କୋଲକାତା/ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଡାକ୍ତରଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ଦିନକୁଦିନ ତୀବ୍ରତର ହେବାରେ ଲାଗିଛି । ମମତାଙ୍କ ଚେତାବନୀକୁ ଖାତିର ନ କରି ଡାକ୍ତରମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି । ସରକାର ଏଯାଏ କୌଣସି ସକାରାତ୍ମକ ପଦକ୍ଷେପ ନେଇନଥିବାରୁ ରାଜ୍ୟର ୩୦୦ରୁ ଅଧିକ ଡାକ୍ତର ଇସ୍ତଫା ଦେଇସାରିଲେଣି । ଏହାକୁ ନେଇ ରାଜ୍ୟରେ ରୋଗୀସେବା ବିପର୍ଯ୍ୟସ୍ତ ହେବାରେ ଲାଗିଛି ।
ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଗୁରୁବାର ଡାକ୍ତରମାନଙ୍କୁ ଚେତାବନୀ ଦେବା ପରଠାରୁ ସେମାନେ ଅଧିକ ଉତ୍ତ୍ୟକ୍ତ ହୋଇଯାଇଛନ୍ତି । କୌଣସିମତେ ସେମାନେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ସଫାସଫା କହିଛନ୍ତି । ଏମିତି କି ରାଜ୍ୟ ସରକାରଙ୍କ ନିକଟରେ ସେମାନେ ୬ଟି ସର୍ତ୍ତ ରଖିଛନ୍ତି । ମମତା ବାନାର୍ଜୀ ସେମାନଙ୍କୁ ନିଃସର୍ତ୍ତ କ୍ଷମା ମାଗନ୍ତୁ ବୋଲି ସେମାନେ ଦାବି କରିଛନ୍ତି । ଏହାକୁ ନେଇ ପରିସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି । ପଶ୍ଚିମବଙ୍ଗର ଦୁଇଜଣ କନିଷ୍ଠ ଡାକ୍ତରଙ୍କୁ ଜଣେ ମୃତ ରୋଗୀଙ୍କ ସଶ୍ଛର୍କୀୟମାନେ ମରଣାନ୍ତକ ଆକ୍ରମଣ କରିବା ପରେ ଏହି ଆନ୍ଦୋଳନ ଜାରିରହିଛି ।
ପଶ୍ଚିମବଙ୍ଗ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଦେଶବ୍ୟାପୀ ସମର୍ଥନର ସୁଅ ଛୁଟିଛି । ଗୁରୁବାର ସେମାନଙ୍କ ଆନ୍ଦୋଳନକୁ ଏମ୍ସ ରେସିଡେଣ୍ଟ ଡାକ୍ତରଙ୍କ ସମର୍ଥନ ମିଳିଥିଲା । ଶୁକ୍ରବାର ଦେଶବ୍ୟାପୀ ଧର୍ମଘଟ ଆରମ୍ଭ ହୋଇଛି । ଏହି ଦେଶବ୍ୟାପୀ ଧର୍ମଘଟରେ ମହାରାଷ୍ଟ୍ର ରେସିଡେଣ୍ଟ ଡାକ୍ତର ସଂଘ ସାମିଲ ହୋଇଛି । ହାଇଦ୍ରାବାଦର ନିଜାମ୍ସ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ ମଧ୍ୟ ବିରୋଧ ପ୍ରଦର୍ଶନ କରିଛି । ଦିଲ୍ଲୀ ମେଡିକାଲ ସଂଘ ଏବଂ ଏମ୍ସର ରେସିଡେଣ୍ଟ ଡାକ୍ତର ସଂଘ ଆଜି ଧର୍ମଘଟ ଡାକରା ଦେଇଛି । ଇତିମଧ୍ୟରେ ଏମ୍ସ ରେସିଡେଣ୍ଟ ଡାକ୍ତର ସଂଘ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କୁ ଭେଟି ଏ ପ୍ରସଙ୍ଗରେ ବ୍ୟାପକ ଆଲୋଚନା କରିଛି ।
କେନ୍ଦ୍ରମନ୍ତ୍ରୀ ହର୍ଷ ବର୍ଦ୍ଧନ ଡାକ୍ତରଙ୍କ ଏହି ଧର୍ମଘଟକୁ ଗୁରୁତ୍ୱର ସହ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ଡାକ୍ତରଙ୍କ ସମସ୍ୟା ସମାଧାନ ପରିବର୍ତ୍ତେ ମମତା ସେମାନଙ୍କୁ ଧମକଚମକ ଦେବା ଆଦୌ ଗ୍ରହଣୀୟ ନୁହେଁ । ଏହାଦ୍ୱାରା ରୋଗୀସେବା ଉପରେ ଗୁରୁତର ପ୍ରଭାବ ପଡ଼ିବ । ତେଣୁ ଏହି ପ୍ରସଙ୍ଗକୁ ସମ୍ମାନର ପ୍ରଶ୍ନ ଭାବେ ଗ୍ରହଣ ନ କରି ମମତା ତୁରନ୍ତ ଏହାର ସମାଧାନ କରନ୍ତୁ ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଆହୁରି କହିଛନ୍ତି, ଡାକ୍ତରଙ୍କୁ ସାଂଘାତିକ ଆକ୍ରମଣ ହେବା ପରେ ମଧ୍ୟ ସେମାନେ ବେଶି କିଛି ଦାବି କରିନଥିଲେ । କେବଳ ହସ୍ପିଟାଲଗୁଡ଼ିକରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଯୋଗାଇବାକୁ ଅନୁରୋଧ କରିଥିଲେ । ସେମାନଙ୍କର ଏହି ଦାବି ନ୍ୟାଯ୍ୟ । କିନ୍ତୁ ମମତା ଏଥିପ୍ରତି ଦୃଷ୍ଟି ନ ଦେଇ ସେମାନଙ୍କୁ ୪ ଘଣ୍ଟାର ଚରମବାଣୀ ଶୁଣାଇଦେଲେ । ଯଦି ମୁଖ୍ୟମନ୍ତ୍ରୀ ମମତା ତାଙ୍କ ମନୋବୃତ୍ତି ପରିବର୍ତ୍ତନ କରନ୍ତି, ତେବେ ଦେଶବ୍ୟାପୀ ରୋଗୀମାନେ ଯନ୍ତ୍ରଣାରେ ଛଟପଟ ହୁଅନ୍ତେ ନାହିଁ । ଡାକ୍ତରଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି ।
ମିଳିଥିବା ସୂଚନା ମୁତାବକ ପଶ୍ଚିମବଙ୍ଗରେ ଡାକ୍ତରଙ୍କ ମାରାଥନ୍ ଇସ୍ତଫା ଅଭିଯାନ ଜାରି ରହିଛି । ସେମାନଙ୍କୁ ସମର୍ଥନ କରି ଦିଲ୍ଲୀ, ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର ସମେତ ଅନ୍ୟ ଅଞ୍ଚଳରେ ଡାକ୍ତରମାନେ ରୋଗୀସେବା ବନ୍ଦ କରିଦେଇଛନ୍ତି । କେତେକ ସହରରେ ଡାକ୍ତରମାନେ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରୁଥିବା ବେଳେ କିଛି ଡାକ୍ତର ମୁଣ୍ଡରେ ପଟି ବାନ୍ଧି ପ୍ରତିବାଦ ଜଣାଉଛନ୍ତି । ରାଜଧାନୀ ଦିଲ୍ଲୀରେ ଦିଲ୍ଲୀ ମେଡିକାଲ ସଂଘ ଧର୍ମଘଟ ଡାକରା ଦେଇଥିବାରୁ ଏହାର ପ୍ରଭାବ ଏମ୍ସ ଭଳି ବଡ଼ ହସ୍ପିଟାଲଗୁଡ଼ିକରେ ଦେଖିବାକୁ ମିଳିଛି ।
Comments are closed, but trackbacks and pingbacks are open.