ତାରରେ ଛନ୍ଦି ହୋଇ ମାମୁ ଆହତ, ଭଣଜା ମୃତ

Get real time updates directly on you device, subscribe now.

ସୁବର୍ଣ୍ଣପୁର,(ବି.ବି.ନୁ୍ୟଜ): ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଅନ୍ତର୍ଗତ ସିଲାଟୀ ଗ୍ରାମର ଚୌକିନାଲ ଚେକ୍ଡ୍ୟାମ୍ ନିକଟରେ ବାର୍ହା ଶିକାର ପାଇଁ ଲାଗିଥିଲା ଫାଶ । ହେଲେ ବାର୍ହା ତ’ ଲାଗିଲାନି, ଶିକାରୀ ଫାଶରେ ପଡ଼ି ପ୍ରାଣ ହରାଇଲେ ଜଣେ ୧୭ ବର୍ଷର ଜଣେ କଲେଜ ଛାତ୍ର । ମୃତକ ଜଣକ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ୍ ରେଶମ-ସାଲେପାଲି ଗ୍ରାମର ଲମ୍ବୋଦର ସାଥୁଆଙ୍କ ପୁଅ ତ୍ରିଲୋଚନ (୧୭) । ସଂଜ୍ଞାହୀନ ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଡାକ୍ତରଖାନା ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅପରପକ୍ଷେ ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ସିଲାଟୀବାସୀ ବିନିକା ଆସି ସ୍ଥାନୀୟ କଲଜଛକଠାରେ ରାସ୍ତାରୋକୋ କରିଛନ୍ତି ।
ସୂଚନା ଅନୁସାରେ, ସାଲେପାଲିର ତ୍ରିଲୋଚନ ରେଶମ କଲେଜରେ ଯୁକ୍ତ ଦୁଇ ପଢ଼ନ୍ତି । ଗତ ଦଶହରା ସମୟରେ ନିଜ ମାମୁ ଗାଁ ସିଲାଟୀ ଆସିଥିଲେ । କଲେଜ ଛୁଟି ଥିବାରୁ ସେ ମାମୁ ଘରେ କିଛିଦିନ ରହିଯାଇଥିଲେ । ଆଜି ସନ୍ଧ୍ୟା ପ୍ରାୟ ୭ଟା ୩୦ ସମୟରେ ମାମୁ ମନୋଜ ବଣିଆଁଙ୍କ ସହ ଏକ ବାଇକ୍ରେ ଶୌଚ ହେବା ପାଇଁ ଚୌକିନାଲ ବ୍ରିଜ୍ ପଟକୁ ଯାଉଥିଲେ । ବାଟରେ ବାରହା ଶିକାର ପାଇଁ ଜିଆଇ ତାର ଟଣାଯାଇ ତହିଁରେ ୧୧ କେଭି ସଂଯୋଗ ଦିଆଯାଇଥିଲା । ରାତି ଅନ୍ଧାରରେ ସେମାନଙ୍କ ବାଇକ୍ରେ ତାର ଛନ୍ଦି ହୋଇଯାଇଥିଲା । ଫଳରେ ସେମାନେ ବାଇକ୍ରୁ ପଡ଼ିଯାଇଥିଲେ । ମନୋଜ କିଛି ଦୂର ଛିଟିକି ପଡ଼ିଥିବା ବେଳେ ତ୍ରିଲୋଚନ ତାରରେ ଛନ୍ଦି ହୋଇଯାଇଥିଲେ । କିଛି ସମୟରେ ପରେ ମନୋଜ ନିଜେ ଉଠି ତ୍ରିଲୋଚନଙ୍କୁ ଡାକ ପକାଇଥିଲେ ହେଁ ସେ ଶୁଣି ନଥିଲେ । ମନୋଜ ଆଶଙ୍କିତ ହୋଇ ଚିକ୍ରାର କରିବାରୁ ସ୍ଥାନୀୟ କେତେକ ବ୍ୟକ୍ତି ପହଞ୍ଚି ତ୍ରିଲୋଚନଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ବାଇକ୍ରେ ବିନିକା ଡାକ୍ତରଖାନା ନେଇଥିଲେ । ସେତେବେଳକୁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା । ବିନିକା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।
ସୂଚନାଯୋଗ୍ୟ, ସିଲାଟୀ ଅଞ୍ଚଳରେ ବ୍ୟାପକ ବାର୍ହା ଶିକାର ହେଉଛି । ଶିକାରୀମାନେ ବେଆଇନ ଭାବେ ଉଚ୍ଚ କ୍ଷମତାସମ୍ପନ୍ନ ବିଦୁ୍ୟତ ତାର ଟାଣି ନିୟମତ ଭାବରେ ଶିକାର କରୁଛନ୍ତି । ଗତ ବର୍ଷ ମଧ୍ୟ ସିଲାଟୀଠାରେ ଅନୁରୂପ ଏକ ଦୁର୍ଘଟଣାରେ ଜଣେ ୩୫ ବର୍ଷର ଯୁବକ ପ୍ରାଣ ହରାଇଥିଲେ । ଶୀତ ଆରମ୍ଭରୁ ପ୍ରତି ବର୍ଷ ବାର୍ହା ଶିକାର ହେଉଥିଲେ ହେଁ ବନ ବିଭାଗ କୌଣସି କାର୍ଯ୍ୟାନୁÂାନ ଗ୍ରହଣ କରୁନଥିବାରୁ ଅନେକ ବହୁମୂଲ୍ୟ ଜୀବନ ନଷ୍ଟ ହେଉଛି । ଏଭଳି କ୍ରମାଗତ ଅବହେଳାର ପ୍ରତିବାଦରେ ସ୍ଥାନୀୟ ଲୋକେ କଲଜଛକଠାରେ ରାସ୍ତାରୋକୋ କରିଥିବାବେଳେ ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ସେମାନଙ୍କ ସହିତ ଆଲୋଚନା ପାଇଁ କୌଣସି ଅଧିକାରୀ ପହଞ୍ଚିନଥିବା ପ୍ରକାଶ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons