ତୋଟାରେ ମହିଳାଙ୍କୁ ନୃଶଂସ ହତ୍ୟା

Get real time updates directly on you device, subscribe now.

ପାତ୍ରପୁର, (ବି.ବି.ନୁ୍ୟଜ): ଜିରୋ ନାଇଟ୍ରେ କୁକୁଡାଖଣ୍ଡି ବ୍ଲକ୍, ଆଉ ନୂଆ ବର୍ଷର ଦ୍ୱିତୀୟ ଦିନରେ ପାତ୍ରପୁର ବ୍ଲକ୍ରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ । ପୁହୁଣ୍ଡି ଗ୍ରାମ ନିକଟ ବାହୁଦା ନଦୀ ପାଖ ତୋଟାରୁ ଶନିବାର ସକାଳେ ମିଳିଛି ଜଣେ ମହିଳାଙ୍କ ଅର୍ଦ୍ଧଉଲଗ୍ନ ଓ ରକ୍ତ ଜୁଡୁବୁଡୁ ମୃତଦେହ । ମୃତକ ହେଉଛନ୍ତି ପୁହୁଣ୍ଡା ଗ୍ରାମର ବିଜୟ ଗୌଡ଼ଙ୍କ ସ୍ତ୍ରୀ ଲକ୍ଷ୍ମୀ (୩୬) । ତାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ଧାରୁଆ ଅସ୍ତ୍ରରେ ମହିଳା ମୁଣ୍ଡ, ବେକ, କାନ୍ଧ ଆଦିକୁ ଏକାଧିକ ଚୋଟ ମରାଯାଇଛି । ଅପରପକ୍ଷରେ ଏହି ଘଟଣାରେ ଯାହାର ସମ୍ପୃକ୍ତି ନେଇ ପୁଲିସ ସନେ୍ଦହ କରୁଥିଲା ସେ ଆତ୍ମହତ୍ୟା କରିଥିବା ଜଣାଯାଇଛି । ତା ନିକଟରୁ ମିଳିଛି ଏକ ସୁଇସାଇଡ୍ ନୋଟ୍ । ଫଳରେ ଘଟଣାଟି ଚାଞ୍ଚଲ୍ୟକର ହୋଇଛି । ଜରଡ଼ା ଥାନା ପୁଲିସ ଉଭୟ ମହିଳାଙ୍କ ମୃତଦେହ ପଡିଥିବା ନଦୀ ପାଖ ତୋଟା ଓ ଘଟଣାରେ ସମ୍ପୃକ୍ତ ବୋଲି ସନେ୍ଦହ କରାଯାଉଥିବା ଯୁବକଙ୍କ ଆତ୍ମହତ୍ୟାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ତୋଟାରେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ପୁଲିସ ଛାନ୍ଭିନ୍ କରିଛି । ମୃତକଙ୍କ ସ୍ୱାମୀ ବିଜୟ ଦେଇଥିବା ଏତଲା ଅନୁଯାୟୀ ତନାଘନା ଜାରି ରହିଥିବା ଜରଡ଼ା ଥାନା ଆଇଆଇସି ମୃତୁ୍ୟଞ୍ଜୟ ସ୍ୱାଇଁ କହିଛନ୍ତି ।
ଅଭିଯୋଗ ହୋଇଛି ଯେ, ଗୁରୁବାର ଭୋର ୪ଟାରେ ଲକ୍ଷ୍ମୀ ଘର ବାରିପଟ ବାହୁଦା ନଦୀ ପଠାକୁ ଯାଇଥିଲେ । ମାତ୍ର ଦୀର୍ଘ ସମୟ ଧରି ଆଉ ଫେରିଲେ ନାହିଁ । ଘର ଲୋକ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ପାଇନଥିଲେ । ଗ୍ରାମର କିଛି ଲୋକ ନଦୀକୁ ଯାଇଥିବା ବେଳେ ତୋଟା ନିକଟରେ ମୃତଦେହ ପଡ଼ିଥିବା ଦେଖି ଖାରିଆଗୁଡ଼ା ଫାଣ୍ଡିକୁ ଖବର ଦେଇଥିଲେ । ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଶତପଥୀ ପହଞ୍ଚିଥିଲେ । ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ପଡ଼ିଥିବା ଖବର ପ୍ରଚାରିତ ହେବା ପରେ ତୋଟା ନିକଟରେ ଲୋକଙ୍କ ଭିଡ଼ ଜମିଥିଲା । ଏଏସ୍ପି ପ୍ରଶାନ୍ତ ମିଶ୍ର, ଚିକିଟି ଏସ୍ଡିପିଓ ସୁରେନ୍ଦ୍ରନାଥ ମୁର୍ମୁ ଓ ଜରଡ଼ା ଥାନା ଅଧିକାରୀ ମୃତୁ୍ୟଞ୍ଜୟ ସ୍ୱାଇଁଁ ପ୍ରମୁଖ ପହଞ୍ଚି ତଦନ୍ତ କରିଥିଲେ ।
ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ । ମୃତକଙ୍କ ସହ କେ.ନୂଅାଁଗା ଥାନା ପତିଗୋବିନ୍ଦପୁର ଗ୍ରାମର ଜଣେ ଯୁବକଙ୍କ ପ୍ରେମ ସମ୍ପର୍କ ରହିଥିବା ଗ୍ରାମରେ ଚର୍ଚ୍ଚା ହେଉଛି । ଉକ୍ତ ଯୁବକଜଣକ ପ୍ରାୟତଃ ପୁହୁଣ୍ଡି ଗ୍ରାମକୁ ଆସୁଥିବା ଗ୍ରାମବାସୀଙ୍କ ଠାରୁ ଜାଣିବାକୁ ପାଇଛି ପୁଲିସ । ତାଙ୍କୁ ସନେ୍ଦହରେ ଖୋଜାଖୋଜି କରୁଥିବା ବେଳେ ଯୁବକଙ୍କର ମୃତଦେହ ଶନିବାର ପୂର୍ବାହ୍ନରେ ପଲାସାରୁ ଉଦ୍ଧାର ହୋଇଥିବା ଜରଡ଼ା ପୁଲିସ ସୂଚନା ପାଇଛି । ମୃତଦେହକୁ ପଲାସା ଜିଆର୍ପି ଜବତ କରି ସାଥିରେ ନେଇଥିବାରୁ ପୁଲିସ ଟିମ୍ ଇଚ୍ଛାପୁର ଓ ପରେ ପଲାସାରେ ପହଞ୍ଚି ତଦନ୍ତ କରିଛି । ଯୁବକର ମୃତଦେହ ଠାରୁ ମିଳିଥିବା ଏକ ସୁଇସାଇଡ୍ ନୋଟ୍ରେ ଆମର (ଯୁବକ ଓ ଅନ୍ୟ ଜଣଙ୍କର) ମୃତୁ୍ୟ ପାଇଁ ପତିଗୋବିନ୍ଦପୁର ଗ୍ରାମର ଦୁଇ ଜଣ ଦାୟୀ ବୋଲି ଉଲ୍ଲେଖ ରହିଛି । ତେବେ ଉକ୍ତ ସୁଇସାଇଡ୍ ନୋଟ୍ ଜିଆର୍ପି ପୁଲିସ ଜରଡା ଥାନା ପୁଲିସକୁ ହସ୍ତାନ୍ତର କରିନି । ଜରଡ଼ା ଥାନାରେ ଏକ ହତ୍ୟା ମାମଲା ୨/୨୦୨୧ ରୁଜୁ ହୋଇଛି । ଆତ୍ମହତ୍ୟା କରିଥିବା ଯୁବକ କି ଅନ୍ୟ କେହି ଏହି ହତ୍ୟାକାଣ୍ଡ ଭିଆଇଛି ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ଆଇଆଇସି ମୃତୁ୍ୟଞ୍ଜୟ ସ୍ୱାଇଁ କହିଛନ୍ତ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons