ନୂଆପଡ଼ା,(ବି.ବି.ନୁ୍ୟଜ୍): ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ପଛପଟେ ଏକ ପରିତ୍ୟକ୍ତ କୋଠରୀ ଭିତରୁ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପୁଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲା କୋମାଖାନ ଥାନା ଉଖୁରା ଗାଁର ଦୀପକ ପାଣ୍ଡେ(୨୫) ବୋଲି ଜଣାପଡିଛି । ଶନିବାର ପୂର୍ବାହ୍ନରେ ଏସପି ବିନିତ ଅଗ୍ରୱାଲ ପହଞ୍ଚି ଅନୁସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିଲେ । ମଧ୍ୟାହ୍ନରେ ଭାବନୀପାଟଣାରୁ ସାଇଣ୍ଟିଫିଟ ଟିମ ଆସି ତଦନ୍ତ କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା କାରଣ ଅସ୍ପଷ୍ଟ ରହିଛି ।
ଖରିଆରରୋଡ ସହରର ରବି ଢବାରେ ଦୀପକ ବହୁ ଦିନ ହେଲା ୱେଟର ଭାବେ କାମ କରୁଥିଲେ । ଏବେ ଲକ୍ ଡାଉନ ଯୋଗୁଁ ଢାବା ବନ୍ଦ ରହିଛି । ଗତକାଲି ବିଳମ୍ବିତ ରାତିରେ ଦୀପକ ରବିଙ୍କ ଘରେ ଭୋଜନ କରି ଢାବାକୁ ଶୋଇବାକୁ ଯାଇଥିଲେ । ଶନିବାର ସକାଳୁ ଜୋଙ୍କ ଥାନାଠାରୁ ଶହେ ମିଟର ଦୂରରେ ପଛ ପଟେ ଏକ ପରିତ୍ୟକ୍ତ କୋଠାରେ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ଯୁବକଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରି ପୋଡି ଦେଇଥିବା ସହରରେ ଚର୍ଚ୍ଚା ହେଉଛି । ମଧ୍ୟାହ୍ନରେ ଏସପି ବିନିତ ଅଗ୍ରୱାଲ ଘଟଣା ସ୍ଥଳରେ ପହଞ୍ଚି ପଚରାଉଚରା କରିଥିଲେ । ଏସପି ଶ୍ରୀ ଅଗ୍ରୱାଲ ଘଟଣାକୁ ଗୁରୁତର ସହ ନେଇ ଅନୁସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଥିଲେ । ମୃତଦେହ ପଡିଥିବା ପରିତ୍ୟକ୍ତ କୋଠରୀ ଠାରୁ ଢାବା ମାଲିକ ରବିଙ୍କ ଘର ଶହେ ମିଟର ଦୂରରେ ରହିଛି । ଦୀପକ ନିଖୋଜ ଥିବା ନେଇ ଢାବା ମାଲିକ ପୁଲିସ ନିକଟରେ ସୂଚନା ଦେଇଥିଲେ । ପରେ ଢାବା ମାଲିକ ଓ ଦୀପକଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିଥିଲେ । ଅପରାହ୍ନରେ ଭବାନୀପଟଣାରୁ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସନ୍ଧ୍ୟା ହେବାରୁ ଆଜି ଶବ ବ୍ୟବଚ୍ଛେଦ ହୋଇ ପାରିନାହିଁ । ତେବେ ଜଣେ ଭିନ୍ନକ୍ଷମ ଛୋଟା ଯୁବକ(ଦୀପକ)ଙ୍କୁ କିଏ ଓ କାହିଁକି ହତ୍ୟା କଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତାର କାହା ସହିତ ଶତ୍ରୁତା ରହିଥିଲା କି? ଅନ୍ୟପକ୍ଷେ ଥାନା ପାଚେରୀ ଠାରୁ ୫୦ ମିଟର ଦୂରରେ ଜଣେ ଯୁବକଙ୍କୁ ହତ୍ୟା କରି ନିଅାଁରେ ପୋଡି ଦେଇଥିଲେ ବି ପୁଲିସ କେମିତି ଖବର ପାଇନଥିଲା । ଜୋଙ୍କ ଥାନା ଓ ଢାବା ମାଲିକଙ୍କ ଘର ମଝିରେ ଶହେ ମିଟର ଦୂରତା ଭିତରେ ଅପରାଧି ଯୁବକଙ୍କୁ ନିଅାଁରେ ପୋଡି ଦେଇଥିଲା । ପୁଲିସର ନାକତଳେ ଅପରାଧି ଅଘଟଣ ଘଟାଇଲା କେମିତି ? ଏଭଳି ଘଟଣାକୁ ନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ବେଳେ ଘଟଣା ରହସ୍ୟ ଘେରରେ ରହିଛି । ତେବେ ଘଟଣାର ନିରପେକ୍ଷ ତଦନ୍ତ କରି ଅପରାଧିଙ୍କୁ ଗିରଫ କରିବା ପାଇଁ ଦାବି ହେଉଛି । ଏନେଇ ଜୋଙ୍କ ଆଇଆଇସି ଅନିରୁଦ୍ଧ ମୁଦୁଲିଙ୍କୁ ପଚାରିବାରୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି କହିଛନ୍ତି ।
Comments are closed, but trackbacks and pingbacks are open.