
ସମ୍ବଲପୁର,(ବି.ବି.ନୁ୍ୟଜ): ପୁଣି ବିବାଦରେ ସମ୍ବଲପୁର ପୁଲିସ୍ । ଥାନା ଭିତରେ ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରି ଭଳି ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ପୁଲିସ୍ର ପାଇପ୍ ମାଡ଼ରେ ଅଭିଯୁକ୍ତଙ୍କ ପିଠି ଫାଟିଗଲା, ଗୋଡ଼ ଓ ଅଣ୍ଟାରୁ ନୋଳା ଉଠିଗଲା । କିନ୍ତୁ ଦୋଷ ଲୁଚାଇବାକୁ ପୁଲିସ୍ ଜିନ୍ସ ପ୍ୟାଣ୍ଟ ଓ ଟି ସାର୍ଟ ପିନ୍ଧାଇ କୋର୍ଟ ଚାଲାଣ କରିଦେଲା । ମାତ୍ର କୋର୍ଟ ପରିସରରେ ଅଭିଯୁକ୍ତ ଘଟଣା ନେଇ ବିଚାରପତିଙ୍କ ସମ୍ମୁଖରେ ଜଣାଇବା ପରେ ଘଟଣା ପଦାକୁ ଆସିଥିଲା । ପୁଲିସ୍ର ଥାର୍ଡ ଡିଗ୍ରିର ଶିକାର ହୋଇଥିବା ଯୁବକଜଣଙ୍କ ଟାଉନ୍ ଥାନା ଅନ୍ତର୍ଗତ ମାରୱାଡ଼ିପଡ଼ାର ମାନସ ମୁନ୍ଦ୍ରା(୨୦) । ସୋମବାର ଟାଉନ୍ ପୁଲିସ୍ ମାନସକୁ ଆଇପିଏଲ୍ ବେଟିଂ ମାମଲାରେ ଗିରଫ କରିଥିଲା । ଏହି ଘଟଣା ପରେ କୋର୍ଟ ମାନସଙ୍କ ପୁନଃ ଚିକିତ୍ସା ପାଇଁ ନିଦେ୍ର୍ଧଶ ଦେଇଥିଲେ । ପୁଲିସ୍ ସୋମବାର ଏହି ଘଟଣାରେ ଗିରଫ କରିଥିବା ଅନ୍ୟ ୩ ଅଭିଯୁକ୍ତଙ୍କୁ ଜେଲ୍ ପଠାଇଥିବା ବେଳେ ମାନସଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିବା ଜଣାପଡ଼ିଛି । ସେପଟେ, ମାନସଙ୍କ ବାପା ତାଙ୍କ ପୁଅ ସହ ହୋଇଥିବା ଅତ୍ୟାଚାରର ବିରୋଧ କରିବା ସହ ନ୍ୟାୟ ଦାବି କରିଛନ୍ତି । ଏନେଇ ସମ୍ବଲପୁର ଏସ୍ପି ବାତୁଲା ଗଙ୍ଗାଧରଙ୍କୁ ପଚାରିବାରେ, ଏ ସମ୍ପର୍କରେ ଏବେ କିଛି କହିହେବନି ବୋଲି କହିଥିଲେ ।
ମିଳିଥିବା ସୂଚନା ଅନୁସାରେ, ସମ୍ବଲପୁର ସହରରେ ଆଇପିଏଲ୍ ବେଟିଂ ଚାଲିଥିବା ନେଇ ଜଣାପଡ଼ିବା ପରେ ଗତ ୨୩ ତାରିଖ ରାତିରେ ପୁଲିସ୍ ଟାଉନ୍ ଥାନା ଅନ୍ତର୍ଗତ ବୈଦ୍ୟନାଥ ଛକରୁ ଅଇଁଠାପାଲି ଥାନା ଅଞ୍ଚଳର ଶୁଭମ୍ ସାହୁଙ୍କୁ ଗିରଫ କରିଥିଲା । ତେବେ ଶୁଭମ୍ ସହ ଥିବା ମାନସ ମୁନ୍ଦ୍ରାଙ୍କୁ ମଧ୍ୟ ପୁଲିସ୍ ଉଠେଇ ନେଇଥିଲା । କିନ୍ତୁ କୌଣସି ପ୍ରମାଣ ମିଳିନଥିବା କହି ୨୬ ତାରିଖରେ ମାନସଙ୍କୁ ପୁଲିସ୍ ଛାଡ଼ି ଦେଇଥିଲା ଓ ଶୁଭମ୍ ସହ ଅନ୍ୟଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଗତ ୨ ତାରିଖ ରାତିରେ ପୁଲିସ୍ ପୁଣିଥରେ ମାନସଙ୍କୁ ଘରୁ ଉଠେଇନେଲା । ଏହାପରେ ପୁଲିସ୍ ଗାଡ଼ିରେ ମାନସଙ୍କୁ ନେଇ ଜଣେ ଯୁବକ ଘରକୁ ଯାଇଥିଲା । ଉକ୍ତ ଘରେ ଅନ୍ୟ ଜଣେ ଅଭିଯୁକ୍ତ ସମ୍ମୁଖରେ ପୁଲିସ୍ ମାନସଙ୍କୁ ଚାପୁଡ଼ା ମାରିଥିଲା । ଏହାପରେ ତାକୁ ଥାନାର ଏକ କୋଠରିରେ ରଖି ଖୋଦ୍ ଏସ୍ପି ପାଇପ୍ ଓ ଲାଠିରେ ନିର୍ଘାତ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି । ଏହି ମାଡ଼ ଫଳରେ ମାନସଙ୍କ ପିଠି ଫାଟି ଯାଇଥିବା ବେଳେ ଅଣ୍ଟା ଓ ଗୋଡ଼ରୁ ମଧ୍ୟ ନୋଳା ଉଠିଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଛି । ଆଇପିଏଲ୍ ବେଟିଂ ଘଟଣାରେ ପୁଲିସ୍ କିଛି ଯୁବକଙ୍କୁ ଉଠାଇଥିବା ନେଇ ଗଣମାଧ୍ୟମକୁ ଖବର ମିଳିଯିବା ପରେ ପୁଲିସ୍ ତରବରିଆ ଭାବେ ସୋମବାର ରାତିରେ ମାନସ ସମେତ ୪ ଜଣଙ୍କୁ ଗିରଫ କରାଯାଇଥିବା ନେଇ ପ୍ରେସ୍ ବିବୃତି ପ୍ରଦାନ କରିଥିଲା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଏହି ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । କିନ୍ତୁ କୋର୍ଟରେ ମାନସ ତାକୁ ମାଡ଼ ମରାଯାଇଥିବା ନେଇ ଅଭିଯୋଗ କରିଥିଲେ ।
ଏହି ଘଟଣା ପରେ କୋର୍ଟ ଅଫିସ୍ ବାହାରେ ଚାପା ଉତ୍ତେଜନା ଦେଖା ଦେଇଥିବା ବେଳେ ସଦର ଏସ୍ଡିପିଓ ତପନ ମହାନ୍ତି, ଟାଉନ୍ ଥାନାଧିକାରୀ ରମେଶଚନ୍ଦ୍ର ଦୋରା ଘଟଣାସ୍ଥଳରେ ପହଞ୍ଚି ମାମଲାକୁ ରଫାଦଫା କରିବାକୁ ଚେଷ୍ଟା କରିଥିଲେ । ଗଣମାଧ୍ୟମକୁ ବିବୃତି ଦେଇ ମାନସଙ୍କ ବାପା ଗୋପାଲ ମୁନ୍ଦ୍ରା ତାଙ୍କ ପୁଅ ପ୍ରତି ଅମାନୁଷିକ ଅତ୍ୟାଚାର କରାଯାଇଥିବା ନେଇ ଅଭିଯୋଗ କରିଥିଲେ । କେବଳ ସେତିକି ନୁହେଁ ବରଂ ତାଙ୍କ ପୁଅ ଯଦି ଅପରାଧ କରିଥିଲା ତେବେ ତାକୁ କୋର୍ଟ ଚାଲାଣ ନକରି ଦୁଇ ତିନି ଦିନ ଧରି କାହିଁକି ଥାନାରେ ରଖିଲେ ଓ ମାଡ଼ ମାରିଲେ ବୋଲି ପ୍ରଶ୍ନ କରିଛନ୍ତି ।


Comments are closed, but trackbacks and pingbacks are open.