ଭୁବନେଶ୍ୱର, (ବି.ବି.ବୁ୍ୟରୋ): କାର୍ୟ୍ୟ ଦିବସ ସଂଖ୍ୟା ଥିଲା ୪୦ । ଡିସେମ୍ବର ୩୧ ଯାଏ ବିଧାନସଭାର ଶୀତ ଅଧିବେଶନ ଚାଲିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମାତ୍ର ଆଜି ଅଧିବେଶନର ୧୦ମ ଦିନରେ ଶେଷ ହୋଇଛି ଶୀତ ଅଧିବେଶନ । ବାଚସ୍ପତି ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି । ଆଜି (ରବିବାର) ବିଜେପି କିନ୍ତୁ ନିଜ ଜିଦରେ ଅଟଳ ରହି ଗୃହରେ ହଙ୍ଗାମା ଜାରି ରଖିଥିଲା । ‘ପରୀ’ ହତ୍ୟାକାଣ୍ଡରେ ମନ୍ତ୍ରୀ ଡ. ଅରୁଣ ସାହୁଙ୍କ ସଂପୃକ୍ତି ଅଭିଯୋଗ ଆଣି ତାଙ୍କ ବହିଷ୍କାର ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲା । ବାଚସ୍ପତିଙ୍କ ଆସନ ନିକଟରେ ଦଳର ସଦସ୍ୟମାନେ ସ୍ଲୋଗାନ ଛାଡ଼ିବା ସହ ବାଚସ୍ପତିଙ୍କ ଟେବୁଲ ଉପରକୁ ଚଢ଼ିବାକୁ ଉଦ୍ୟମ କରିଥିଲେ । ବିଜେପିର ପ୍ରତିବାଦକୁ କର୍ଣ୍ଣପାତ ନକରି ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହେବାରୁ ସଭ୍ୟମାନେ ବାଚସ୍ପତିଙ୍କ ଟେବୁଲ ଉପରକୁ ବ୍ୟାନର ଫିଙ୍ଗିବା ସହ ହରିବୋଲ ଧ୍ୱନି ଦେଇ କକ୍ଷତ୍ୟାଗ କରିଥିଲେ ।
ଗୃହର ବାତାବରଣ କହୁଥିଲା ଆଜି ବିଧାନସଭା ବନ୍ଦ ହେବ । ଗତ ୪ ଦିନ ହେବ ବିଜେପି ସଭ୍ୟଙ୍କ ହଟ୍ଟଗୋଳ ସରକାରଙ୍କୁ ଅସ୍ତବ୍ୟସ୍ତ କରିଥିଲା । ତେଣୁ ସରକାର ବ୍ୟୟ ମଞ୍ଜୁରୀ ବିଲ୍ ପାରିତ କରି ଗୃହକୁ ମୁଲତବି ରଖିବା ନିଷ୍ପତ୍ତି ନେଇଥିଲେ । ଆଜି ଅପରାହ୍ନ ଅଧିବେଶନରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସରକାରୀ କାର୍ୟ୍ୟଦିବସ ନଥିବା ଦର୍ଶାଇ ଗୃହକୁ ବନ୍ଦ କରିବାକୁ ପ୍ରସ୍ତାବ ଆଣିଥିଲେ । ସରକାରୀ ଦଳ ବିଧାୟକ ଅମର ପ୍ରସାଦ ଶତପଥୀ ଏହାକୁ ସମର୍ଥନ କରି କହିଥିଲେ ଯେ ରାଜ୍ୟ ସରକାର କୋଭିଡ୍ ଭଳି ମହାମାରୀ ସମୟରେ ରାଜ୍ୟବାସୀଙ୍କ ଲାଗି ଯେଉଁ ଅତିରିକ୍ତ ବ୍ୟୟ ମଞ୍ଜୁରି ବିଲ୍ ଆଣିଛନ୍ତି ତାହା ସ୍ୱାଗତଯୋଗ୍ୟ । ଏହାଦ୍ୱାରା ସରକାର ରାଜ୍ୟବାସୀଙ୍କ ଜୀବନ ଜୀବିକାକୁ ଅଧିକ ତ୍ୱରାନ୍ୱିତ କରିପାରିବେ । ଏହାକୁ ସମର୍ଥନ କରି ବିଧାୟକ ଅଶ୍ୱିନୀ ପାତ୍ର ଓ ପ୍ରୀତିରଞ୍ଜନ ଘଡ଼ାଇ କହିଥିଲେ ଯେ ଗୃହରେ ଆଉ କାର୍ୟ୍ୟ ନଥିବାରୁ ଜନସାଧାରଣଙ୍କ ଅର୍ଥକୁ ଅପବ୍ୟୟ ନକରି ଗୃହକୁ ମୁଲତବି କରାଯାଉ ।
