ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଉତ୍ତର ଉପକୂଳ ଓଡ଼ିଶା ଓ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସ୍ପଷ୍ଟ ରୂପ ନେଇଛି । ଯାହା ଆସନ୍ତା ୨୪ ଘଣ୍ଟାରେ ଅବପାତରେ ପରିଣତ ହେବ । ଫଳରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ସେହିପରି ଆସନ୍ତା ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗବିତ୍ ପୂର୍ବାନୁମାନ କରିଛନ୍ତି । ତିନିଦିନ ପର୍ଯ୍ୟନ୍ତ ଧୀବରଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଏହା ସହିତ ରାଜ୍ୟର ସମସ୍ତ ବନ୍ଦର ପାଇଁ ୩ ନମ୍ବର ସତର୍କ ସୂଚନା ଜାରି କରାଯାଇଛି ।
ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ ପୂର୍ବାନୁମାନ କରିଛି, ଲଘୁଚାପ ପଶ୍ଚିମରୁ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ସେହିପରି ମନସୁନ୍ ଟ୍ରପ୍ଲାଇନ୍ ଯାହା ଜୟସାଲମେର, କୋଟା, ଗୁନା, ଜବଲପୁର, ପେଣ୍ଡ୍ରା ରୋଡ୍ ଦେଇ ଗତି କରୁଛି ତାହା ଲଘୁଚାପର କେନ୍ଦ୍ର ଦେଇ ଗତି କରିବ । ଉତ୍ତର ଉପକୂଳ ଓଡ଼ିଶା ହୋଇ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଡ଼କୁ ମୁହାଁଇବ । ସେହିପରି ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ସକ୍ରିୟ ହୋଇଥିବାରୁ ତିନିଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ତେଣୁ ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର୍ ପ୍ରଦୀପ ଜେନା ନିଦେ୍ର୍ଧଶ ଦେଇଛନ୍ତି । ପୁରୀ, ଜଗତସିଂହପୁର, ସମ୍ବଲପୁର, ଅନୁଗୁଳ ଓ ଦେଓଗଡ଼ର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେହି ସମୟରେ ତଳିଆ ଅଞ୍ଚଳରେ ପାଣି ଜମିବାର ସମ୍ଭାବନା ରହିଛି । ଏହା ସହିତ ମାଟିଘରଗୁଡ଼ିକ କ୍ଷତି ହେବାର ଆଶଙ୍କା ଥିବାରୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି କେନ୍ଦ୍ରାପଡ଼ା, କଟକ, ଯାଜପୁର, ଭଦ୍ରକ, ଢେଙ୍କାନାଳ, ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗୀର ଜିଲ୍ଲାର କିଛି ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହିତ କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼, ମାଲକାନଗିରି ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବ ବୋଲି କେନ୍ଦ୍ର ପୂର୍ବାନୁମାନ କରିବା ସହିତ ଉପରୋକ୍ତ ଜିଲ୍ଲାଗୁଡିକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିଦେ୍ର୍ଧଶକ ଏଚ୍ ଆର୍ ବିଶ୍ୱାସ ସୂଚନା ଦେଇଛନ୍ତି ।
ଗତ ୨୪ ଘଣ୍ଟାରେ ଆଠଗଡ଼ରେ ସର୍ବାଧିକ ୧୮୨ ମିଲିମିଟର ବର୍ଷା ହୋଇଥିବା ବେଳେ ଢେଙ୍କାନାଳରେ ୧୪୪ ମିମି, ବାଲିମେଳାରେ ୧୧୯, ଅନୁଗୁଳରେ ୮୪, ପୁରୀରେ ୭୧, ନରସିଂହପୁରରେ ୭୦, ଟାଙ୍ଗି ୬୧, ଅଳତୁମା ୫୭, କାମାକ୍ଷାନଗର ୫୫, ବେଲଗାଁ ୫୩, କରଞ୍ଜିଆ ଓ ଜୟପୁର ୫୨ ମିଲିମିଟର ଏବଂ ଟିକରପଡ଼ାରେ ୫୦ ମିଲିମିଟର ବର୍ଷା ହୋଇଥିବା ରାଜ୍ୟ ଜଳସମ୍ପଦ ବିଭାଗ ରେକଡର଼୍ କରିଛି ।
Comments are closed, but trackbacks and pingbacks are open.