ନୀଳଗିରି,(ବି.ବି.ନୁ୍ୟଜ୍): ଜଣେ ୨୨ ବର୍ଷୀୟା ଯୁବତୀର ସଂଘର୍ଷମୟ କାହାଣୀ କହିଲେ ନ ସରେ । ଘରର ଆର୍ଥିକ ଦୁରବସ୍ଥା ସହ ପେଟ ଚାଖଣ୍ଡ ପୂରାଇବାକୁ ଯୁବତୀ ଜଣକ ଘରୁ ଗୋଡ଼ କାଢିଥିଲେ । ପଡେ଼ାଶୀ ମହିଳା ତାଙ୍କୁ ନେଇ ଭୁବନେଶ୍ୱରରେ ରଖିଲେ । ହେଲେ ସେଠାରେ ଅକଥନୀୟ ନିର୍ଯାତନାର ଶିକାର ହେଲେ । ସହି ନପାରି ଘରକୁ ଆସିବା ପରେ ଛବିରାଣୀଙ୍କ ଦୁଃଖଦ କାହାଣୀ ଜଣାପଡ଼ିଲା । ଏଭଳି ଘଟଣା ରେମୁଣା ବ୍ଲକ ଭୂଇଁପଡ଼ା ଗ୍ରାମରେ ଦେଖିବାକୁ ମିଳିଛି । ଏହି ଗ୍ରାମର ସହଦେବ ପରିଡ଼ାଙ୍କ ଝିଅ ଛବି ରାଣୀ । ତାଙ୍କ ମା’ଙ୍କ ପରଲୋକ ପରେ ଝିଅ ଛବିରାଣୀ (୨୨)ଙ୍କୁ ସେହି ଗ୍ରାମର ମାୟାଧର ମହାପାତ୍ରଙ୍କ ସ୍ତ୍ରୀ ମିନତି ତାଙ୍କୁ ଭୁବନେଶ୍ୱର ସ୍ଥିତ କୃଷ୍ଣନଗର ନିକଟ ମଲ୍ଲୀପଡ଼ା ଅଞ୍ଚଳରେ ଜଣଙ୍କ ଘରେ ରଖି ଦେଇଥିଲେ । ବୃଢା ବାପା ଗାଁରେ ଏକୁଟିଆ ରହିଥିବା ବେଳେ ସେ ୪ ବର୍ଷ ଧରି ଭୁବନେଶ୍ୱରରେ କାମ କରୁଥିଲେ । ହେଲେ ମାଲିକଙ୍କ ସ୍ତ୍ରୀ ତାଙ୍କୁ ବାରମ୍ବାର ନିର୍ଯାତନା ଦେବା ସହ ମାଡ଼ ମାରୁଥିଲେ । ମାସକୁ ଖାଇ ପିଇ ୧୫୦୦ ଟଙ୍କା ଉପାର୍ଜିତ ଟଙ୍କା ମିନତିଙ୍କ ଆକାଉଣ୍ଟରେ ପଠାଯାଏ । ସେଥିରୁ ସେ କମିଶନ ନେଇ ଛବିଙ୍କ ବାପାକୁ ବାକିତକ ଅର୍ଥ ଦେଉଥିବା ଅଭିଯୋଗ ଉଠିଛି । ତେବେ ଛବିରାଣୀଙ୍କ ବଡ଼ବାପା ତାଙ୍କୁ ୪ ଦିନ ପୂର୍ବେ ସେଠାରୁ ଉଦ୍ଧାର କରି ଘରକୁ ଆଣିଥିଲେ । ଏ ଘଟଣା ନେସନ ପ୍ରାଇଡ୍ ବୃଦ୍ଧାଶ୍ରମର ସଭାପତି ଜନ୍ମେଞ୍ଜୟ ଶତପଥୀ ଓ ସମ୍ପାଦକ ସନ୍ତୋଷ କୁମାର ନାୟକ ଜାଣିବାକୁ ପାଇଥିଲେ । ପୀଡ଼ିତାର ସମ୍ପର୍କୀୟ ଭାଇ ସହିତ ଛବିରାଣୀଙ୍କୁ ନେଇଥିବା ମହିଳା ଜଣକ ପୀଡ଼ିତାକୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରୁ ଚିକିତ୍ସା ହୋଇ ଆସିବା ପରେ ପୀଡ଼ିତା ଖନ୍ତାପଡ଼ା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।
Comments are closed, but trackbacks and pingbacks are open.