ଦାରିଙ୍ଗବାଡ଼ି, (ବି.ବି.ନୁ୍ୟଜ): ତିନିଦିନ ହେଲା କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଓ ଜି.ଉଦୟଗିରି ଅଞ୍ଚଳରେ ତୁଷାରପାତ ଜାରି ରହିଛି । ଫଳରେ ଏହି ଅଞ୍ଚଳ ଗୁଡ଼ିକ ତୁଷାର ଆବରଣରେ ରହିଥିବା ଭଳି ମନେ ହେଉଛି । ଆଜି ସକାଳୁ ଏହି ଦୁଇ ବ୍ଲକ୍ର ବିଭିନ୍ନ ସ୍ଥାନରେ ମୋଟା ଆସ୍ତରଣରେ ବରଫ ପଡ଼ିଥିବା ଦେଖିବାକୁ ମିଳିଥିଲା । ଏହାସହ ସ୍ଥାନୀୟ ଅଞ୍ଚଳରେ ଜାଡ଼ ଅନୁଭୂତ ହେଉଛି । ରବିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ତିନିଦିନ ହେବ ତୁଷାରପାତ ଜାରି ରହିବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଦାରିଙ୍ଗବାଡ଼ି ସମେତ ସିମନବାଡ଼ି, ତିଲାରୀ, ପ୍ଲିହେରୀ, ସିମନବାଡ଼ି, ଶ୍ରାନିକେତା, ବାଡ଼ାବାଙ୍ଗା, ସିକକେତା, ମଣ୍ଡବାଡ଼ି ଆଦି ଅଞ୍ଚଳରେ ପ୍ରବଳ ତୁଷାରପାତ ଦେଖିବାକୁ ମିଳିଛି । ସୋମବାର ଦାରିଙ୍ଗବାଡ଼ିର ତାପମାତ୍ରା ୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ମଙ୍ଗଳବାର ପାରଦ ୫.୫ ଡିଗ୍ରୀକୁ ଖସିଥିବା ପାଣିପାଗ ବିଭାଗ ପକ୍ଷରୁ ଜଣାପଡ଼ିଛି । କିନ୍ତୁ ଦାରିଙ୍ଗବାଡି ବ୍ଲକ୍ର ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରା ଆହୁରି କମ୍ ରହିଥିବା ଅନୁମାନ କରାଯାଉଛି । ତୁଷାରପାତ ହେବା ଫଳରେ ଦାରିଙ୍ଗବାଡ଼ିରେ ଦିନତମାମ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି । ସେଭଳି ଜି.ଉଦୟଗିରି ବ୍ଲକ୍ରେ ତିନିଦିନ ହେଲା ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି । ଅନ୍ୟପକ୍ଷେ ଦୁଇଦିନ ହେଲା ଜି.ଉଦୟଗିରି ସହରର ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି । ସହରର ଶ୍ରୀରାମପଦା, ସୁବାଷ ନଗର ଆଦି ସ୍ଥାନରେ ଥିବା ଧାନ ଖଳାରେ ତୁଷାର ପଡ଼ିଥିବା ଦେଖିବାକୁ ମିଳିଛି । ଆଜି ସକାଳୁ ଶିକ୍ଷକ ଜିତେନ୍ଦ୍ର ସାମଲ ଓ ରାଜୀବ କୁମାର ଚୌଧୁରୀ ତୁଷାରପାତ ହୋଇଥିବା ଅଞ୍ଚଳ ବୁଲି ଦେଖିଥିଲେ । ଚଳିତ ବର୍ଷର ଏହା ସବୁଠାରୁ ସର୍ବନିମ୍ନ ତାପମାତ୍ରା ହେବ ବୋଲି କହିଛନ୍ତି ।


Comments are closed, but trackbacks and pingbacks are open.