ରାୟଗଡ଼ା, (ବି.ବି.ନୁ୍ୟଜ): ତାଲିମ ନେବାପରେ ପେଟପାଟଣା ଓ ଆତ୍ମନିର୍ଭରଶୀଳ ହେବା ପାଇଁ ଯାଇଥିଲେ ସୁଦୂର ତାମିଲନାଡ଼ୁ ରାଜ୍ୟର ତିରୁପୁର ସହରକୁ । ୧୯ ଜଣ ଯୁବତୀ ଏକ ଡ୍ରେସ ପ୍ରସ୍ତୁତକାରୀ କାରଖାନାରେ କାମ କରିବା ପାଇଁ ଯାଇଥିଲେ । ହେଲେ ସେଠାରେ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ଆସିଲା । ନିର୍ଯାତନା ପାଉଥିବା ଜଣାପଡ଼ିବା ପରେ ତାମିଲନାଡ଼ୁ ରାଜ୍ୟ ସରକାର ତ୍ୱରିତ ପଦକ୍ଷେପ ନେଇ ୧୯ ଜଣ ଯୁବତୀଙ୍କୁ ଉଦ୍ଧାର କଲେ । ଉଦ୍ଧାର ପରେ ସେମାନଙ୍କ ସମ୍ପର୍କରେ ଓଡ଼ିଶା ସରକାରଙ୍କୁ ଅବଗତ କରାଯିବା ସହ ସୁରକ୍ଷିତ ଭାବେ ଟ୍ରେନ ଯୋଗେ ରାୟଗଡ଼ା ପଠା ଯାଇଥିଲା । ଉଦ୍ଧାର ହୋଇଥିବା ୧୯ ଜଣ ଯୁବତୀ ଆଜି ରାୟଗଡ଼ାରେ ପହଂଚିବା ପରେ ସେମାନଙ୍କ ଘରକୁ ପ୍ରଶାସନ ପକ୍ଷରୁ ପଠାଯାଇଛି । ଉଦ୍ଧାର ଯୁବତୀଙ୍କ ମଧ୍ୟରେ ରାୟଗଡ଼ା ଜିଲ୍ଲାର ୧୫ ଏବଂ କଳାହାଣ୍ଡି ଜିଲ୍ଲାର ୪ ଜଣ ରହିଛନ୍ତି ।
ବିଡ଼ମ୍ବନାର ବିଷୟ ୧୯ ଜଣ ଯୁବତୀ ଏକ ପ୍ରକାର ବନ୍ଧକ ଅବସ୍ଥାରେ ତାମିଲନାଡ଼ୁରେ ଥିବା ସତ୍ୱେ ରାୟଗଡ଼ା ଜିଲ୍ଲା ଶ୍ରମ ବିଭାଗ ନିକଟରେ ଏହାର କୌଣସି ସୂଚନା ନଥିଲା । ଶ୍ରମ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି କ୍ଷେତ୍ର କର୍ମଚାରୀ ପର୍ଯ୍ୟନ୍ତ କେହି ଠିକ୍ ଭାବେ ନିଜ ଦାୟିତ୍ୱ ତୁଲାଉ ନଥିବା ଉଦ୍ଧାର ହୋଇଥିବା ଯୁବତୀଙ୍କ ପରିବାରବର୍ଗ ପକ୍ଷରୁ ଅଭିଯୋଗ ହୋଇଛି । ଜିଲ୍ଲାରେ ଶ୍ରମ ବିଭାଗ ଏକପ୍ରକାର ସ୍ଥାଣୁ ପାଲଟିଥିବା ଅଭିଯୋଗ ହେଉଥିବା ବେଳେ ଆଜି ୧୯ ଜଣ ଯୁବତୀଙ୍କ ଉଦ୍ଧାର ଘଟଣା ଏହାର ନିଛକ ଉଦାହରଣ ବୋଲି ଦର୍ଶଯାଉଛି ।
ଏହି ୧୯ ଜଣ ଯୁବତୀ ଗତ ଜାନୁୟାରୀ ମାସରେ ତିରୁପୁର ସହରକୁ ଏକ ଡ୍ରେସ କମ୍ପାନିରେ କାମ କରିବା ପାଇଁ ଯାଇଥିଲେ । ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ସେମାନଙ୍କୁ ତାମିଲନାଡ଼ୁର ଏକ ଡ୍ରେସ ପ୍ରସ୍ତୁତକାରୀ କମ୍ପାନି ନେଇଥିଲା । ସରକାରଙ୍କ ତରଫରୁ ତାଲିମ ଦିଆଯିବା ପରେ ଆତ୍ମନିଯୁକ୍ତି ନାମରେ ସେମାନେ ତାମିଲନାଡ଼ୁକୁ ଯାଇଥିଲେ । ଦୀର୍ଘ ୩ ମାସରୁ ଅଧିକ ସମୟ ହେବ ସେଠାରେ କାମ କରିବା ପରେ ବର୍ତ୍ତମାନ କରୋନା କାଳରେ ଘରକୁ ଫେରିବା ପାଇଁ ଚାହିଁଥିଲେ । ଘରକୁ ଯିବା ନିମନ୍ତେ ଏହି ଯୁବତୀମାନେ ବାରମ୍ବାର ନିବେଦନ କରିବା ପରେ ମଧ୍ୟ କମ୍ପାନି କର୍ତ୍ତୃପକ୍ଷ ଛାଡ଼ି ନଥିଲେ । ଏଭଳିକି ସେମାନେ ରହୁଥିବା ମହିଳା ହଷ୍ଟେଲ ନିକଟରେ କିଛି ଲୋକଙ୍କୁ ନଜର ରଖିବା ନିମନ୍ତେ ଲୋକ ନିୟୋଜିତ କରିଥିବା ଅଭିଯୋଗ ହୋଇଛି । ଏହାପରେ ଉକ୍ତ ଯୁବତୀମାନେ ଭୟଭୀତ ହୋଇ ପଡ଼ିଥିଲେ । କୌଣସି ପ୍ରକାରେ ନିଜର ପରିବାରବର୍ଗକୁ ଏ ନେଇ ସୂଚନା ଦେବା ସହ ତାମିଲନାଡ଼ୁ ସରକାରଙ୍କୁ ଜଣାଯାଇଥିଲା । ତାମିଲନାଡ଼ୁ ସରକାରଙ୍କ ପକ୍ଷରୁ ଅଧିକାରୀ ସୂଚନା ପାଇ ଉକ୍ତ ହଷ୍ଟେଲରେ ପହଂଚି ସମସ୍ତ ଯୁବତୀଙ୍କୁ ଉଦ୍ଧାର କରିଥିଲେ । ଏହାପରେ ତିରୁପୁରରୁ ଚେନ୍ନାଇ ଦେଇ ରାୟଗଡ଼ାକୁ ପଠାଇଥିଲେ । ରାୟଗଡ଼ା ପହଂଚିବା ପରେ ସମସ୍ତ ୧୯ ଜଣ ଯୁବତୀ ନିଜ ଘରକୁ ଫେରିଛନ୍ତି ।
ଏହି ୧୯ ଜଣ ଯୁବତୀ ହେଲେ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁରର ପିଙ୍କି ନାଏକ, ବିନ୍ଦୁ ନାଏକ, ଅଞ୍ଜନୀ ନାଏକ, ସରିତା ନାଏକ ଏବଂ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଗଗନମାଟି ଗ୍ରାମର ଶାନ୍ତି କୁମ୍ଭାକା, ଜମୁନା ସ୍ରମ୍ବୁକା, ଦାରୁକଣା ଗ୍ରାମର ଦାମିନି କୁମ୍ବୁରୁକା, ରେଣୁକା କୁମ୍ବୁରୁକା, ସୁନ୍ଦରବତି କଲକା, କନ୍ଧଗୁଡ଼ା ଗ୍ରାମର ମମିତା ଉଲ୍ଲାକା, ରଶ୍ମିତା ଉଲ୍ଲାକା, ଶଶ୍ମିତା ଉଲ୍ଲାକା, ପୋଙ୍ଗଲି ଗ୍ରାମର ରିତା ମାମ୍ବାଲାକା, ସାନସାର୍ତେଲି ଗ୍ରାମର ସୁନିତା କରକରିଆ, ଅଞ୍ଜନୀ ଜାକେସିକା, ମାଳିଢେ଼ପାଗୁଡ଼ା ଗ୍ରାମର ସୁମିତ୍ରା ନାଗ, କାଙ୍କୁବାଡ଼ି ଗ୍ରାମର ଲକ୍ଷ୍ମୀ ତୋଇକା, ରୋଟାଟିକିରି ଗ୍ରାମର ରିଙ୍କି କୁଲେସିକା ଏବଂ ବଡ଼ଲିମା ଗ୍ରାମର ସରିତା ବିଭାର । ଏହି ୧୯ ଜଣ ଯୁବତୀ ରାୟଗଡ଼ାଠାରେ ପହଂଚିବା ପରେ ସେମାନଙ୍କୁ କିଭଳି ଅମାନବୀୟ ଭାବେ ବ୍ୟବହାର ପ୍ରଦର୍ଶନ କରାଯାଉଥିଲା ତାହା ଗଣମାଧ୍ୟମ ସମ୍ମୁଖରେ ବଖାଣିଥିଲେ ।
Comments are closed, but trackbacks and pingbacks are open.