ଜୟପୁର,(ସତ୍ୟ ନାରାୟଣ ସାହୁଙ୍କଠାରୁ): ଜିଲ୍ଲାରେ ଜାରି ରହିଛି ୟୁରିଆ ସଙ୍କଟ । ଶୁକ୍ରବାର କୁମୁଲିପୁଟ, କାମତା ଲ୍ୟାମ୍ପ ଘେରାଉ ପରେ ଆଜି ସ୍ଥାନୀୟ ଆରସିଏମଏସ୍ ଘେରାଉ କରିଛନ୍ତି ଚାଷୀ । ଆବଶ୍ୟକ ମୁତାବକ ୟୁରିଆ ଯୋଗାଇ ଦେବାକୁ ଦାବି କରି ଏନଏଚ୍-୨୬ ଅବରୋଧ କରିଛନ୍ତି । କୃଷି ଅଧିକାରୀ ଏବଂ ପୁଲିସ ହସ୍ତକ୍ଷେପ ପରେ ରାସ୍ତା ଅବରୋଧ ହଟିଛି । ପ୍ରତ୍ୟେକ ଚାଷୀଙ୍କୁ ମୁଣ୍ଡ ପିଛା ୨ ବସ୍ତା ୟୁରିଆ ପ୍ରଦାନ କରାଯାଇଛି । ମଧ୍ୟାହ୍ନ ୧୨ଟାରେ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଛି ।
ଆଜି ପୂର୍ବାହ୍ନ ୧୦ଟାରେ ଶତାଧିକ ଚାଷୀ ୟୁରିଆ ନେବାକୁ ଆରସିଏମଏସ୍ ପରିସରରେ ପହଞ୍ଚିଥିଲେ । ସାର ଗଚ୍ଛିତ ନଥିବାରୁ ପ୍ରତ୍ୟେକ ଚାଷୀଙ୍କୁ ୨ ବସ୍ତା ଲେଖାଏଁ ୟୁରିଆ ଦିଆଯିବ ବୋଲି କର୍ମଚାରୀମାନେ କହିଥିଲେ । ଧାଡ଼ିରେ ଆସିଲେ ପୂର୍ବରୁ ଆବେଦନ କରିଥିବା ଚାଷୀଙ୍କୁ ସାର ପ୍ରଦାନ କରାଯିବ ବୋଲି କହିବା ପରେ ଅନ୍ୟମାନେ ଏହାକୁ ବିରୋଧ କରିଥିଲେ । ଆଜି(ଶନିବାର) ଆସିଥିବା ଚାଷୀଙ୍କୁ କେବେ ସାର ମିଳିବ ବୋଲି କେତେକ ପାଟିତୁଣ୍ଡ କରିଥିଲେ । ୨ ବସ୍ତା ଲେଖାଏଁ ସାର ଦେଲେ କେତେ ଜମିରେ ପକାଇବେ ବୋଲି ପଚାରିଥିଲେ । ଏହାକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ୨ ବସ୍ତାରୁ ଅଧିକ ସାର ଦେଇ ହେବନି ବୋଲି କର୍ମଚାରୀମାନେ କହିବା ପରେ ଚାଷୀମାନେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ । ଆରସିଏମଏସ୍ ଘେରାଉ କରିବା ସହ ଏନଏଚ୍-୨୬ ଉପରକୁ ଚାଲିଆସିଥିଲେ । ରାସ୍ତା ଉପରେ ବସି ରହି ବିଭିନ୍ନ ସ୍ଲୋଗାନ ଦେଇଥିଲେ । କୃଷି ଅଧିକାରୀମାନେ ଆସି ସମସ୍ୟା ସମାଧାନ କରନ୍ତୁ ବୋଲି ଦାବି କରିଥିଲେ । ଯଦ୍ୱାରା ଏନଏଚ୍ର ଉଭୟ କଡ଼ରେ ଶହ ଶହ ଗାଡ଼ି ମୋଟର ଅଟକି ରହିଥିଲା । ରୋଗୀ, ଆମ୍ବୁଲାନ୍ସ, ଆହାର, କ୍ଷୀର ଗାଡ଼ିକୁ ଛାଡ଼ିଦେଲେ ଅନ୍ୟ କାହାକୁ ଯିବାକୁ ଦେଇନଥିଲେ । ସଦର ଥାନା ଏସ୍ଆଇ ପ୍ରଶାନ୍ତକୁମାର ମହାନ୍ତି, ଏଏସ୍ଆଇ ରମାକାନ୍ତ ହୋତା ଏବଂ ଅନ୍ୟ କର୍ମଚାରୀ ପହଞ୍ଚି ଚାଷୀଙ୍କୁ ବୁଝାଶୁଝା କରିଥିଲେ । କୃଷି ଜିଲ୍ଲା ଅଧିକାରୀ(ଏଡିଓ) ବିଜୟକୁମାର ସୋରେନ୍, ଅତିରିକ୍ତ କୃଷି ନିଦେ୍ର୍ଧଶକ(ଏଡିଏ) ଜି. ଭେଙ୍କେଟ ରେଡ୍ଡୀ ପହଞ୍ଚି ଆରସିଏମଏସ୍ ସମ୍ପାଦକ ପ୍ରମୋଦକୁମାର ରାଉତଙ୍କ ସହ ଆଲୋଚନା କରିଥିଲେ । ବିଜେପି ନେତା ଗୌତମ ସାମନ୍ତରାୟ ଅନ୍ୟ କର୍ମୀଙ୍କ ସହ ଚାଷୀଙ୍କ ସହ ସାମିଲ ହୋଇଥିଲେ । ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ପରେ ରାସ୍ତା ଅବରୋଧ ହଟିଥିଲା ।
ଏ ସମ୍ପର୍କରେ ଏଡିଏ ଶ୍ରୀ ରେଡ୍ଡୀ କହିଛନ୍ତି, ଗତ ବର୍ଷ ଖରିଫ ଅପେକ୍ଷା ଏବର୍ଷ ୨ ହଜାର ୫୦୦ ଟନ୍ କମ୍ ୟୁରିଆ ଜିଲ୍ଲାକୁ ଆଲଟମେଣ୍ଟ କରାଯାଇଛି । ସେଥିରୁ ବିଭିନ୍ନ କମ୍ପାନି ପ୍ରାୟ ୧୦ ହାଜର ଟନ୍ ୟୁରିଆ ଯୋଗାଇ ଦେଇଛନ୍ତି । କିଛି ଦିନ ତଳେ ପହଞ୍ଚିଥିବା ୯୫୦ ଟନ୍ ଇଫ୍କୋ ୟୁରିଆରୁ ୮୦ ଟନ୍ ଆରସିଏମଏସ୍କୁ ଦିଆଯାଇଥିଲା । ବଳକା ବିଭିନ୍ନ ସରକାରୀ(ମାର୍କଫେଡ୍, ଆଗ୍ରୋ ଇଣ୍ଡଷ୍ଟ୍ରି ଏବଂ ସମବାୟ ସଂସ୍ଥା) ବିକ୍ରୟ କେନ୍ଦ୍ରକୁ ଯୋଗାଇ ଦିିଆଯାଇଥିଲା । ବିକ୍ରି ପରେ ଆରସିଏମଏସ୍ରେ ପ୍ରାୟ ୫୦୦ ବସ୍ତା ସାର ରହିଛି । ୨୪୦ ଚାଷୀ ପ୍ରାୟ ୧୫ ଶହ ବସ୍ତା ୟୁରିଆ ନେବାକୁ ଆବେଦନ କରିଛନ୍ତି । ଷ୍ଟକ୍ କମ ଥିବାରୁ ମୁଣ୍ଡ ପିଛା ୨ ବସ୍ତା ସାର ଦିଆଯାଇଛି । କେବଳ ମୁହଁରେ ଅଭିଯୋଗ ନକରି ଜିଲ୍ଲାରେ କେଉଁଠି ସାରର କଳାବଜାରୀ ହେଉଥିଲେ ଲିଖିତ ଆକାରରେ ଚାଷୀ ଦେଲେ ତୁରନ୍ତ କାର୍ଯ୍ୟାନୁÂାନ ନିଆଯିବ । ଅଧିକ ସାର ଯୋଗାଣ ଲାଗି ବିଭାଗୀୟ ନିଦେ୍ର୍ଧଶକଙ୍କୁ ଅନୁରୋଧ କରାଯାଇଛି । କିଛି ଦିନ ଭିତରେ ଆଉ ଗୋଟିଏ ରେକ୍ ୟୁରିଆ ପହଞ୍ଚିବା ସମ୍ଭାବନା ରହିଛି । ସାର ପହଞ୍ଚିଲେ ଆଉ ସମସ୍ୟା ରହିବନି ।


Comments are closed, but trackbacks and pingbacks are open.