ତିନି ପୁଅ, ସ୍ୱାମୀଙ୍କ ପରେ ଆଖି ବୁଜିଲେ ସ୍ତ୍ରୀ

Get real time updates directly on you device, subscribe now.

ଢେ଼ଙ୍କାନାଳ: ମୃତୁ୍ୟର ବିଭୀଷିକା ରଚି ଚାଲିଛି କରୋନାର ଦ୍ୱିତୀୟ ଲହର । ଗୋଟିଏ ପରେ ଗୋଟିଏ ଜୀବନ ନେବାରେ ଲାଗିଛି ଅଦୃଶ୍ୟ ଭୂତାଣୁ । ଜଣକ ପରେ ଜଣେ, ଏପରି ତିନି ପୁଅ, ସ୍ୱାମୀଙ୍କ ପରେ ସ୍ତ୍ରୀଙ୍କ ଜୀବନ ନେଇଛି କରୋନା । ପୂରା ପରିବାରକୁ ଛାର୍ଖାର୍ କରିଦେଇଛି କରୋନା । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ ଗୁଣଦେଇ ପଞ୍ଚାୟତ ଅନ୍ତର୍ଗତ ମାହାଦିଆ ଗ୍ରାମରେ ।
ପ୍ରକାଶ ଯେ, ଢେଙ୍କାନାଳ ଜିଲ୍ଲା ମାହାଦିଆ ଗ୍ରାମର ବାସିନ୍ଦା ପଞ୍ଚାନନ ଲେଙ୍କା(୭୫) । ପତ୍ନୀ ପ୍ରେମଲତା (୭୨) ଓ ୪ ପୁଅ ନିରଞ୍ଜନ(୫୦), ଯୁଗଳ, ସୁଶାନ୍ତ (୪୫) ଓ ସୁରେଶ(୪୨)ଙ୍କୁ ନେଇ ତାଙ୍କ ପରିବାର । ୩ ମାସ ପୂର୍ବେ କରୋନାରେ ସଂକ୍ରମିତ ହୋଇଥିଲେ ବଡ଼ପୁଅ ନିରଞ୍ଜନ । ଢେଙ୍କାନାଳ କୋଭିଡ୍ ହସ୍ପିଟାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତୁ୍ୟ ହୋଇଥିଲା । ବଡ଼ପୁଅର ମୃତୁ୍ୟରେ ଦୁଃଖରେ ପରିବାର ଲୋକେ ଭାଙ୍ଗିପଡ଼ିଥିଲେ । କିନ୍ତୁ ଏତିକିରେ ଦୁଃଖ ସରିନଥିଲା । ମେ’ ତୃତୀୟ ସପ୍ତାହରେ ପୂରା ପରିବାର କରୋନା କବଳିତ ହୋଇଥିଲେ । ମାହାଦିଆ ଗ୍ରାମରୁ ଏକକାଳୀନ ୨୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏହା ମଧ୍ୟରେ ପଞ୍ଚାନନଙ୍କ ସମେତ ତାଙ୍କ ପତ୍ନୀ ଓ ଦୁଇ ପୁଅ ରହିଥିଲେ । ସମସ୍ତେ ହୋମ୍ ଆଇସୋଲେସନ୍ରେ ରହି ଚିକିତ୍ସିତ ହେଉଥିଲେ । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଆଡ଼କୁ ଯାଉଥିବାରୁ ସମସ୍ତେ ଢେଙ୍କାନାଳ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ । ମେ’ ୨୭ ତାରିଖ ଗୁରୁବାର ସାନ ମଝିଆ ପୁଅ ସୁଶାନ୍ତଙ୍କର ମୃତୁ୍ୟ ହୋଇଥିଲା । ଦିନକ ପରେ ଅର୍ଥାତ୍ ୨୮ ତାରିଖରେ ସାନପୁଅ ସୁରେଶଙ୍କର ବି ଜୀବନ ଦୀପ ଲିଭିଯାଇଥିଲା । ପରଦିନ ଅର୍ଥାତ୍ ଶନିବାର ପଞ୍ଚାନନ ମଧ୍ୟ କରୋନା ଆଁ’ରେ ମୃତୁ୍ୟ ବରଣ କରିଥିଲେ । ପଞ୍ଚାନନଙ୍କ ପତ୍ନୀ ପ୍ରେମଲତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଜଟିଳ ହୋଇପଡ଼ିବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍କୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ସେ ପ୍ରାୟ ୧୫ ଦିନ ହେଲା ଚିକିତ୍ସିତ ହୋଇ ଆସୁଥିଲା ବେଳେ ଆଜି ସକାଳେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ବିଏମ୍ସି ପକ୍ଷରୁ କୋଭିଡ୍ କଟକଣାରେ ତାଙ୍କ ଶବ ସକ୍ରାର କରାଯାଇଥିବା ଜଣାଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତିନିପୁଅ ସହ ସ୍ୱାମୀଙ୍କ ପରେ ସ୍ତ୍ରୀଙ୍କ ମୃତୁ୍ୟ ଭଳି ହୃଦୟ ବିଦାରକ ଘଟଣା ଗ୍ରାମବାସୀଙ୍କୁ ସ୍ତବ୍ଧ କରିଦେଇଛି ।
ଏବେ ଘରେ ବଡ଼ମଝିଆ ପୁଅ ଯୁଗଳ, ତାଙ୍କ ପତ୍ନୀ, ସ୍ୱର୍ଗତ ନିରଞ୍ଜନଙ୍କ ପତ୍ନୀଙ୍କ ସମେତ ଏକମାତ୍ର ଝିଅ ରହିଛନ୍ତି । ଯୁଗଳ ଶାରୀରିକ ଅକ୍ଷମ ହୋଇଥିବା ବେଳେ ପରିବାରର ବୋଝ ଏବେ ତାଙ୍କ ଉପରେ ପଡ଼ିଛି । ମହାମାରୀ କରୋନା କେତେ ଯେ ଭୟଙ୍କର ତାହା ଏହି ଘଟଣାରୁ ସ୍ପଷ୍ଟ ଜଣାପଡୁଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons