
ଭଞ୍ଜନଗର,(ବି.ବି.ନୁ୍ୟଜ): ସବୁ ଦିନ ସାଙ୍ଗ ସାଥି ହୋଇ ବସୁଥିଲେ, ଖେଳୁଥିଲେ ଓ ପଢ଼ୁଥିଲେ । ଗମାତ ବି ହେଉଥିଲେ । ଆଜି କିନ୍ତୁ ସାଙ୍ଗ ସାଥିର ସୀମା ଟପିଗଲା । ସ୍କୁଲ ପରିସରରେ ଦୁଇ ସାଙ୍ଗ ମଧ୍ୟରେ ହୋଇଛି ଛୁରା ମାଡ଼ । ୧୦ ଶ୍ରେଣୀର ଜଣେ ଛାତ୍ରଙ୍କ ଛୁରା ମାଡ଼ରେ ସହପାଠୀ ଅମିତ ନାୟକ ଆହତ ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅଧୀନ ବଡ଼ବୋରସିଂ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ । ଅମିତଙ୍କୁ ଭଞ୍ଜନଗର ଡାକ୍ତରଖାନା ନିଆଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଅମିତଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି । ଛୁରା ମାଡ଼ କରିଥିବା ଛାତ୍ରଙ୍କୁ ପଚରାଉଚରା କରାଯାଉଛି । ଗାଙ୍ଗପୁର ଆଇଆଇସି ଧିରେଶ ଦାଶ ତଦନ୍ତ ଜାରି ରଖିଥିବା ସୂଚନା ଦେଇଛନ୍ତି । ସ୍କୁଲରେ ଏଭଳି ଛୁରାମାଡ଼ ଘଟକୁ ନେଇ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି ।
ଲକ୍ଡାଉନ୍ ଯୋଗୁଁ ସ୍କୁଲ ବନ୍ଦ ରହିଥିଲା । ମାତ୍ର ଆଗକୁ ପରୀକ୍ଷା ରହିଥିବାରୁ ୧୦ମ ଓ ୯ମ ଶ୍ରେଣୀ ପିଲାଙ୍କ ପାଠପଢ଼ା ହେଉଛି । ବଡ଼ବୋରସିଂ ଆଞ୍ଚଳିକ ବିଦ୍ୟାଳୟର ୧୦ମ ଶ୍ରେଣୀ ଛାତ୍ର ଅମିତ ଏବଂ ତାର ସାଙ୍ଗ ଉଭୟ ସକାଳୁ ସ୍କୁଲ ଆସି କ୍ଲାସ୍ କରିଥିଲେ । କ୍ଲାସ୍ ସରିବା ପରେ ସ୍କୁଲ ପରିସରରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଥଟ୍ଟାମଜା ଆରମ୍ଭ ହୋଇଥିଲା । ପରେ ଏହା ଉଗ୍ରରୂପ ନେଇଥିଲା । ଉତ୍କ୍ଷିପ୍ତ ହୋଇ ସାଙ୍ଗ ଜଣଙ୍କ ବ୍ୟାଗ୍ରୁ ପେପର କାଟିବା ଛୁରି ବାହାର କରି ଅମିତଙ୍କ ପେଟକୁ ଭୁସି ଦେଇଥିଲା । ଗଭୀର ଆଘାତ ଲାଗିଥିବାବେଳେ ପ୍ରବଳ ରକ୍ତସ୍ରାବ ହୋଇଛି । ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ସ୍କୁଲରେ ଉପସ୍ଥିତ ଶିକ୍ଷକମାନେ ପହଞ୍ଚିଥିଲେ । ତୁରନ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକ ସନ୍ନ୍ୟାସୀ ସାହୁଙ୍କ ସହାୟତାରେ ଅମିତକୁ ଏକ ଅଟୋରେ ଭଞ୍ଜନଗର ଡାକ୍ତରଖାନା ନିଆଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଅମିତକୁ ଏଠାରୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
ଏ ସଂପର୍କରେ ଛାତ୍ର ଅମିତଙ୍କ ବାପା ସୁଜିତ ନାୟକ ଗାଙ୍ଗପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ଧୀରେଶ ଦାଶ ସୂଚନା ଦେଇଛନ୍ତି । ଛୁରା ମାଡ଼ ସଂପର୍କରେ ସୂଚନା ପାଇ ଥାନା ଅଧିକାରୀ ବଡ଼ବୋରସିଂ ହାଇସ୍କୁଲକୁ ଯାଇ ଘଟଣାର ତଦନ୍ତ କରିଛନ୍ତି । ପରେ ସଂଧ୍ୟାରେ ହାଇସ୍କୁଲର ପ୍ରଧାନଶିକ୍ଷକ ବିଜୟ ଚନ୍ଦ୍ର ସାହୁଙ୍କ ସମେତ କିଛି ଶିକ୍ଷକ ଉପସ୍ଥିତ ରହି ଘଟଣା ସଂପର୍କରେ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ବିଦ୍ୟାଳୟ ପରିସରରେ ସମସ୍ତ ଶିକ୍ଷକଙ୍କ ଉପସ୍ଥିତିରେ ଜଣେ ଦଶମ ଶ୍ରେଣୀ ଛାତ୍ର କିଭଳି ଏତେବଡ଼ ଘଟଣା ଘଟିଗଲା ଓ ଏସଂପର୍କରେ କିଭଳି କେହି ଜାଣିପାରିଲେ ନାହିଁ ସେ ସଂପର୍କରେ ତଦନ୍ତ ଶେଷ ହେବାପରେ ହିଁ ସେ କିଛି କହିପାରିବେ ବୋଲି ଥାନା ଅଧିକାରୀ କହିଛନ୍ତି ।


Comments are closed, but trackbacks and pingbacks are open.