ଲୋଇସିଂହା,(ବି.ବି.ନ୍ୟୁଜ୍): ଛାତଘର ତିଆରି କଲେ ସପରିବାରର ମୃତ୍ୟୁ ହୁଏ । କଥାଟା ଶୁଣିବାକୁ ଯେତିିକିି ଆଶ୍ଚର୍ଯ୍ୟଜନକ ସେତିକି କୌତୁହଳପ୍ରଦ ମଧ୍ୟ । ଏଭଳି ବିଶ୍ୱାସରେ ଶହଶହ ବର୍ଷ ଧରି ଗ୍ରାମବାସୀ ବଞ୍ଚି ଆସୁଥିଲେ । ଖାସ ସେଇଥିପାଇଁ ଆଜି ପର୍ଯ୍ୟନ୍ତ ଗାଁର କାହାରି ଘରେ ଛାତପଡ଼ିନି । ଏପରିକି ଆବାସ ଯୋଜନାରେ ପାଇଥିବା ଘର ମଧ୍ୟ ଛାତ ନପଡ଼ି ଆଜବେଷ୍ଟସ୍ କିମ୍ବା ଖପର ଛାଉଣୀ ହୋଇଛି । ପୂର୍ବରୁ ଏନେଇ ପ୍ରଶାସନ ପକ୍ଷରୁ ସଚେତନ କରାଯାଇଥିଲେ ବି କିଛି ସୁଫଳ ମିଳିନଥିଲା । ଏବେ କିନ୍ତୁ ଜ୍ୟୋତିଷଙ୍କ ଗଣନା ଓ ପୂଜାପାଠ ପରେ ଛାତଘର ନିର୍ମାଣ କରିବାକୁ ମନସ୍ଥ କରିଛନ୍ତି ଗ୍ରାମବାସୀ । ଆଜି ଗ୍ରାମବାସୀ ବିଡିଓଙ୍କୁ ଭେଟି ଛାତଘର ନିର୍ମାଣ ଲାଗି ସମ୍ମତି ଜଣାଇଛନ୍ତି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକର ଦାଣ୍ଡପାଣି ଗ୍ରାମବାସୀ ।
ଲୋଇସିଂହା ବ୍ଲକ ରତାଖଣ୍ଡି ନିକଟରେ ରହିଛି ଦାଣ୍ଡପାଣି ଗାଁ । ଏଠାରେ ପ୍ରାୟ ୬ଶହ ଲୋକ ବସବାସ କରନ୍ତି । ଏହି ଗାଁର ୨ ଟି ପରିବାରକୁ ବାଦ ଦେଲେ ସମସ୍ତେ ଆଦିବାସୀ ସଂପ୍ରଦାୟର । ଗାଁର ଜଣେ ବୟୋଜ୍ୟୋଷ୍ଠ ବ୍ୟକ୍ତି ଶୁକ୍ର ବରିହାଙ୍କ କହିବା ଅନୁଯାୟୀ ଗାଁର ଇଷ୍ଟଦେବୀ ଭାବେ ବିଅଁର ପଲିଏନ ଓ ଭୀମବୁଢ଼ା ଶହଶହ ବର୍ଷ ପୂର୍ବରୁ ପୂଜା ପାଇଆସୁଛନ୍ତି । ତାଙ୍କ ନିର୍ଦ୍ଦେଶରେ ଗାଁରେ କେହି ଛାତଘର କରିନାହାନ୍ତି । ଯାହାକି ଅଦ୍ୟାବଧି ଲୋକେ ପାଳନ କରୁଛନ୍ତି । ଗାଁ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛାତଘର ହୋଇଥିବା ବେେଳେ ବାକି ସମସ୍ତ ଘର ନଡ଼ା ଛପରରେ ତିଆରି । ୨୦ ବର୍ଷ ପୂର୍ବେ ଗାଁର ଜଣେ ଜ୍ୱାଇଁ ପୁଅ ଗ୍ରାମବାସୀଙ୍କ ବାରଣ ସତ୍ତେ୍ୱ ଛାତ ଘର ତିଆରି କରିଥିଲେ । ଫଳରେ ତାଙ୍କ ପରିବାରର ଜଣେ ପରେ ଜଣେ ଏପରିକି ଚାରି ଜଣଙ୍କ ମୃତ୍ୟୁ ହୋଇଥିଲା । ଶେଷରେ ସେହି ଘରଭାଙ୍ଗି ତାଙ୍କ ପରିବାର ଗାଁ ଛାଡ଼ି ଚାଲିଯାଇଥିଲେ । ସେହିଦିନରୁ ଗ୍ରାମବାସୀଙ୍କ ମନରେ ଭୟ ସୃଷ୍ଟି ହେବା ସହ ଛାତ ଘର ତିଆରିକୁ ଇଚ୍ଛା ଥିଲେ ସୁଦ୍ଧା ସାହସ ଜୁଟାଇପାରୁନାହାନ୍ତି । ଫଳରେ ସରକାରଙ୍କ ଆବାସ ଯୋଜନାରେ ମିଳୁଥିବା ଘରଗୁଡ଼ିକ ଛପର ଓ ଆଜବେଷ୍ଟସ୍ ଲଗାଇଥିଲେ । ଏଣୁ ତାଙ୍କ ବିଲ୍ ବକେୟା ରହୁଥିଲା । ଏନେଇ ଗତ ୨୦୧୮ରେ ‘ପ୍ରମେୟ’ରେ ଖବର ପ୍ରକାଶିତ ହୋଇଥିଲା । ପରେ ବଲାଙ୍ଗୀର ଉପଜିଲ୍ଲାପାଳ ଉକ୍ତ ଗ୍ରାମକୁ ଯାଇ ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ । ହେଲେ କିଛି ସୁଫଳ ମିଳିନଥିଲା ।
Comments are closed, but trackbacks and pingbacks are open.