ନୂଆପଡ଼ା,(ବି.ବି.ନୁ୍ୟଜ୍): କଳାହାଣ୍ଡି ପରେ ଏବେ ନୂଆପଡ଼ା ଜିଲ୍ଲାରେ ଦାଦନ ଦଲାଲର ବର୍ବର ନିର୍ଯାତନା ଘଟଣା ସାମ୍ନାକୁ ଆସିଛି । ପଶୁତ୍ୱର ସବୁ ସୀମା ଟପି ଶ୍ରମିକଙ୍କ ହାତର ପାପୁଲି ଓ ଗୋଡ଼ର ପାଦ କାଟି ସବୁଦିନ ପାଇଁ ପଙ୍ଗୁ କରି ଦେଇଛି ଦାଦନ ଦଲାଲ । ଦଲାଲର ହିଂସ୍ରତାର ଶିକାର ହୋଇଥିବା ଦାଦନ ଜଣକ ହେଲେ କୋମନା ବ୍ଲକ ଟିକ୍ରାପଡ଼ା ପହରିଆପଡ଼ାର ଚମରୁ ପହରିଆ(୬୦) । କିଛିମାସ ପୂର୍ବେ ସେ ମହାରାଷ୍ଟ୍ରର ନାଗପୁରକୁ ଦାଦନ ଖଟିବାକୁ ଯାଇଥିଲେ । ହେଲେ କାମର ପାଉଣା ଦାବି କରିବା ଯୋଗୁଁ ଦଲାଲମାନେ ତାଙ୍କୁ ସବୁ ଦିନ ପାଇଁ ପଙ୍ଗୁ କରି ଦେଇଥିବା ଜଣାପଡ଼ିଛି । ପୂର୍ବରୁ କଳାହାଣ୍ଡି ଜିଲ୍ଲାରେ ବି ଦାଦନ ଦଲାଲ ଦୁଇଜଣ ଶ୍ରମିକଙ୍କ ହାତର ପାପୁଲି କାଟି ଦେଇଥିଲେ । ସେଥିମଧ୍ୟରୁ ଜଣଙ୍କ ମୃତୁ୍ୟ ହୋଇ ସାରିଥିବାବେଳେ ଅନ୍ୟ ଜଣେ ପଙ୍ଗୁ ଭାବେ ଜୀବନ କାଟୁଛନ୍ତି ।

ଗାଁରେ କାମଧନ୍ଦାର ଅଭାବ ହେତୁ ଏକ ମାତ୍ର ପୁଅ ତୁଲାରାମ ପହରିଆ(୨୮), ପୁତ୍ରବଧୂ ଜଲେଶ୍ୱରୀ(୨୨), ନାତୁଣୀ ଦିବ୍ୟାଙ୍କୁ ଛାଡ଼ି ଚମରୁ ରୋଜଗାର ସକାଶେ ଗତ ଜୁଲାଇ ମାସରେ ନାଗପୁର ଅଭିମୁଖେ ଯାଇଥିଲେ । ଭାବିଥିଲେ ଦୁଇପଇସା ରୋଜଗାର ହେଲେ ଅନ୍ତତଃ ପରିବାରର ପେଟକୁ ଦିଓଳି ଦୁଇମୁଠା ଦାନା ଯୋଗାଡ଼ କରିପାରିବେ । ହେଲେ ଅର୍ଥ ଉପାର୍ଜନ ତ ଦୂରର କଥା ନିଜେ ଏବେ ପଙ୍ଗୁ ହୋଇ ପର ଆଶ୍ରାରେ ବଞ୍ଚି ରହିଛନ୍ତି ।
ଗାଁର ଡୋଲା ସତନାମୀ ଓ ବିଦେଶୀ ସୁନାନୀଙ୍କ ସହ ଦାଦନ ଖଟି ଯିବାକୁ ଚମରୁ ସ୍ଥିର କରିଥିଲେ । ଜୁଲାଇ ଶେଷ ସପ୍ତାହରେ ଚମରୁ ଉଭୟଙ୍କ ସହ ନାଗପୁର ସହରକୁ କୋଠାଗୃହ ନିର୍ମାଣ ପାଇଁ ଶ୍ରମିକ ଭାବେ ଚାଲାଣ ହୋଇଥିଲେ । ଶ୍ରମିକ ସର୍ଦ୍ଧାର ପାଖରୁ ଡୋଲା ଓ ବିଦେଶୀ ଅଗି୍ରମ ଅର୍ଥ ନେଇ ଆସିଥିଲେ । ହେଲେ ଚମରୁଙ୍କୁ ସେଥିରୁ କିଛି ଦେଇ ନଥିଲେ । ତିନିଜଣ ସେଠାରେ କୋଠାଗୃହ ନିର୍ମାଣ କାମରେ ନିୟୋଜିତ ହୋଇଥିଲେ । କିଛି ଦିନ କାମ ପରେ ପାରିଶ୍ରମିକକୁ ନେଇ ଚମରୁଙ୍କ ସହ ଦୁଇ ସହଯୋଗୀ ଡୋଲା ଓ ବିଦେଶୀଙ୍କ ବଚସା ହୋଇଥିଲା । ହେଲେ ପଇସା ଦେବା ପରିବର୍ତ୍ତେ ଦେଢ଼ ମାସ ତଳେ ଡୋଲା ଓ ବିଦେଶୀ ଚମରୁଙ୍କୁ ଏକ ନିଛାଟିଆ ସ୍ଥାନକୁ ନେଇ ମଦ ପିଆଇ ଦେଇଥିଲେ । ପରେ ସେମାନେ ଚମରୁଙ୍କ ଡାହାଣ ହାତର ପାପୁଲି ଓ ଡାହାଣ ଗୋଡ଼ର ଅଙ୍ଗୁଳି କାଟି ଦେଇଥିଲେ । ଏତିକିରେ ସରି ନଥିଲା ସେମାନଙ୍କ ବର୍ବରତା । ଚେତାଶୂନ୍ୟ ଅବସ୍ଥାରେ ନାଗପୁର ରେଲୱେ ଷ୍ଟେସନ ନିକଟରେ ଚମରୁଙ୍କୁ ଫିଙ୍ଗି ଦେଇଥିଲେ । ଗୁରୁତର ଅବସ୍ଥାରେ ରେଲୱେ ପୁଲିସ ତାଙ୍କୁ ଉଦ୍ଧାର କରି ସିଟି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଚିକିତ୍ସା ଚାଲିଥିଲେ ମଧ୍ୟ କେହି ସମ୍ପର୍କୀୟ ଡାକ୍ତରଖାନାକୁ ନ ଆସିବାରୁ ଗତ ସପ୍ତାହରେ ତାଙ୍କୁ ଡିସ୍ଚାର୍ଜ କରି ଦିଆଯାଇଥିଲା । ଏହାପରେ ସେ ହସ୍ପିଟାଲରୁ ଘୁଷୁରି ଘୁଷୁରି ରେଲୱେ ଷ୍ଟେସନରେ ପହଞ୍ଚିଥିଲେ । ସେଠାରେ କିଛି ସହୃଦୟ ବ୍ୟକ୍ତି ତାଙ୍କୁ ଟ୍ରେନରେ ବସାଇ ଦେଇଥିଲେ । ସପ୍ତାହ ତଳେ ବଲାଙ୍ଗୀର ଜିଲ୍ଲା ହରିଶଙ୍କର ରୋଡ(ଲାଠୋର) ଷ୍ଟେସନରେ ପହଞ୍ଚିବା ପରେ କିଛି ଲୋକ ଟିକ୍ରାପଡ଼ା ସମିତି ସଭ୍ୟ ତୁଫାନସିଂ ଦଳପତିଙ୍କୁ ଖବର ଦେଇଥିଲେ । ଖବର ପାଇ ସମିତିସଭ୍ୟ ଶ୍ରୀ ଦଳପତିଙ୍କ ଉଦ୍ୟମରେ ଚମରୁ ନିଜ ଘରେ ପହଞ୍ଚିଥିଲେ । ପୁଅ କୁଲି ମଜୁରିରେ ନିଜ ପରିବାର ପ୍ରତିପୋଷଣ କରେ । ବାପାଙ୍କ ଚିକିତ୍ସା ପାଇଁ ହାତରେ କାଣି କଉଡିଟିଏ ନାହିଁ । ଏଭଳି ସ୍ଥିତିରେ ସାତ ଦିନ ହେଲା ଚମରୁ ଅସହାୟ ଅବସ୍ଥାରେ ପଡ଼ି ରହିଥିଲେ ।
ଆଜି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରାଜେନ୍ଦ୍ର ଢୋଲକିଆ ଜନସମ୍ପର୍କ ପଦଯାତ୍ରାରେ ଟିକ୍ରାପଡ଼ା ଗାଁକୁ ଯାଇଥିଲେ । ଏହି ସମୟରେ ଜଣେ ଦାଦନ ଶ୍ରମିକଙ୍କ ଡାହାଣ ହାତ ଓ ଗୋଡ଼ର ଆଙ୍ଗୁଳି କାଟି ଦେଇଥିବା ଖବର ପାଇଥିଲେ । ତୁରନ୍ତ ଚମରୁଙ୍କ ପାଖକୁ ଯାଇ କିଛି ଆର୍ଥିକ ସହାୟତା କରି ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆସିବାକୁ ପରାମର୍ଶ ଦେଇଥିଲେ । ସେଠାରୁ ତାଙ୍କୁ ମୁଖମନ୍ତ୍ରୀ ରିଲିଫ ଫଣ୍ଡରେ ଅଧିକ ଚିକିତ୍ସା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସନ୍ଧ୍ୟାରେ ତାଙ୍କୁ କୋମନା ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରୁ ଅଧିକ ଚିକିତ୍ସା ପାଇଁ ଡାକ୍ତର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି । ତେବେ ଅସହାୟ ଦାଦନ ଶ୍ରମିକ ଚମରୁଙ୍କ ସରକାରୀ ଭାବେ ମାଗଣାରେ ଅଧିକ ଚିକିତ୍ସା କରିବା ସହ ଦାଦନ ଶ୍ରମିକ ଦଲାଲଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁÂାନ ଗ୍ରହଣ କରିବାକୁ ଗାଁ ଲୋକେ ଦାବି କରିଛନ୍ତି । ଏନେଇ ଏସପି ବିନୀତ ଅଗ୍ରୱାଲଙ୍କ ସହ ଯୋଗାଯୋଗ କରିବାରୁ ‘ଆମ ପାଖରେ କିଛି ଅଭିଯୋଗ ନାହିଁ । ଅଭିଯୋଗ ଆସିଲେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁÂାନ ଗ୍ରହଣ କରାଯିବ’ ବୋଲି କହିଥିଲେ ।
Comments are closed, but trackbacks and pingbacks are open.