
ସୋର,(ବି.ବି.ନୁ୍ୟଜ): ତାଳ ଗଛ କାଟିବା ବେଳେ ଅଘଟଣ ଘଟିଛି । ଗଛ ପଡି ଜଣେ କଟାଳିଙ୍କ ମୃତୁ୍ୟ ଘଟିଥିବା ବେଳେ ଅନ୍ୟ ଜଣେ ଏହା ଦେଖି ମାନସିକ ଭାରସାମ୍ୟ ହରାଇ ବସିଛନ୍ତି । ଏମିତି ଅଭାବନୀୟ ଘଟଣା ବୁଧବାର ଦେଖିବାକୁ ମିଳିଥିଲା ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସିମୁଳିଆ ଗ୍ରାମରେ ।
ସୂଚନା ଅନୁସାରେ, ସିମୁଳିଆ ଗ୍ରାମର ସନାତନ ପୁହାଣ ନିଜ ବାଡ଼ିରେ ଥିବା ତାଳ ଗଛ କାଟିବା ପାଇଁ ସ୍ଥାନୀୟ ପାଖର ପଞ୍ଚାୟତ ଗୋପୀନାଥପୁର ଗ୍ରାମର ଏକ ଚାରି ଜଣିଆ କରତିଆ ଦଳଙ୍କୁ ଦାୟିତ୍ୱ ଦେଇଥିଲେ । ଆଜି ସକାଳେ କରତିଆ ଦଳ ତାଳ ଗଛ କାଟୁଥିଲେ । ଏତିକିବେଳେ ତାଳଗଛ ପୁରୁଷାତ୍ତମ ମହାଳିକଙ୍କ ଉପରେ ପଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତୁ୍ୟ ଘଟିଥିଲା । ତେବେ ଏହି ଦୃଶ୍ୟ ଦେଖି ଅନ୍ୟ ଜଣେ ଗଛ କଟାଳି ମହେନ୍ଦ୍ର ମହାଳିକ ମାନସିକ ଭାରସାମ୍ୟ ହରାଇ ଅସୁସ୍ଥ ହୋଇ ପଡ଼ିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଖବର ପାଇ ଅନନ୍ତପୁର ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲେ । ଏନେଇ ସୋର ଥାନା କେସ ନଂ. ୧୫/୨୧ରେ ମାମଲା ରୁଜୁ ହୋଇଛି ।


Comments are closed, but trackbacks and pingbacks are open.