ତାଳଚେର ଭରତପୁର କୋଇଲାଖଣି ଘଟଣା: ସିନିୟର୍ ମ୍ୟାନେଜର୍ ସସ୍ପେଣ୍ଡ

Get real time updates directly on you device, subscribe now.

ତାଳଚେର,(ବି.ବି.ନ୍ୟୁଜ୍): ତାଳଚେର ଭରତପୁର କୋଇଲା ଖଣିରେ ମାଟି ଅତଡ଼ା ଧସିବା ଘଟଣାରେ ଏମ୍ସିଏଲ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । କାର୍ଯ୍ୟରେ ଅବହେଳା ପାଇଁ ଭରତପୁର ଖଣିର ସିନିୟର ମ୍ୟାନେଜର୍ ଭି. କେ. ସିଂହଙ୍କୁ ସସ୍ପେଣ୍ଡ୍ କରାଯାଇଛି । ଏମ୍ସିଏଲ୍ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶନିବାର ଏ ଆଦେଶ ଦେଇଥିବା ନେଇ କଂପାନୀ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।
ଅନ୍ୟପକ୍ଷରେ ଉଦ୍ଧାରର ଆଜି ଚତୁର୍ଥ ଦିନରେ ମାଟି ଅତଡ଼ା ତଳୁ ଜଣେ ବ୍ୟକ୍ତିଙ୍କ ଖଣ୍ଡିଆ ହାତ ଓ ଅନ୍ତଃବୁଜୁଳା ଉଦ୍ଧାର କରିଛନ୍ତି ଏନ୍ଡିଆର୍ଏଫ୍ ଓ ଖଣି ଉଦ୍ଧାରକାରୀ ଦଳ । ତେବେ ଏ ଖଣ୍ଡ ବିଖଣ୍ଡିତ ଶରୀର କାହାର ଏ ଯାଏଁ ସ୍ପଷ୍ଟ ହୋଇନାହିଁ । ମାଟି ଅତଡ଼ା ତଳେ ପୋତି ହୋଇଥିବା ସୁରକ୍ଷା କର୍ମୀ ଲକେଇପଶି ଗ୍ରାମର ରମେଶ ଦାସଙ୍କର ନା ଅନ୍ୟ କେଉଁ ଶ୍ରମିକଙ୍କର ସେ ନେଇ ଅନୁସନ୍ଧାନ ଜାରି ରହିଛି ।
ମଙ୍ଗଳବାର ରାତି ପ୍ରାୟ ୧୧ଟା ବେଳେ ଭରତପୁର ଖଣିର ଓବିଡମ୍ପ୍ର ୧୦୦ ଫୁଟ ଉଚ୍ଚରୁ ପ୍ରାୟ ୫୦୦ ମିଟର ଚଉଡ଼ାରେ ମାଟି ଅତଡ଼ା ଧସି ପଡିବାରୁ ନନ୍ଦିଘୋଷ ଫେସ୍ରେ କାର୍ଯ୍ୟରତ ୧୩ ଜଣ ଶ୍ରମିକ ପୋତି ହୋଇଯାଇଥିଲେ । ଗାଡ଼ିମଟର ସମେତ କୋଟି କୋଟି ଟଙ୍କାର ଯନ୍ତ୍ରାଂଶ ମଧ୍ୟ ମାଟି, କୋଇଲା ମଧ୍ୟରେ ପୋତି ହୋଇଯାଇଛି । ତେବେ ସୌଭାଗ୍ୟକ୍ରମେ ୯ ଜଣ ଶ୍ରମିକ ଉଦ୍ଧାର ହୋଇଥିଲା ବେଳେ ୪ ଜଣଙ୍କୁ ଉଦ୍ଧାର ପାଇଁ ବୁଧବାରଠାରୁ ଏନ୍ଡିଆର୍ଏଫ୍ ଓ ଖଣି ଉଦ୍ଧାରକାରୀ ଦଳ ପ୍ରୟାସ କରିଥିଲେ । ବୁଧବାର ଅପରାହ୍ଣରେ ଅପରେଟର୍ କୁକୁଡାଙ୍ଗ ଗ୍ରାମର ଅପରେଟର୍ ପପୁନ୍ ବିଶ୍ୱାଳ, ଶୁକ୍ରବାର ସୁପର୍ଭାଇଜର ଗୋବରା ଗ୍ରାମର ରଶ୍ମିରଞ୍ଜନ ବେହେରା ଓ ପମ୍ପ୍ ଖଲାସି ଶିବରାମପୁର ଗ୍ରାମର ରାଜକିଶୋର ମହାପାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଆଜି ଉଦ୍ଧାର ହୋଇଥିବା ହାତ ଓ ଅନ୍ତଃବୁଜୁଳା ନିଖୋଜ ସୁରକ୍ଷା କର୍ମୀଙ୍କର ବୋଲି କୁହାଯାଉଥିଲେ ମଧ୍ୟ ସ୍ପଷ୍ଟ ହୋଇନାହିଁ । ଦୁର୍ଘଟଣାର ୫ ଦିନ ପରେ ବି ସୁରକ୍ଷା କର୍ମୀଙ୍କୁ ଉଦ୍ଧାର କରା ଯାଇପାରିନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଏମ୍ସିଏଲ୍ର ବୈଷୟିକ ନିର୍ଦ୍ଦେଶକ ଓ. ପି. ସିଂହ, ବିତ୍ତ ନିର୍ଦ୍ଦେଶକ କେ.ଆର. ବାସୁଦେବନ ପ୍ରମୁଖ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟର ତଦାରଖ କରୁଛନ୍ତି ।
ବର୍ଷା ଲାଗି ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି । ଖଣି ଭିତରେ ବର୍ଷାପାଣି ଜମି ରହିଥିବାରୁ ପମ୍ପ୍ ସାହାଯ୍ୟରେ ଜଳ ନିଷ୍କାସନ ମଧ୍ୟ କରାଯାଉଛି । ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ସମେତ ଅନ୍ୟାନ୍ୟ ୫ ଦଫା ଦାବିରେ ବିଜେପି ପକ୍ଷରୁ ତିନି ଦିନ ହେଲା ଖଣି ବନ୍ଦ ଆନ୍ଦୋଳନ ଜାରି ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons