ଦନ୍ତା ଦଳିଦେଲା: ଜଣେ ମୃତ, ଜଣେ ଗୁରୁତର

Get real time updates directly on you device, subscribe now.

ଚିକିଟି,(ବି.ବି.ନୁ୍ୟଜ): ଗଞ୍ଜାମ ଚିକିଟି ଅଞ୍ଚଳରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି । ଗତ ରାତିରେ ଏକ ଅଭାବନୀୟ ଓ ଦୁଃଖଦ ଘଟଣା ଘଟିଛି । ରାତି ପ୍ରାୟ ଗୋଟାଏବେଳେ ଗାଁ ନିକଟରେ ହାତୀ ଥିବା ଜାଣିପାରି ଜଗନ୍ନାଥସାଗରବାସୀ ଯାଇଥିଲେ ଦେଖିବାକୁ । ହାତୀପଲରୁ ଗୋଟିଏ ଦନ୍ତା ଅଲଗା ହୋଇ ଗ୍ରାମବାସୀଙ୍କୁ ଗୋଡ଼ାଇଥିଲା । ସମସ୍ତେ ଦୌଡ଼ି ପଳାଇଥିବାବେଳେ ଦୁଇ ଜଣ ଦନ୍ତା ହାବୁଡ଼ରେ ପଡ଼ିଥିଲେ । ଦୁଇ ଜଣଙ୍କୁ ଟେକି କଚାଡ଼ି ଦେବାସହ ଦଳି ଦେଇଥିଲା । ଜଣଙ୍କ ଘଟଣାସ୍ଥଳରେ ମୃତୁ୍ୟ ହୋଇଛି । ମୃତକ ଜଗନ୍ନାଥ ସାଗର ଗ୍ରାମର ବୃନ୍ଦାବନ ବିନ୍ଧାଣି(୫୭) । ଗୁରୁତର ବାବୁଲି ବିନ୍ଧାଣିଙ୍କୁ(୪୫) ଉଦ୍ଧାର କରାଯାଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ନିଆଯାଇଛି ।
ଡିଏଫଓ ଅମ୍ଲାନ ନାୟକଙ୍କ ସୂଚନା ଅନୁଯାୟୀ, କିଛି ଦିନ ହେଲା ଚିକିଟି ଅଞ୍ଚଳରେ ୧୫ଟିକିଆ ହାତୀ ପଲ ରହିଛନ୍ତି । ବନବିଭାଗ ସେମାନଙ୍କ ଉପରେ ନଜର ରଖିବା ସହ ଉତ୍ସାହୀ ଯୁବ ଚାଷୀ ସଂଗ୍ରାମ କେଶରୀ ରାଉତ ଏବଂ ଅନ୍ୟମାନଙ୍କ ସହାୟତାରେ ହାତୀ ଘଉଡ଼ାଇବା ଜାରି ରଖିଥିଲେ । ପୂର୍ବରୁ ଜଙ୍ଗଲ ପାଖା ପାଖି ଗ୍ରାମବାସୀଙ୍କୁ ରାତିରେ ନ ବାହାରିବାକୁ କୁହାଯିବା ସହ ବିଦୁ୍ୟତ କାଟ କରାଯାଉଛି । ହାତୀପଲ ଜଗନ୍ନାଥ ସାଗର ମୁହାଁ ହେବା ଜାଣି ରାମଚନ୍ଦ୍ରପୁର ପଞ୍ଚାୟତ ଚାନ୍ଦପୁର ଗ୍ରାମବାସୀ ଦେଖିବାକୁ ଯାଇଥିବାବେଳେ ବନ ବିଭାଗ ତରଫରୁ ବାରଣ କରାଯାଇଥିଲା । ଅନ୍ୟପକ୍ଷରେ ବନବିଭାଗ ବାରଣ ସତ୍ତେ୍ୱ ଜଗନ୍ନାଥସାଗରବାସୀ ହାତୀ ଦେଖିବାକୁ ରାତିରେ ଯାଇଥିଲେ । ୧୫ ଟିକିଆ ହାତୀପଲ ମଧ୍ୟରୁ ଦନ୍ତା ହାତୀଟି ଅଲଗା ହୋଇଯାଇଥିଲା । ଜଗନ୍ନାଥ ସାଗର ହିଡ଼ରେ ଦନ୍ତାଟି ଯିବା ସମୟରେ ବାକି ୪ଟି ଛୁଆ ଏବଂ ୧୦ ମାଈ ହାତୀ ବିପରୀତ ଦିଗକୁ ଚାଲି ଯାଇଥିଲେ । ପଲରୁ ଅଲଗା ହୋଇଯାଇଥିବା ଦନ୍ତାଟି ଗୋଡ଼ାଇବାରୁ ଗ୍ରାମବାସୀ ଦୌଡ଼ ପଳାଇଥିଲେ । ମାତ୍ର ବୃନ୍ଦାବନ ଓ ବାବୁଲି ଦନ୍ତା ହାବୁଡ଼ରେ ପଡ଼ିଯାଇଥିଲେ । ବୃନ୍ଦାବନଙ୍କ ମୁଣ୍ଡକୁ ଦଳି ଦେଇଥିବାବେଳେ ପ୍ରବଳ ରକ୍ତସ୍ରାବ ହୋଇ ଘଟଣାସ୍ଥଳରେ ମୃତୁ୍ୟ ହୋଇଛି । ସେହିପରି ବାବୁଲିଙ୍କୁ ଟେକି କଚାଡ଼ି ଦେବା ସହ ଗୋଡ଼କୁ ହାତୀ ଦଳି ଦେବାରୁ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସରେ ବ୍ରହ୍ମପୁର ବଡ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି ।
ପୂର୍ବରୁ ହାତୀପଲ ବଡ଼ ବରଙ୍ଗାର ଭୀମସେନ ପାଣିଗ୍ରାହୀଙ୍କ ୩ ଭରଣ ଧାନ ବିଲ ଦଳି ଚକଟି ନଷ୍ଟ କରିଦେଇଛି । କମାଗାଁ, ପାରସମ୍ବା, ଖାରଧାର, କାଟିଲିଙ୍ଗୀ, ମେଟା ଗାଁ ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ସେଠାରୁ ୧୪ ଟିକିଆ ହାତୀପଲ ଆସି ସୁବର୍ଣ୍ଣପୁର ଦକ୍ଷିଣ କବାଟ ବନ୍ଧ ନିକଟରେ ରହିଛନ୍ତି । ବନ ବିଭାଗ ସେମାନଙ୍କୁ ଘଉଡ଼ାଇ ଜଙ୍ଗଲକୁ ଛାଡିବାକୁ ଚେଷ୍ଟା କରି ନାକେଦମ ହୋଇଛନ୍ତି । ଦନ୍ତା ହାତୀଟି ଜଗନ୍ନାଥସାଗର ଗ୍ରାମ ନିକଟ ତୋଟାରେ ରହିଛି । ଏନେଇ ତୋଟା ନିକଟରେ ରହୁଥିବା ଗ୍ରାମବାସୀ ଭୟଭୀତ ହୋଇରହିଛନ୍ତି । ଡିଏଫଓ ଅମ୍ଳାନ ନାୟକ, ରେଞ୍ଜର କାହ୍ନୁ ଚରଣ ପଟ୍ଟନାୟକଙ୍କ ସମେତ ଡିଭିଜନ ଟିମ, ମୋବାଇଲ ଟିମ୍, ଫରେଷ୍ଟର ଏବଂ ଗାର୍ଡ ପ୍ରମୁଖ ଅଞ୍ଚଳରେ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି । ବନ ବିଭାଗ ତରଫରୁ ମୃତକଙ୍କ ପରିବାରକୁ ୧୦ ହଜାର ଏବଂ ଆହତଙ୍କ ପରିବାରଙ୍କୁ ୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons