ଦାଦନ ଖଟିବାକୁ ଯାଇ ଫେରିଲାନି ପୁଅ

Get real time updates directly on you device, subscribe now.

ବାରିପଦା,(ବି.ବି.ନୁ୍ୟଜ୍): ରାତି ପାହିଲେ ମୟୂରଭଞ୍ଜର ଗଣପର୍ବ ମକର । ମକର ଧୁମ୍ରେ ପୁରପଲ୍ଲୀ ଗାଁଗଣ୍ଡା ଉତ୍ସବ ମୁଖର ହୋଇଉଠିଛି । ବାହାରକୁ ଦାଦନ ଖଟି ଯାଇଥିବା ଶ୍ରମଜୀବୀ ଏବେ ଘରମୁହାଁ ହୋଇଛନ୍ତି । ସେମାନଙ୍କ ଘର ହସଖୁସିରେ ଫାଟିପଡୁଛି । ମାତ୍ର ଫେରିନି ରୋହିତ ନାଏକଙ୍କ ୨୨ବର୍ଷର ଜୁଆନ ପୁଅ କାର୍ତ୍ତିକେଶ୍ୱର ନାଏକ । ଫେରିଛି ତା’ର ଶବ । ପୁଅକୁ ହରାଇ ରୋହିତଙ୍କ ପରିବାର ନିର୍ବାକ । ମୁଖରେ ଭାଷା ନାହିଁ, ବାପା-ମା’ଙ୍କ ଆଖିରୁ ଝରୁଛି ଲୁହ । ରୋହିତଙ୍କ ଗାଁରେ ବି ଏହି ଦୁଃଖଦ ଘଟଣା ନେଇ ମକର ପର୍ବର ଆନନ୍ଦ ଓ ଉଲ୍ଲାସ କୁଆଡେ଼ ଉଭେଇଯାଇଛି ପାଣି ଫୋଟକା ପରି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କାର୍ତ୍ତିକେଶ୍ୱରଙ୍କ ଅକାଳ ମୃତୁ୍ୟ ପାଇଁ ଦାୟୀ କିଏ?
ମୟୂରଭଞ୍ଜ ଜିଲ୍ଲା ଶୁକ୍ରୁଳି ବ୍ଲକ ଅନ୍ତର୍ଗତ ନାଉପନ୍ହା ଗାଁର ନିବାସୀ ରୋହିତ ନାଏକ । ତାଙ୍କ ପୁଅ କାର୍ତ୍ତିକେଶ୍ୱର ନାଏକ(୨୨) । କାର୍ତ୍ତିକ ପେଟପାଟଣା ଅନ୍ୱେଷଣରେ ଯାଇଥିଲେ ବେଙ୍ଗାଲୁରୁ । ସେଠାରେ ଡିଫ୍ସା ସିକ୍ୟୁରିଟି ସର୍ଭିସେସ ନାମକ ଏକ ଘରୋଇ ସିକ୍ୟୁରିଟି ସଂସ୍ଥାରେ କାମ କରୁଥିଲେ । ମାତ୍ର ଗତ ୧୨ ତାରିଖରେ ସେଠାରେ ଏକ ୯ ମହଲାରେ ଡୁ୍ୟଟି କରୁଥିବା ସମୟରେ ଛାତରୁ ଖସିପଡି କାର୍ତ୍ତିକେଶ୍ୱରଙ୍କ ମୃତ୍ୟୁ ହୋଇଯାଇଥିଲା । ଏହି ମର୍ମନ୍ତୁଦ ଖବର ଆସିଥିଲା ଗାଁକୁ । କାର୍ତ୍ତିକେଶ୍ୱର ଅସାବଧାନତା ବଶତଃ ଖସିପଡ଼ିଛନ୍ତି, ଅବା ସେ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି କିମ୍ବା କିଏ ତାଙ୍କୁ ପେଲିଦେଇ ହତ୍ୟା କରିଛି ତାହା ସ୍ପଷ୍ଟ କରିନଥିଲା କମ୍ପାନୀ । କାର୍ତ୍ତିକେଶ୍ୱରଙ୍କ ମୃତୁ୍ୟ ନେଇ କେବଳ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଥିଲା ନିକଟସ୍ଥ ।
ପୁଅକୁ ନହେଉ ପଛକେ ତା’ର ମୃତ ଶରୀର ଫେରି ପାଇବା ଲାଗି ରରୁଆଁ ଥାନାରେ ମୃତକଙ୍କ ପିତା ରୋହିତ ନାଏକ ଏକ ଏତଲା ଦେଇଥିଲେ । ବିଭିନ୍ନ ଆଡୁ ଚାପ ପଡ଼ିିବା ପରେ ଶେଷରେ ମଙ୍ଗଳବାର ଅପରାହ୍ନରେ କାର୍ତ୍ତିକେଶ୍ୱରଙ୍କ ଶବ ଆସି ଗାଁରେ ପହଞ୍ଚôଲା । ଜଣେ ସମ୍ପର୍କୀୟ ସେଠାକୁ ଯାଇ କାର୍ତ୍ତିକେଶ୍ୱରଙ୍କ ମୃତଶରୀର ଇଣ୍ଡିଗୋ ଫ୍ଲାଇଟରେ ପ୍ରଥମେ ଭୁବନେଶ୍ୱର ଓ ପରେ ଏକ ଆମ୍ବୁଲାନ୍ସ ଯୋଗେ ଶବ ଗାଁକୁ ଆଣିଆସିଥିଲେ । ଗାଁରେ କାର୍ତ୍ତିକେଶ୍ୱରଙ୍କ ମୃତ ଶରୀର ପହଞ୍ଚôବା ପରେ କ୍ରନ୍ଦନରୋଳରେ ଫାଟି ପଡିଛି ତାଙ୍କ ଘର । ଗାଁ ସାରା ବି ଛାଇ ଯାଇଛି ଶୋକର ଛାୟା ।
ତେବେ ମୃତ ଶରୀରକୁ ଦେଖିବା ପରେ କାର୍ତ୍ତିକେଶ୍ୱରଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକଙ୍କ ସନେ୍ଦହ ଦୃଢ଼ ହୋଇଛି । ପୁଅ ମୃତୁ୍ୟ ପଛର ରହସ୍ୟ ଉପରୁ ପର୍ଦ୍ଧା ହଟାଇବାକୁ ପରିବାରବର୍ଗ ପୁଲିସ ନିକଟରେ ଆକୁଳ ନିବେଦନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons