ତିର୍ତ୍ତୋଲରେ ବିଜୟ ଶଙ୍କରଙ୍କ ଜିତାପଟ

Get real time updates directly on you device, subscribe now.

ଜଗତସିଂହପୁର,(ବି.ବି.ନୁ୍ୟଜ): ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନରେ ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମ୍ୟାଜିକ୍ କାମ କରିଛି । ଦିବଂଗତ ବିଧାୟକ ବିଷ୍ଣୁ ଦାସଙ୍କ ପ୍ରତି ରହିଥିବା ଆନ୍ତରିକତାକୁ ଦୋହରାଇ ଭୋଟରମାନେ ତାଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ଏହି ମାଟିର ନବ ନିଯୁକ୍ତ ବିଧାୟକ ଭାବେ ନିର୍ବାଚିତ କରିଛନ୍ତି । ଆଉ ସମସ୍ତ ବଳ ଖଟାଇଥିଲେ ସୁଦ୍ଧା ବିଜେପି ବ୍ୟାକ୍ଫୁଟ୍କୁ ଚାଲି ଆସିଛି । କଂଗ୍ରେସ ନିଜ ସତ୍ତା ବଞ୍ଚାଇବାକୁ ୨୦୧୯ ଭଳି ଏହି ଉପନିର୍ବାଚନରେ ସଂଘର୍ଷ କରି ପରାଜୟ ବରଣ କରିଛି ।
ବିଜେଡି ଗୋÂୀ କନ୍ଦଳର ପ୍ରଭାବ ବିଜୟ ଧାରାରେ ବାଧକ ହୋଇ ପାରିନାହିଁ । ଚତୁର୍ଥ ଥର ପାଇଁ ବିଜେଡି ଏଠୁ ବାଜିମାତ୍ କରିଛି । ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ବିଜୁ ଏବଂ ନବୀନ ପ୍ରେମୀ ଭୋଟରମାନେ ବିଜୟ ଶଙ୍କରଙ୍କ ପ୍ରତି ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ବିଜେଡି ପ୍ରାର୍ଥୀଙ୍କ ଖାତାକୁ ମୋଟ୍ ୮୮ ହଜାର ୩୧୦ଭୋଟ ଯାଇଛି । ଅର୍ଥାତ୍ ୪୧ ହଜାର ୭୦୩ ଭୋଟ ବ୍ୟବଧାନରେ ବିଜୟ ଶଙ୍କର ବିଜୟ ଲାଭ କରି ତିର୍ତ୍ତୋଲ ମାଟିରେ ବିଜେଡି ସଙ୍ଗଠନକୁ ଅଧିକ ମଜଭୁତ କରି ଦେଇଛନ୍ତି । ସେହିପରି ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରା ମୋଟ ୪୬ ହଜାର ୬୦୭ ଭୋଟ ପାଇଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ହିମାଂଶୁ ଭୂଷଣ ମଲ୍ଲିକ ୨୮, ୭୭୮ ଖଣ୍ଡ ଭୋଟ ପାଇଛନ୍ତି । ବିଜେପି ନିରାଶ ହୋଇଥିବା ବେଳେ କଂଗ୍ରେସ ମାଡ଼ି କାମୁଡ଼ି ପକାଇଛି । ଅପରପକ୍ଷେ କଂଗ୍ରେସର ପ୍ରଚାର ମଙ୍ଗ ଧରିଥିବା ପୂର୍ବତନ ବିଧାୟକ ଚିରଞ୍ଜୀବୀ ବିଶ୍ୱାଳ ଓ ପୂର୍ବତନ ସାଂସଦ ରଞ୍ଜିବ ବିଶ୍ୱାଳଙ୍କ ପ୍ରତି ଭୋଟରମାେନେ ମୁହଁ ମୋଡ଼ି ଦେଇଛନ୍ତି । ଉଚ୍ଚ ଶିକ୍ଷିତ ପ୍ରାର୍ଥୀ ଇଂ. ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ନିର୍ବାଚନ ମଇଦାନକୁ ଛାଡ଼ି କଂଗ୍ରେସ ଯେଉଁ ଗଣିତ ରଚିଥିଲା ତାହା ଅକାମୀ ସାବ୍ୟସ୍ତ ହୋଇଛି ।
ଏଣେ ବିଜେପି ନୂଆ ପ୍ରାର୍ଥୀ ଭାବେ ରାଜକିଶୋର ବେହେରାଙ୍କୁ ସାମ୍ନାକୁ ଆଣି ନିଜ ଗୋଡ଼ରେ କୁରାଢ଼ି ମାରିଲା ଭଳି କାମ କରିଛନ୍ତି । କାରଣ ପୂର୍ବରୁ ଦୁଇ ଥର କଂଗ୍ରେସ ଟିକେଟ୍ରୁ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ବିଧାନସଭା ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ ରାଜକିଶୋର । ଦୁଇ ଦୁଇ ଥର ପରାଜିତ ହେବା ପରେ ସେ ପ୍ରତ୍ୟକ୍ଷ ରାଜନୀତିରୁ ଅନେକ ମାତ୍ରାରେ ଦୂରେଇ ରହୁଥିଲେ । ତେବେ ନିକଟରେ ଦଳ ବଦଳ କରି ସେ ବିଜେପିରେ ମିଶି ସିଧା ସଳଖ ଟିକେଟ୍ ହାସଲ କରିଥିଲେ । ଫଳରେ ୨୦୧୯ରେ ଏଠାରୁ ପ୍ରାର୍ଥୀ ହୋଇଥିବା ରମାକାନ୍ତ ଭୋଇ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ । ତାଙ୍କର କିଛି ସମର୍ଥକ ମଧ୍ୟ ବିଜେପି ବିରୋଧରେ ପ୍ରଚାର ଆରମ୍ଭ କରି ଦେଇଥିଲେ । ଏପଟେ ଦଳ ବଦଳ କରିବା ଏବଂ ବିଜେପି ସଙ୍ଗଠନ ସହ ପ୍ରତ୍ୟକ୍ଷ ଭାବେ ମିଶିବାରେ ସମୟ ଅଭାବ ରହିବା କାରଣରୁ ରାଜକିଶୋର ଦଳୀୟ ଭୋଟ ବ୍ୟାଙ୍କ୍ ବୃଦ୍ଧି କରିବାରେ ବିଫଳ ହୋଇଥିଲେ । କେବଳ ସେତିକି ନୁହେଁ, ବିଜେପିର ଷ୍ଟାର୍ ପ୍ରଚାରକ ଭାବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ମାରାଥନ୍ ପ୍ରଚାର କରି ସ୍ଥିତିକୁ ଓଲଟପାଲଟ କରିବାକୁ ଯଥା ସମ୍ଭବ ଉଦ୍ୟମ କରିଥିଲେ ସୁଦ୍ଧା ଦଳୀୟ କାର୍ଯ୍ୟକ୍ରମ ବୁଝୁଥିବା ଆଉ କିଛି ରାଜ୍ୟ ସ୍ତରୀୟ ନେତା ଚାରିକାନ୍ଥ ଭିତରେ ଟେବୁଲ ପଲିଟିକ୍ସରେ ଅଧିକ ସମୟ ଦେଇ ଦଳ ପାଇଁ ଅଧିକ କ୍ଷତି ପହଞ୍ଚାଇଥିବା ଚର୍ଚ୍ଚାର ପରିଧିକୁ ଆସିଛି ।
ଏଥର ଉପନିର୍ବାଚନରେ ୬୯ ପ୍ରତିଶତ ମତଦାନ ହୋଇଥିଲା । ତୁଳନାତ୍ମକ ଭାବେ ଦେଖିଲେ ବିଜେଡିର ପ୍ରଦର୍ଶନ ସେତେ ଖରାପ ହୋଇନାହିଁ । କିନ୍ତୁ ରଘୁନାଥପୁର ଓ ତିର୍ତ୍ତୋଲର କିଛି ପଞ୍ଚାୟତରେ ବିଜେଡି ସଙ୍ଗଠନ ଏକ ପ୍ରକାର ଦୋହଲି ଯାଇଥିବା ସ୍ଥିତିକୁ ଚାଲି ଆସିଛି । ବିଜେଡି ଯଦିଓ ସୁବିଧାଜନକ ସ୍ଥିତିରେ ରହିଛି, ତଥାପି ବିଜୟ ବ୍ୟବଧାନ ୫୦ ହଜାର ଛୁଇଁ ନପାରିବା ପଛରେ କିଛି ନେତାଙ୍କ ଭୁଲ ଗୋଟି ଚାଳନାକୁ ଦାୟୀ କରାଯାଉଛି । ବିଶେଷକରି ଉପନିର୍ବାଚନ ପୂର୍ବରୁ ତିର୍ତ୍ତୋଲ ବ୍ଲକ୍ର ୨୧ଟି ପଞ୍ଚାୟତରେ ପଞ୍ଚାୟତ ବିଜେଡି ସଭାପତିମାନଙ୍କ ନାମ ଘୋଷଣା ପରେ ବିଦ୍ରୋହ ସୃଷ୍ଟି ହୋଇଥିଲା । ନେତୃତ୍ୱ ବିବାଦ ଦେଖାଦେବା ଦ୍ୱାରା ବିଜେଡି ସଙ୍ଗଠନ ଟଳମଳ ହୋଇଥିଲା । ହେଲେ ଦଳୀୟ ମୁଖ୍ୟ ପର୍ଯ୍ୟବେକ୍ଷକ ତଥା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଓ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ପ୍ରଶାନ୍ତ ମୁଦୁଲିଙ୍କ ରଣନୀତି ଯୋଗୁଁ ଉପୁଜିଥିବା କନ୍ଦଳ ପ୍ରଶମିତ ହୋଇପାରିଥିଲା । ଏହାବାଦ୍ ବିଶୁନ୍ପୁର ସରପଞ୍ଚ ବସନ୍ତ ମହାପାତ୍ରଙ୍କ ସଫଳ ଗୋଟି ଚାଳନାରେ ବିଭିନ୍ନ ପଞ୍ଚାୟତରେ ବିଷ୍ଣୁଙ୍କ ସଙ୍ଗଠନ ସକ୍ରିୟ ରହି ଦଳୀୟ ଭୋଟ୍କୁ ବଞ୍ଚାଇ ରଖିବାକୁ ଆପ୍ରାଣ ଉଦ୍ୟମ କରିଥିଲେ । ରଘୁନାଥପୁର ବ୍ଲକ୍ରେ ବି ଦଳକୁ ଏକତ୍ରିକରଣ କରିବାରେ ଦଳୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମାଙ୍କ ଅବଦାନ ଅତୁଳନୀୟ ରହିଥିଲା । ସେହିପରି ବିଷ୍ଣୁ ସେନାର ଅଗ୍ରଣୀ ଦୂତ ରହି ସରୋଜକାନ୍ତ ସ୍ୱାଇଁ, ଅନ୍ତର୍ଯ୍ୟାମୀ ରାଉତ, ବ୍ଲକ୍ ଅଧ୍ୟକ୍ଷା ସ୍ୱପ୍ନ ସରିତା ବଳଙ୍କ ଭଳି ଟାଣୁଆ ସଙ୍ଗଠକ କର୍ମୀମାନଙ୍କ ନିକଟତର ହୋଇ ଦଳକୁ ଶକ୍ତିଶାଳୀ କରିବାରେ କୌଣସି ହେଳା କରିନଥିଲେ । କିନ୍ତୁ କିଛି ପଞ୍ଚାୟତରେ ଭୋଟ ହାର ହ୍ରାସ ପାଇବା ପଛରେ ଦଳରେ ରହି ବିଷ୍ଣୁଙ୍କ ସଙ୍ଗଠନକୁ ବିରୋଧ କରି ଆସୁଥିବା କିଛି ନେତାଙ୍କ ଅନ୍ତର୍ଘାତୀ କାର୍ଯ୍ୟ ଯୋଗୁଁ ଏପ୍ରକାର ପରିସ୍ଥିତି ସୃଷ୍ଟି ହୋଇଥିବା ଆଲୋଚନା ପରିଧିକୁ ଆସିଛି । ଅନ୍ୟପଟେ ବିରିଡ଼ି ବ୍ଲକ୍ ଅଞ୍ଚଳରେ ସ୍ୱର୍ଗତ ବିଧାୟକ ବିଷ୍ଣୁ ଦାସଙ୍କ ଲୋକପ୍ରିୟତା କାହିଁ କେତେ ବର୍ଷ ତଳୁ ରହିଆସିଛି । ସେ ଦୃଷ୍ଟିରୁ ଦୁଇ ଗୋÂୀ ରହିଥିଲେ ସୁଦ୍ଧା ଏହି ବ୍ଲକ୍ର ଭୋଟରମାନେ ବିଷ୍ଣୁଙ୍କ ପୁଅ ବିଜୟ ଶଙ୍କରଙ୍କୁ ଭୋଟ୍ ଦେଇ ନିଜର ସ୍ନେହ ମମତାକୁ ଓଜାଡ଼ି ଦେଇଛନ୍ତି । ଫଳରେ ଏହି ବ୍ଲକ୍ରେ ବିଜେଡିକୁ ଅଧିକ ସମର୍ଥନ ମିଳିଛି । ଏହାର ଶ୍ରେୟ ଦଳୀୟ ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ଅରୁଣ ସାହୁ, ରାଜ୍ୟ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ଅମରେନ୍ଦ୍ର ଦାସଙ୍କ ଭଳି ଯୁବ ନେତୃତ୍ୱଙ୍କ ଆଡ଼କୁ ଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons