ତାଳଚେର ହାଟତୋଟା ଅଞ୍ଚଳରେ ଭୂଗର୍ଭକୁ ଦବିଲା କୂଅ, ଲୋକେ ଛାନିଆ

Get real time updates directly on you device, subscribe now.

ତାଳଚେର,(ବି.ବି.ନ୍ୟୁଜ୍):ଅନୁଗୁଳ ଜିଲ୍ଲା ତାଳଚେର ସହରର ହାଟତୋଟା ଅଞ୍ଚଳରେ ଥିବା ଏକ କୂଅ ହଠାତ୍ ଧସି ଭୂଗର୍ଭକୁ ଭୁଶୁଡ଼ି ପଡ଼ିଛି । ଏହି ଘଟଣା ପ୍ରଚାରିତ ହେବା ପରେ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି । ତାଳଚେର ପୌରାଞ୍ଚଳ ୧୩ ନମ୍ବର ୱାର୍ଡ ଅନ୍ତର୍ଗତ ହାଟତୋଟାସ୍ଥିତ ବାବୁଲାଲ୍ କଲୋନୀ ନିକଟରେ ରହୁଥିବା ଅବତାର ସିଂହଙ୍କ ଘର ପଛ ପାଖରେ ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି ।
ବାବୁଲାଲ୍ଙ୍କ କହିବା ଅନୁଯାୟୀ , ବିଳମ୍ବିତ ରାତିରେ ହଠାତ୍ କୂଅ ଏକ ବିରାଟ ଶବ୍ଦ କରି ଭୁଶୁଡ଼ି ପଡ଼ିଥିଲା । ଏହି କୂଅର ଚଟାଣ, ନନ୍ଦ ଓ ଲାଗିଥିବା ପାଣି ମୋଟର ଇତ୍ୟାଦି କୂଅ ଭିତରକୁ ପଶି ଯାଇଥିଲା । ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଭୂଗର୍ଭ ଖଣିରୁ କୋଇଲା କାଢ଼ିନେବା ପରେ ଉପଯୁକ୍ତ ପରିମାଣରେ ବାଲି ଓ ପାଣି ଭର୍ତ୍ତି କରାଯାଉ ନଥିବାରୁ ଏଭଳି ଘଟଣା ଘଟିଥିବା ଲୋକମାନେ ଅଭିଯୋଗ କରିଛନ୍ତି । ଆଜି ସକାଳେ ଶହଶହ ଲୋକଙ୍କ ସୁଅ ଘଟଣାସ୍ଥଳକୁ ଛୁଟିଥିଲା । ଖବର ପାଇ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ମାଜିଷ୍ଟ୍ରେଟ୍ ଗୌରୀ ନାଏକ ଓ ସୁବାସ ପ୍ରଧାନଙ୍କ ସମେତ ଖଣି ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଉପଜିଲ୍ଲାପାଳ ସ୍ଥାନୀୟ ଏମ୍ସିଏଲ୍ କର୍ତ୍ତୃପକ୍ଷଙ୍କୁ ଏହାର ତଦନ୍ତ ରିପୋର୍ଟ ଶୀଘ୍ର ଦେବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଏ ସମ୍ପର୍କରେ ସ୍ଥାନୀୟ କୋଇଲା ଖଣି କର୍ତ୍ତୃପକ୍ଷଙ୍କୁ ପ୍ରତିକ୍ରିୟା ନେବା ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ନଥିଲା ।
ସୂଚନାଯୋଗ୍ୟଯେ, ୨୦୧୮ ଡିସେମ୍ବର ୫ ତାରିଖ ସନ୍ଧ୍ୟାରେ ତାଳଚେର ଥାନା ସମ୍ମୁଖରେ ଥିବା ଶାନ୍ତିଲତା ବାଇଙ୍କ ଘର ବାରଣ୍ଡା ପ୍ରାୟ ସାଢ଼େ ୩ ଫୁଟ୍ ଚଉଡ଼ା ଓ ଗଭୀରର ଦବିଯାଇ ଏକ ଗର୍ତ୍ତ ସୃଷ୍ଟି ହୋଇଥିଲା । ଘର ଭିତରର ପକ୍କା ବାରଣ୍ଡା ହଠାତ୍ ଦବି ଯିବାରୁ ପରିବାର ଲୋକ ଭୟଭୀତ ହୋଇ ପଡ଼ିଥିଲେ । ଏହା ପୂର୍ବରୁ ଲିଙ୍ଗରାଜ ରୋଡ୍, ହାଣ୍ଡିଧୂଆ ଅଞ୍ଚଳ, ବାଇପାସ୍ ଓ ହାଟତୋଟା ସ୍ଥିତ ନବମିଶ୍ର କଲୋନୀଠାରେ ମାଟି ଦବି ଗର୍ତ୍ତ ସୃଷ୍ଟି ହୋଇଥିଲା । ଗତ ଡିସେମ୍ବର ୭ ତାରିଖ ଦିନ ଭୁବନେଶ୍ୱର ସ୍ଥିତ ଖଣି ସୁରକ୍ଷା ନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ନଗେନ୍ଦ୍ର କୁମାରଙ୍କ ନେତୃତ୍ୱରେ ସିଏମପିଡିଆଇର ବରିଷ୍ଠ ଅଧିକାରୀ ଭିକେ ସିଂହ, ତାଳଚେର କୋଇଲା କ୍ଷେତ୍ର ମହାପ୍ରବନ୍ଧକ ଏସ୍କେ ରାୟଚୌଧୁରୀ ଓ ଲିଙ୍ଗରାଜ କ୍ଷେତ୍ର ମହାପ୍ରବନ୍ଧକ ଆରଭି ରିଙ୍ଗେଙ୍କ ସମେତ ଏକ ୬ ଜଣିଆ ବୈଷୟିକ ଦଳ ମାଟି ଦବିଥିବା ସ୍ଥାନ ପରିଦର୍ଶନ କରିଥିଲେ । ଘରର ପରିବାରକୁ ୧୫ ଦିନ ପାଇଁ ଅନ୍ୟତ୍ର ରହିବାର ବ୍ୟବସ୍ଥା କରାଯିବା ସହ ଏହି ଦବିବା ସ୍ଥାନ ସମ୍ପର୍କରେ ଟିଖିନିଖି ତଦନ୍ତ କରିବାକୁ ଡିଜିଏମ୍ଏସ୍ର ଉପନିର୍ଦ୍ଦେଶକ ଶ୍ରୀ କୁମାର ନିର୍ଦ୍ଦେଶ ଦେଇଥିଲେ । ଖଣି କାର୍ଯ୍ୟ ପାଇଁ ଏପରି ହୋଇନଥିବା କହିବା ସହ ତଦନ୍ତ ପରେ ସ୍ଥିତି ସ୍ପଷ୍ଟ ହେବ ବୋଲି ଶ୍ରୀ କୁମାର ପ୍ରକାଶ କରିଥିଲେ । ତେବେ ତଦନ୍ତ ଆଜି ପର୍ଯ୍ୟନ୍ତ ତଦନ୍ତ ରିପୋର୍ଟ ସମ୍ପର୍କରେ ଜନସାଧାରଣ ସନ୍ଦିହାନ ରହିଥିବା ବେଳେ ପୁଣି କୂଅ ଭୂଗର୍ଭକୁ ଚାଲିଯିବା ଘଟଣାକୁ ନେଇ ଅସନ୍ତୋଷ ଦେଖାଦେଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons