ପୁରୀ,(ବି.ବି.ନୁ୍ୟଜ): ପୁଣି ବିବାଦରେ ପୁଲିସ । ତାଳବଣିଆ ଥାନାରେ ଘଟିଛି ଅଘଟଣ । ହାଜତରେ ଜଣେ ଗିରଫ ଅଭିଯୁକ୍ତ ତଣ୍ଟି କାଟି ଆତ୍ମହତ୍ୟା ଉଦ୍ୟମ କରିଛି । ଘଟଣା ପାଇଁ ପୁଲିସ ପୁଣି ସମାଲୋଚନାର ଶିକାର ହୋଇଛି । ଆହତ ଜଣକ ହେଲା କୁମ୍ଭାରପଡା ଥାନା ଅଧୀନ ରାମଚଣ୍ଡୀ ସାହି ବାଲିକୁଦା ବସ୍ତିର ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓରଫ କାବୁ (୨୬) । ତାକୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ପୁଲିସ । ଚିକିତ୍ସା ପରେ କାବୁକୁ କୋର୍ଟ ଚାଲାଣ କରାଯାଇଛି । କିନ୍ତୁ ଗଣମାଧ୍ୟ ପ୍ରତିନିଧିଙ୍କ ଠାରୁ ଆହତକୁ ଦୂରେଇ ରଖିଛି ପୁଲିସ । ସେ ମଶାଧୂପ ଷ୍ଟାଣ୍ଡ୍ରେ ତଣ୍ଟି ଓ ହାତ କାଟି ଦେଇଥିବା ସିଟି ଡିଏସ୍ପି କ୍ଷୀରସାଗର ନାୟକ କହିଛନ୍ତି ।
ପୁଲିସ କହିଛି ଯେ, କାବୁ ଜଣେ ଭେଟେରାନ୍ ଅପରାଧୀ । ତାଳବଣିଆ ଅଞ୍ଚଳରେ ଡକାୟତି ଯୋଜନା କରୁଥିବାବେଳେ ୫ ଜଣଙ୍କ ସହ ତାକୁ ରବିବାର ଗିରଫ କରାଯାଇଥିଲା । ହାଜତରେ ଥିବାବେଳେ ସୋମବାର ସକାଳେ ଖସିଯିବାକୁ ଉଦ୍ୟମ କରିଥିଲା କାବୁ । ଶୌଚ ହେବାକୁ କହି ସେ ହାଜତରୁ ବାହାରିବା ପରେ ସେଠାରେ ଥିବା ଏକ ମଶାଧୂପ ଷ୍ଟାଣ୍ଡ ଧରି ଡୁ୍ୟଟିରେ ଥିବା ପୁଲିସ କର୍ମଚାରୀଙ୍କୁ ଧମକ ଦେଇଥିଲା । ଯଦି କେହି ତାକୁ ଧରନ୍ତି ତେବେ ତାଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲା । ତଥାପି ପୁଲିସ କର୍ମଚାରୀ ତାକୁ ରୋକିବାକୁ ଚେଷ୍ଟା କରିବାବେଳେ ସେ ନିଜ ତଣ୍ଟି କାଟିବା ଆରମ୍ଭ କରିଥିଲା । ବାମ ହାତକୁ ଏକାଧିକ ଥର କାଟିଦେବା ସହ ତଣ୍ଟିକୁ ମଧ୍ୟ କାଟି ପକାଇଥିଲା । ପରେ ପୁଲିସ ତାକୁ କାବୁ କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ଅନ୍ୟପଟେ ସେ ହାଜତ ଭିତରେ ଏଭଳି କାଣ୍ଡ କରିଥିବା କୁହାଯାଉଛି । ଯାହାକୁ ପୁଲିସ ଅସ୍ୱୀକାର କରିଛି । ଥାନାରେ ଆତ୍ମହତ୍ୟା ଉଦ୍ୟମ ଓ ପୁଲିସକୁ ଆକ୍ରମଣ କରିବା ନେଇ କାବୁ ନାଁରେ ଆଉ ଏକ ମାମଲା ରୁଜୁ କରାଯାଇଛି । ସେ ଜଣେ ପୁରୁଖା ଅପରାଧୀ ବୋଲି ପୁଲିସ ରେକର୍ଡ ଦେଖି କହିଛି । ହତ୍ୟା ମାମଲା ସହିତ ମୋଟ ୧୫ଟି ମାମଲାରେ ଜଡିତ । ସେଥିରୁ କୁମ୍ଭାରପଡା ଥାନାରେ ୧୩ଟି ଓ ତାଳବଣିଆ ଥାନାରେ ୨ଟି ମାମଲା ରହିଛି ।


Comments are closed, but trackbacks and pingbacks are open.