ନୂଆଦିଲ୍ଲୀ: ଐତିହାସିକ ତିନି ତଲାକ ବିଲ୍ (ମୁସଲିମ ମହିଳା ବିବାହ ଅଧିକାର ବିଲ୍) ୨୦୧୯ ଆଜି ରାଜ୍ୟସଭାରେ ଗୃହୀତ ହୋଇଛି । ପୂର୍ବରୁ ଗତ ଗୁରୁବାର ଏହା ୩୦୩-୮୨ ଭୋଟରେ ଲୋକସଭାର ଅନୁମୋଦନ ଲାଭ କରିଥିଲା । ଏହାଫଳରେ ମୁସଲିମ ସମାଜରେ ପ୍ରଚଳିତ ତକ୍ରାଳ ତିନି ତଲାକ ପ୍ରଥାକୁ ଅପରାଧ ଭାବେ ବିବେଚନା କରାଯିବା ସହ ପତ୍ନୀଙ୍କୁ ତଲାକ ଦେଉଥିବା ସ୍ୱାମୀଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ଦଣ୍ଡ ମିଳିବ । ସଂସଦର ଅନୁମୋଦନ ଲାଭ କରିଥିବାରୁ ବର୍ତ୍ତମାନ ବିଲ୍କୁ ରାଷ୍ଟ୍ରପତିଙ୍କ ସ୍ୱୀକୃତି ପାଇଁ ପଠାଯିବ । ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିବା ପରେ ତାହା ଆଇନରେ ପରିଣତ ହେବ ।
ରାଜ୍ୟସଭାରେ ଆଜି ଏହି ବିଲ୍ ଉପରେ ଚିରକୁଟ ମାଧ୍ୟମରେ ଭୋଟିଂ ହୋଇଥିଲା । ବିଲ୍ ସପକ୍ଷରେ ୯୯ ଭୋଟ ମିଳିଥିଲା ବେଳେ ବିପକ୍ଷରେ ୮୪ ଭୋଟ ପଡିଥିଲା । ସେହିଭଳି ବିଲ୍ଟିକୁ ସିଲେକ୍ଟ କମିଟିକୁ ପଠାଇବା ଲାଗି ବିରୋଧୀ ଦଳଗୁଡିକ ପକ୍ଷରୁ ହେଉଥିବା ଦାବି ମଧ୍ୟ ଅଗ୍ରାହ୍ୟ ହୋଇଯାଇଥିଲା । ସିଲେକ୍ଟ କମିଟିକୁ ପଠାଇବା ପ୍ରସ୍ତାବକୁ ୮୪ ସଦସ୍ୟ ସମର୍ଥନ କରିଥିଲା ବେଳେ ବିପକ୍ଷରେ ୧୦୦ ସଦସ୍ୟ ମତ ଦେଇଥିଲେ । ବିଲ୍କୁ ବିଜୁ ଜନତା ଦଳ (ବିଜେଡି) ସମର୍ଥନ କରିଥିଲା । ତେବେ ବସପା, ପିଡିପି, ଟିଡିପି, ଟିଆରଏସ୍, ଜେଡିୟୁ ଏବଂ ଏଆଇଏଡିଏମ୍କେ ଭଳି ଦଳର ସଦସ୍ୟମାନେ ଭୋଟିଂରେ ଭାଗ ନେଇ ନଥିଲେ । ଯାହାଫଳରେ ଗୃହରେ ଏନ୍ଡିଏର ସଦସ୍ୟ ସଂଖ୍ୟା କମ୍ ଥିଲେ ମଧ୍ୟ ବିଲ୍ଟିକୁ ପାସ୍ କରାଇବାରେ ସରକାର ସଫଳ ହୋଇଥିଲେ । ତିନି ତଲାକ ବିଲ୍ ସଂସଦର ସ୍ୱୀକୃତି ପାଇବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରର ସବୁଠାରୁ ବଡ ସଫଳତା । ମୋଦି ସରକାରଙ୍କ ପ୍ରଥମ ପାଳିରେ ବିଲ୍ଟି ଆସିଥିଲେ ମଧ୍ୟ ତାହା ସଂସଦର ସ୍ୱୀକୃତି ପାଇନଥିଲା । ଲୋକସଭାରେ ଗୃହୀତ ହୋଇଥିଲେ ମଧ୍ୟ ରାଜ୍ୟସଭାରେ ସରକାରଙ୍କ ଆବଶ୍ୟକ ସଂଖ୍ୟା ନଥିବାରୁ ତାହା ଅଟକି ରହିଥିଲା । ଗୃହରେ ବିଲ୍ ଉପରେ ୫ ଘଣ୍ଟା ଧରି ବିତର୍କ ହୋଇଥିଲା । ବିଲ୍ ଆଗତ କରି କେନ୍ଦ୍ରମନ୍ତ୍ରୀ ପ୍ରସାଦ କହିଥିଲେ ଯେ ଏହା ହେଉଛି ମୁସଲିମ ମହିଳାଙ୍କ ସମ୍ମାନ ଓ ମର୍ଯ୍ୟଦାର ବିଷୟ । ଏହାକୁ ରାଜନୀତିର ଯବକାଚରେ କିମ୍ବା ଭୋଟବ୍ୟାଙ୍କ ରାଜନୀତି ଭାବେ ଦେଖାଯିବା ଉଚିତ ନୁହେଁ । ଏହା ମାନବତା ସହ ଜଡିତ ଏବଂ ଏହା ଲିଙ୍ଗଗତ ନ୍ୟାୟ ଓ ସମାନତାର ପ୍ରସଙ୍ଗ । ବିତର୍କରେ ଭାଗ ନେଇ ବିରୋଧୀ ଦଳର ସଦସ୍ୟମାନେ ଏହି ବିଲ୍କୁ ଅସାମ୍ବିଧାନିକ ବୋଲି ଦର୍ଶାଇବା ସହ ଏହା ଉପରେ ଅଧିକ ଅନୁଧ୍ୟାନ ଲାଗି ସଂସଦର ସିଲେକ୍ଟ କମିଟିକୁ ପଠାଇବାକୁ ଦାବି କରିଥିଲେ । କଂଗ୍ରେସ, ତୃଣମୂଳ କଂଗ୍ରେସ, ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି, ଆରଜେଡି, ଏନ୍ସିପି ଓ ବାମଦଳଗୁଡିକ ବିଲ୍କୁ କଡା ବିରୋଧ କରିଥିଲେ । ଏପରିକି ଏନ୍ଡିଏର ସହଯୋଗୀ ଜେଡିୟୁ ଏବଂ ଏଆଇଏଡିଏମ୍କେ ସଦସ୍ୟମାନେ ମଧ୍ୟ ବିରୋଧ କରିଥିଲେ । କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଥିଲେ ଯେ ସେ ମହିଳା ବିରୋଧୀ ନୁହନ୍ତି । କିନ୍ତୁ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ବିଲ୍ ଆଣିଛନ୍ତି । ଏକ ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କୁ ଟାର୍ଗେଟ କରି ବିଲ୍ ଅଣାଯାଇଛି । ଏହା ବିଲ୍ ମୁସଲିମ ମହିଳାଙ୍କ ସୁରକ୍ଷା ପାଇଁ ନୁହେଁ, ବରଂ ସେମାନଙ୍କ ପରିବାର ଭାଙ୍ଗିବା ଲାଗି ଉଦ୍ଦିଷ୍ଟ । ଯଦି ସରକାର ମହିଳାଙ୍କୁ ନ୍ୟାୟ ଦେବାକୁ ଚାହୁଁଛନ୍ତି ତେବେ ମହିଳା ସଂରକ୍ଷଣ ବିଲ୍ କାର୍ହିଁକି ଆଣୁନାହାନ୍ତି ବୋଲି ସେ ପଚାରିଥିଲେ । ସେହିଭଳି ବିଜେଡି ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ, ତୃଣମୂଳ କଂଗ୍ରେସର ଦୋଳ ସେନ, ସମାଜବାଦୀ ପାର୍ଟିର ଜାଭେଦ ଅଲି ଖାନ୍, ବହୁଜନ ସମାଜ ପାର୍ଟିର ସତୀଶ ଚନ୍ଦ୍ର ମିଶ୍ର, ଏନ୍ସିପିର ମାଜିଦ ମେମନ, ଜେଡିୟୁର ବଶିଷ୍ଟ ନାରାୟଣ ସିଂହ, ଏଆଇଏଡିଏମ୍କେର ଏ. ନବନୀତକ୍ରିଷ୍ଣନ ଏବଂ ଆରଜେଡିର ମନୋଜ ଝା ପ୍ରମୁଖ ବିଲ୍ ଉପରେ ଅନୁଷ୍ଠିତ ବିତର୍କରେ ଭାଗ ନେଇଥିଲେ ।
Comments are closed, but trackbacks and pingbacks are open.