଚନ୍ଦ୍ରକଳ୍କେଶ୍ୱରୀ, ପଞ୍ଚମା ଗଣେଷ ମନ୍ଦିର ଏବଂ ଭୈରବୀ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି । ସୋରଡାର କନ୍ଧୁଣୀ ଦେବୀ ଠାକୁରାଣୀଙ୍କ ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟତୁରନ୍ତ ଶେଷ ହେବ । କରଞ୍ଜେଇ ଠାକୁରାଣୀ ମନ୍ଦିର କାର୍ଯ୍ୟ ଏବଂ ଗଞ୍ଜାମ କନ୍ଧମାଳ ସୀମାରେ ଥିବା ରାମନାବାଡ଼ିଠାରେ ଚାଲିଥିବା ପ୍ରକଳ୍ପର କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଗ୍ରାମ୍ୟଉନ୍ନୟନ ବିଭାଗ ଓ ପୂର୍ତ୍ତ ବିଭାଗ, ପର୍ଯ୍ୟଟନ ବିଭାଗ ଏବଂ ବିଡିଏ ଏହି ସମସ୍ତ ପ୍ରକଳ୍ପର କାର୍ଯ୍ୟ ହାତକୁ ନେଇଥିବା ବେଳେ ତୁରନ୍ତ ସେହି ଅଧିକାରୀମାନେ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ କୁହାଯାଇଛି । ଏହି ବୈଠକରେ ଜିଲ୍ଲା ପର୍ଯ୍ୟଟନ ବିଭାଗ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.