ଥାନା ପରିସରରେ ବିସ୍ଫୋରଣ

Get real time updates directly on you device, subscribe now.

ପାଟକୁରା,(ବି.ବି.ନୁ୍ୟଜ୍): ଜବତ ବାଣଗୁଡ଼ିକୁ ନିଷ୍କ୍ରିୟ କରାଯିବା ବେଳେ ଥାନା ପରିସରରେ ଘଟିଲା ବିସ୍ଫୋରଣ । ତେବେ ଅଳ୍ପକେ ବର୍ତ୍ତିଗଲେ ପୁଲିସ କର୍ମଚାରୀ । କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ପରିସରରେ ଆଜି ଏଭଳି ଅଭାବନୀୟ ଘଟଣା ଘଟିଛି । ଏଥିରେ କାହାରି ବିଶେଷ କିଛି କ୍ଷୟକ୍ଷତି ହୋଇନଥିବା ବେଳେ ପାଟକୁରା ଗାଁର ସୁବାସ ନନ୍ଦି ନାମକ ଯୁବକ ସାମାନ୍ୟ ଆହତ ହୋଇଛନ୍ତି ।
ପାଟକୁରା ପୁଲିସର ସୂଚନା ମୁତାବକ, ଏହି ଥାନାର ପୁନ୍ଦାଳୋ ଗାଁରେ ବେଆଇନ ଭାବେ ବାଣ ତିଆରି ହେଉଥିବା ଅଭିଯୋଗ ଆସିଥିଲା । ଯାହାର ତଦନ୍ତ କରିବାକୁ ଯାଇ ୨୦୧୯ ଅକ୍ଟୋବର ୨୬ରେ ପୁଲିସ ଉକ୍ତ ଗାଁରେ ଅଚାନକ ଚଢ଼ଉ କରିଥିଲା । ବେଆଇନ ବାଣ ବିକ୍ରି କରୁଥିବା ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ବିପୁଳ ପରିମାଣର ବିସ୍ଫୋରକ, ବାଣ, କଞ୍ଚାମାଲ୍ ଜବତ କରିଥିଲା । ଏହି ବାଣ ମଧ୍ୟରେ ଥିଲା ୩୪୦ଟି ବଡ଼ ବଡ଼ ଗଡ଼ମା, ୫୦୦ ତାଳଫୋଟକା, ୨୦ କିଲୋ ବିସ୍ଫୋରକ ବାରୁଦ, ୧୦୦ ଗ୍ରାମ ଝରି ବାଣ ଓ ପ୍ରଚୁର ପରିମାଣର ବାଣ ବାରୁଦ । ଜବତ ପରେ ଏଗୁଡ଼ିକୁ ଥାନା ପରିସରରେ ଏକ ଖାତ ଖୋଳାଯାଇ ରଖାଯାଇଥିଲା । ସମୟ ସୁବିଧା ଦେଖି ତାହାକୁ ନିଷ୍କ୍ରିୟ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ଖାତରେ ପୋତା ହୋଇ ରହିଥିବା ବାଣଗୁଡ଼ିକୁ ଆଜି ନିଷ୍କ୍ରିୟ କରାଯିବା ବେଳେ ଥାନା ଆଇଆଇସି ସୁଜିତ କୁମାର ପ୍ରଧାନ ବି ଉପସ୍ଥିତ ଥିଲେ । ବାଣରେ ପାଣି ଢ଼ଳାଯାଇ ନିଷ୍କ୍ରିୟ କରାଯାଉଥିବା ସମୟରେ ଅନ୍ୟ ପୁଲିସ କର୍ମଚାରୀମାନେ କାର୍ଯ୍ୟର ଭିଡ଼ିଓଗ୍ରାଫି କରୁଥିଲେ । ବିସ୍ଫୋରକଗୁଡ଼ିକୁ ସେମାନେ ନିଷ୍କ୍ରିୟ କରି ସାରି ସେଠାରୁ ଚାଲିଯାଇଥିଲେ । ପ୍ରାୟ ୨ ଘଣ୍ଟା ପରେ ଉକ୍ତ ସ୍ଥାନରେ ଅଚାନକ ବିସ୍ଫୋରଣ ଘଟିଥିଲା । ଫଳରେ ଥାନା ନିକଟରେ କାମ କରୁଥିବା ପାଟକୁରା ଗାଁର ସୁବାସ ନନ୍ଦି ନାମକ ଯୁବକ ଆହତ ହୋଇଥିଲେ । ସୁବାସ ତାଙ୍କ ଘର ନିକଟରେ ବାଲି ସିମେଣ୍ଟ ଗୋଳାଉଥିବା ବେଳେ ବିସ୍ଫୋରଣ ସ୍ଥାନରୁ ଛିଟିକି ଆସିଥିବା ଏକ କଂକ୍ରିଟ ତାଙ୍କର ଡାହାଣ କାନ୍ଧରେ ଜୋର୍ରେ ପିଟି ହୋଇଥିଲା । ଫଳରେ ସେ ଆହତ ହୋଇଛନ୍ତି । ଆହତ ସୁବାସଙ୍କୁ ପାଟକୁରା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଛି । ତେବେ ଯଦି ବାଣ ନିଷ୍କ୍ରିୟ କରାଯାଉଥିବା ସମୟରେ ଏହି ବିସ୍ଫୋରଣ ଘଟିଥାଆନ୍ତା ତେବେ କେତେ ଜଣ ପୁଲିସ କର୍ମଚାରୀ ଯେ ମୃତାହତ ହୋଇଥାଆନ୍ତେ ସେ କଥା କିଏ କହିଥାଆନ୍ତା? ପୁଣି ବିସ୍ଫୋରକ, ବାଣ କ’ଣ ଏମିତି ଉପାୟରେ ନିଷ୍କ୍ରିୟ କରାଯାଏ ବୋଲି ସାଧାରଣରେ ପ୍ରଶ୍ନ ଉଠିଲାଣି । ଉକ୍ତ ସ୍ଥାନକୁ ପୁଲିସ ଅଥବା ଗ୍ରାମବାସୀ କେହି ଯାଇନଥିବା ହେତୁ ବଡ଼ ଅଘଟଣ ଏଡାଇ ଦିଆଯାଇଥିବା କୁହାଯାଉଛି । ପ୍ରକାଶ ଥାଉ କି, ଥାନାର ଭାରପ୍ରାପ୍ତ ଇନ୍ସପେକ୍ଟର (ଆଇଆଇସି)ଙ୍କ ବାସଗୃହଠାରୁ ମାତ୍ର ୧୫ ଫୁଟ୍ ଦୂରତାରେ ରହିଛି ସୁବାସଙ୍କ ଘର । ତେବେ ଜବତ ବାଣ କି ପ୍ରକାର ବିସ୍ଫୋରକ ଥିଲା ଯେ ନିଷ୍କ୍ରିୟ କରାଯିବାର ୨ ଘଣ୍ଟା ପରେ ବି ଏହା ବିସ୍ଫୋରଣ ହୋଇଥିଲା, ତାହାର ପରୀକ୍ଷା ପାଇଁ ସାଧାରଣରେ ଦାବି ହେଉଛି । କେନ୍ଦ୍ରାପଡ଼ା ଅଗ୍ନିଶମ ଅଧିକାରୀ ବୀରଭଦ୍ର ଟୁଡୁ କହିଛନ୍ତି, ସାଧାରଣତଃ ଥାନାଗୁଡ଼ିକରେ ଏଭଳି ଉପାୟରେ ବାଣ, ବିସ୍ଫୋରକ ନିଷ୍କ୍ରିୟ କରାଯାଇଥାଏ । ବାସ୍ତବରେ ତାହା କି ପ୍ରକାର ବିସ୍ଫୋରକ ଥିଲା ଜାଣିବା ଦରକାର ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons