ତିନି ପୁଅ ପରେ ଆଖିବୁଜିଲେ ବାପା

Get real time updates directly on you device, subscribe now.

ଓଡ଼ାପଡ଼ା,(ବି.ବି.ନୁ୍ୟଜ): ହସଖୁସିର ସଂସାରକୁ ଛାର୍ଖାର୍ କରିଦେଇଛି ମହାମାରୀ । ମୃତୁ୍ୟର ବିଭୀଷିକା ରଚି ଚାଲିଛି କରୋନାର ଦ୍ୱିତୀୟ ଲହର । ପରିବାରକୁ ପୁରୁଷ ଶୂନ୍ୟ କରିଦେଇଛି ଅଦୃଶ୍ୟ ଭୂତାଣୁ । ଜଣକ ପରେ ଜଣେ ଏପରି ତିନି ପୁଅଙ୍କ ସହ ବାପାଙ୍କ ଜୀବନ ନେଇଛି କରୋନା । ମା’ ଏବେ କୋଭିଡ୍ ହସ୍ପିଟାଲ୍ରେ ଜୀବନ ସହ ସଂଗ୍ରାମ କରୁଛନ୍ତି । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ ଗୁଣଦେଇ ପଞ୍ଚାୟତ ଅନ୍ତର୍ଗତ ମାହାଦିଆ ଗ୍ରାମରେ ।
ପ୍ରକାଶ ଯେ, ଢେଙ୍କାନାଳ ଜିଲ୍ଲା ମହାଦିଆ ଗ୍ରାମର ବାସିନ୍ଦା ପଞ୍ଚାନନ ଲେଙ୍କା (୭୫), ପତ୍ନୀ ପ୍ରେମଲତା (୭୨), ପୁଅ ନିରଞ୍ଜନ(୫୦), ସୁଶାନ୍ତ (୪୫) ଓ ସୁରେଶ(୪୨)ଙ୍କୁ ନେଇ ତାଙ୍କ ପରିବାର । ୩ ମାସ ପୂର୍ବେ କରୋନାରେ ସଂକ୍ରମିତ ହୋଇଥିଲେ ବଡ଼ପୁଅ ନିରଞ୍ଜନ । ଢେଙ୍କାନାଳ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଥିଲା । ବଡ଼ପୁଅର ମୃତୁ୍ୟରେ ଦୁଃଖରେ ପରିବାର ଲୋକେ ଭାଙ୍ଗିପଡ଼ିଥିଲେ । ହେଲେ ଏତିକିରେ ଦୁଃଖ ସରିନଥିଲା । ସପ୍ତାହେ ପୂର୍ବେ ପୂରା ପରିବାର କରୋନା କବଳିତ ହୋଇଥିଲେ । ମହାଦିଆ ଗ୍ରାମରୁ ୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏହା ମଧ୍ୟରେ ପଞ୍ଚାନନଙ୍କ ସମେତ ତାଙ୍କ ପତ୍ନୀ ଓ ଦୁଇ ପୁଅ ରହିଥିଲେ । ସମସ୍ତେ ହୋମ୍ ଆଇସୋଲେସନ୍ରେ ରହି ଚିକିତ୍ସିତ ହେଉଥିଲେ । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଆଡ଼କୁ ଯାଉଥିବାରୁ ସମସ୍ତେ ଢେଙ୍କାନାଳ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ । ଗତ ୨୭ ତାରିଖ ଗୁରୁବାର ମଝିଆ ପୁଅ ସୁଶାନ୍ତଙ୍କର ମୃତୁ୍ୟ ହୋଇଥିଲା । ଦିନକ ପରେ ଅର୍ଥାତ୍ ୨୮ ତାରିଖରେ ସାନପୁଅ ସୁରେଶଙ୍କ ଜୀବନ ଦୀପ ଲିଭିଯାଇଥିଲା । ପରଦିନ ଅର୍ଥାତ୍ ଶନିବାର ପଞ୍ଚାନନ ମଧ୍ୟ କରୋନା ଆଁ’ରେ ପଡ଼ି ମୃତୁ୍ୟ ବରଣ କରିଥିଲେ । ପୂରା ପରିବାରକୁ ପୁରୁଷ ଶୂନ୍ୟ କରିଦେଇଛି ମହାମାରୀ । ଛାର୍ଖାର୍ ହୋଇଯାଇଛି ହସଖୁସିର ସଂସାର । ପଞ୍ଚାନନଙ୍କ ପତ୍ନୀ ପ୍ରେମଲତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ବେଳେ ସେ କୋଭଡ୍ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି । ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତିନିପୁଅ ସହ ବାପାଙ୍କ ମୃତୁ୍ୟ ଭଳି ହୃଦୟ ବିଦାରକ ଘଟଣା ଜିଲ୍ଲାବାସୀଙ୍କୁ ଦାରୁଣ ଦୁଃଖ ଦେଇଛି ।
କରୋନା ମୃତୁ୍ୟର ତାଣ୍ଡବ ରଚି ଚାଲିଥିବା ବେଳେ ଅମାନିଆ କିନ୍ତୁ ମାନିବାକୁ ନାରାଜ୍ । ମହାଦିଆ ଗ୍ରାମକୁ ପ୍ରଶାସନ କଣ୍ଟେନମେଣ୍ଟ୍ ଜୋନ୍ କରିଥିବା ବେଳେ ସଂକ୍ରମିତଙ୍କୁ ହୋମ୍ ଆଇସୋଲେସନ୍ରେ ରହିବାକୁ ପରାମର୍ଶ ଦିଆଯାଇଛି । କିନ୍ତୁ ସଂକ୍ରମିତ ଖୋଲାଖୋଲି ଭାବେ ବୁଲୁଛନ୍ତି । ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ହେଉନଥିବା ବେଳେ ସେମାନଙ୍କୁ ବାରଣ କରିବାକୁ କେହି ନାହିଁ । ଯାହା ଫଳରେ ଗ୍ରାମରେ ସଂକ୍ରମଣ ବଢ଼ିବାର ଆଶଙ୍କା ସୃଷ୍ଟି ହୋଇଛି । ମୃତକଙ୍କ ପରିବାର ଘର ସହ ସମଗ୍ର ଗ୍ରାମକୁ ସାନିଟାଇଜ୍ କରିବା, ସଂକ୍ରମିତଙ୍କ କଣ୍ଟାକ୍ଟ ଟ୍ରେସିଂ କରିବା ସହ ପଞ୍ଚାୟତରେ ଆଉ ଏକ ପରୀକ୍ଷଣ ଶିବିର କରି ସନ୍ଦିଗ୍ଧଙ୍କ କୋଭିଡ୍ ପରୀକ୍ଷା କରିବାକୁ ମହାଦିଆ ଗ୍ରାମର ସମାଜସେବୀ ଅନ୍ତର୍ଯ୍ୟାମୀ ବରାଳ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons