ନବରଙ୍ଗପୁର,(ବି.ବି.ନୁ୍ୟଜ୍): କରୋନା ସଂକ୍ରମଣ ଭୟଠୁ ପେଟ ଭୋକ ବଳିଗଲାଣି । କେତେଦିନ ବିନା ରୋଜଗାରରେ ଘର ବସିବେ । ଏମିତିରେ ଲକଡାଉନ୍ ପୂର୍ବରୁ ଘରକୁ ଫେରିଥିବା ପ୍ରବାସୀ ଏବେ କାମଧନ୍ଦା ପାଇଁ ବାହାରକୁ ଗୋଡ କାଢିବାରେ ଲାଗିଛନ୍ତି ।
ଏମିତି ଏକ ଘଟଣା ମଙ୍ଗଳବାର ଏଠାରେ ଦେଖିବାକୁ ମିଳିଛି । ତାମିଲନାଡୁର ଏକ ଗାରମେଣ୍ଟ କମ୍ପାନି ଏକ ବସ୍ରେ କୁଶଳୀ ଶ୍ରମିକଙ୍କୁ ବେଆଇନ ଭାବେ ନେଇ ଯାଉଥିଲା । ଦୁର୍ଭାଗ୍ୟରୁ ବସ୍ଟି ବାଟରେ ଖରାପ ହୋଇଯାଇଥିଲା । ବସ୍ରେ ମୋଟ ୨୨ ଜଣ ଯୁବକ ଓ ଯୁବତୀ ତାମିଲନାଡୁ ଯାଉଥିଲେ । ଏହି ଦୃଶ୍ୟ ଶ୍ରମ ବିଭାଗ କର୍ତ୍ତୃପକ୍ଷଙ୍କ ନଜରକୁ ଆସିଥିଲା । ଶ୍ରମିକ ଚାଲାଣ ନେଇ ଗାରମେଣ୍ଟ କମ୍ପାନି କର୍ତ୍ତୃପକ୍ଷ କୌଣସି ପ୍ରକାର କାଗତପତ୍ର ଦେଖାଇପାରି ନଥିଲେ । ପରେ କମ୍ପାନି ପକ୍ଷରୁ ଲାଇସେନ୍ସ କରିବାକୁ ବାଧ୍ୟ ହୋଇଥିଲେ । ସମସ୍ତ ଶ୍ରମିକଙ୍କ ନାମ ପଞ୍ଜୀକରଣ ପରେ ଯିବାପାଇଁ ବିଭାଗୀୟ ଅନୁମତି ମିଳିଥିଲା । ଶ୍ରମିକଙ୍କ ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ଡାବୁଗାଁ, ତେନ୍ତୁଳିଖୁଣ୍ଟି, ପାପଡାହାଣ୍ଡି ବ୍ଲକର ୯ ଜଣ ଯୁବକଯୁବତୀ ଥିଲେ । ସେହିପରି, କୋରାପୁଟ, ମାଲକାନଗିରି, ନୂଆପଡା ଅଞ୍ଚଳର ଯୁବକଯୁବତୀ ରହିଥିଲେ ।
ଏହି ଶ୍ରମିକମାନେ କହିଛନ୍ତି, କରୋନା ଲକଡାଉନ୍ ପୂର୍ବରୁ ଘରକୁ ଫେରିଥିଲୁ । ହେଲେ ଜିଲ୍ଲାରେ କୌଣସି ପ୍ରକାର କାମଧନ୍ଦା ମିଳିଲା ନାହିଁ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ଦିଗରେ କିଛି ପଦକ୍ଷେପ ନିଆଗଲାନି । ଭୋକ ଉପାସରେ ଆଉ କେତେଦିନ ରହିବୁ । ପରିବାର ବୋଝ ଦିନକୁଦିନ ବଢୁଥିବାରୁ ବାଧ୍ୟ ହୋଇ କାମ କରିବାକୁ ତାମିଲନାଡୁ ଯାଉଥିଲୁ । କେବଳ ନବରଙ୍ଗପୁର ନୁହେଁ କୋରାପୁଟ, ମାଲକାନଗିରି, ନୂଆପଡା ଜିଲ୍ଲାରେ ଅନୁରୂପ ସମସ୍ୟା ଉପୁଜିଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ଗତ ଜୁଲାଇରେ କରୋନା ଓ ପ୍ରବାସୀଙ୍କ ରୋଜଗାର ସମୀକ୍ଷା କରିବାକୁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ଆସିଥିଲେ । ଶ୍ରମିକଙ୍କର ସ୍କିଲ ମ୍ୟାପିଂ ପରେ କାମ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଜିଯାଏ ଏ ଦିଗରେ କୌଣସି ପ୍ରକାର ପଦକ୍ଷେପ ନିଆଯାଇନି । ଜିଲ୍ଲାକୁ ଏ ପର୍ଯ୍ୟନ୍ତ ୧୫ ହଜାର ପ୍ରବାସୀ ଶ୍ରମିକ ଫେରିଛନ୍ତି । କାମଧନ୍ଦା ଅଭାବରୁ ଅନେକ ପୁଣି ଦାଦନ ଖଟିବାକୁ ବାହାରକୁ ଯାଉଛନ୍ତି ।


Comments are closed, but trackbacks and pingbacks are open.