କଂଗ୍ରେସର ବରିÂ ସଦସ୍ୟ ତାରାପ୍ରସାଦ ବାହିନୀପତି କହିଲେ ଯେ ରାଜ୍ୟରେ ଖଣି ଦୁର୍ନୀତିଠାରୁ ଆରମ୍ଭ କରି ଚାଷୀ ଓ ବେକାରୀଙ୍କ ସମସ୍ୟା ଭଳି ବହୁ ପ୍ରସଙ୍ଗ ରହିଛି । ସରକାର ଜାଣିଶୁଣି ବିରୋଧୀଙ୍କୁ ସମ୍ମୁଖୀନ କରିପାରିବେ ନାହିଁ ବୋଲି ଗୃହକୁ ଅଧାରୁ ବନ୍ଦ କରୁଛନ୍ତି । ସରକାର ବିରୋଧୀଙ୍କୁ ବିଶ୍ୱାସକୁ ନେଉ ନାହାନ୍ତି । ସେହିପରି ସଦସ୍ୟ ସୁରେଶ କୁମାର ରାଉତରାୟ ସରକାରଙ୍କ ଏହି ପଳାୟନପନ୍ଥୀ ନୀତିକୁ ଘୋର ସମାଲୋଚନା କରିଥିଲେ ।
ଅନ୍ୟପକ୍ଷରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଲେ ଯେ ରାଜ୍ୟରେ ଏବେ ଶୀତ ବଢ଼ିବାକୁ ଯାଉଛି । କୋଭିଡ ମହାମାରୀ ବଢ଼ିବାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଯେଉଁ ଗୃହ ମୁଲତବି ପ୍ରସ୍ତାବ ଆସିଛି ତାହା ସ୍ୱାଗତଯୋଗ୍ୟ । ବାଚସ୍ପତି ଡ.ସୂର୍ୟ୍ୟ ନାରାୟଣ ପାତ୍ର ଗୃହରେ ସରକାରୀ କାର୍ୟ୍ୟ ନଥିବା ଦର୍ଶାଇ ଗୃହକୁ ଅନିର୍ଦ୍ଧିଷ୍ଟକାଳ ପାଇଁ ମୁଲତବି ଘୋଷଣା କରିଥିଲେ । ଏହା ପୂର୍ବରୁ ବିଜେପି ଦଳର ସଦସ୍ୟମାନେ ତାଙ୍କ ଦାବି ପୂରଣ ନହେବାରୁ ସରକାରଙ୍କୁ ବିରୋଧ କରି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ବସି ଧାରଣା ଦେଇଥିଲେ । ଗୃହ ଭିତରେ ବାଚସ୍ପତି ଏ ପ୍ରସଙ୍ଗରେ କୌଣସି ନିଦେ୍ର୍ଧଶ ନଦେବାରୁ ବ୍ୟାନର ଫୋଫାଡି ହରିବୋଲ ଧ୍ୱନି ଦେଇଥିଲେ । ହରିବୋଲ ଧ୍ୱନିରେ ଗୃହ କମ୍ପିଥିଲା । ସରକାରଙ୍କ କାର୍ୟ୍ୟରେ ଅସନ୍ତୁଷ୍ଟ ହୋଇ ସେମାନେ କକ୍ଷତ୍ୟାଗ କରିଥିଲେ ।
ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ପ୍ରସ୍ତାବ ଆଣି କହିଥିଲେ ଯେ କରୋନା ମହାମାରୀ ସତ୍ୱେ ଏହି ଶୀତକାଳୀନ ଅଧିବେଶନଟି ଶାନ୍ତି ଶୃଙ୍ଖଳାର ସହ ଚାଲିଥିଲା । ଗୃହରେ ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହୋଇଛି । ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉପରେ ବହୁ ସମୟ ଧରି ସରକାରୀ ଓ ବିରୋଧୀଙ୍କ ମଧ୍ୟରେ ଚର୍ଚ୍ଚା ହୋଇଛି । ତେଣୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଶାସକ ଦଳ, ବିରୋଧୀ ଦଳର ସଭ୍ୟ, ବିଧାନସଭା ସଚିବାଳୟ କର୍ମଚାରୀ, ଗଣମାଧ୍ୟମ ଓ ସୁରକ୍ଷା କର୍ମଚାରୀମାନେ ଏହି ଅଧିବେଶନକୁ ସଫଳ କରିଥିବାରୁ ଧନ୍ୟବାଦ ଜଣାଇଥିଲେ ।
ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ ଯେ ଏହି ଅଧିବେଶନ ସ୍ୱଳ୍ପ ଦିନର ହୋଇଥିଲେ ମଧ୍ୟ ବେଶ ସଫଳ ହୋଇଛି । ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । କରୋନା ଭୟ ମଧ୍ୟରେ ବି ଗଣମାଧ୍ୟମ ପ୍ରତିନିଧିମାନେ କଷ୍ଟ ସହି ବିଧାନସଭାର ଖବର ଜନସାଧାରଣଙ୍କ ପାଖରେ ପହଞ୍ଚାଇଛନ୍ତି । ଏଥିପାଇଁ ସେମାନେ ଧନ୍ୟବାଦର ପାତ୍ର ।
ବାଚସ୍ପତି ଶ୍ରୀ ପାତ୍ର କହିଥିଲେ ଯେ କୋଭିଡ ମହାମାରୀରେ ଗୃହକାର୍ୟ୍ୟ କିଭଳି ଚାଲିବ ତାକୁ ନେଇ ବିଧାନସଭା ପକ୍ଷରୁ ଗୃହ ପରିସରରେ ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ପିନ୍ଧିବା ଲାଗି ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଥିଲା । ପ୍ରଶ୍ନକାଳକୁ ବାତିଲ କରାଯିବା ସହିତ ଅଣତାରକା ପ୍ରଶ୍ନ ସଦସ୍ୟଙ୍କଠାରୁ ଲୋଡାଯାଇଥିଲା । ତେବେ ସେ ଯାହା ହେଉ ୧୦ଦିନ ମଧ୍ୟରେ ରାଜ୍ୟର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବା ସହିତ ସରକାରଙ୍କ ଅତିରିକ୍ତ ଖର୍ଚ୍ଚ ଦାବି ଓ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ ହୋଇପାରିଛି । ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ବିରୋଧୀଦଳ ନେତା, ସବୁ ମନ୍ତ୍ରୀ, କଂଗ୍ରେସ ବିଧାୟକ ଦଳ ନେତା ଓ ସମସ୍ତ ସଦସ୍ୟଙ୍କୁ ଶ୍ରୀ ପାତ୍ର ଧନ୍ୟବାଦ ଜଣାଇଥିଲେ । ଏହାପରେ ବନେ୍ଦ ଉ+ଳ ଜନନୀ ସଂଗୀତ ଗାନ କରାଯାଇଥିଲା ।
ଉଲ୍ଲେଖଯୋଗ୍ୟ, ଏ ଅଧିବେଶନର ୧୦ ଦିନ ମଧ୍ୟରୁ ୫ଟି ସରକାରୀ କାର୍ୟ୍ୟ ଦିବସ ଥିଲା ବେଳେ ଗୋଟିଏ ଥିଲା ବେସରକାରୀ କାର୍ୟ୍ୟ ଦିବସ । ୧୩୩୨ ଅଣତାରକା ପ୍ରଶ୍ନ ମିଳିଥିଲା ବେଳେ ୧୧୯୨ଟିର ଉତ୍ତର ଉପସ୍ଥାପିତ ହୋଇଥିଲା । ଦୁଇଟି ମୁଲତବି ଓ ଗୋଟିଏ ସଂକଳ୍ପ ଆଲୋଚନା ହୋଇଥିଲା । ୭ଟି ସରକାରୀ ବିଲ୍ ପାରିତ ହୋଇଥିଲା ବେଳେ ୩ଟି ଅଧ୍ୟାଦେଶ ଉପସ୍ଥାପନ ହୋଇଥିଲା । ସରକାରଙ୍କ ପକ୍ଷରୁ ୩ଟି ବିବୃତ୍ତିି ପ୍ରଦାନ ସହ ୪ଟି ବାର୍ଷିକ ରିପୋର୍ଟ ମଧ୍ୟ ଗୃହରେ ଆସିଥିଲା । କୋଭିଡ ଟେଷ୍ଟ ସହ କରୋନା କଟକଣା ମଧ୍ୟରେ ଗୃହକାର୍ୟ୍ୟ ଚାଲିଥିଲା । ରବିବାର ମଧ୍ୟ ଗୃହ କାର୍ୟ୍ୟ ଅନୁÂିତ ହୋଇଥିଲା ।
Comments are closed, but trackbacks and pingbacks are open.