ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଦାଦନ ଶ୍ରମିକ ଚାଲାଣ ରୋକାଯିବ । ସେମାନଙ୍କ ଜୀବନ ଜୀବିକା ପାଇଁ ସରକାର ସହାୟତାର ହାତ ବଢ଼ାଇବେ । ଖାଲି ସେତିକି ନୁହେଁ, ଓଡ଼ିଶାରୁ ଯାଇ ଦେଶ ବିଦେଶରେ କାମ କରୁଥିବା ଦାଦାନ ଶ୍ରମିକଙ୍କ ସହାୟତା ଓ କଲ୍ୟାଣ ପାଇଁ ରାଜ୍ୟ ସରକାର ନେବେ ପଦକ୍ଷେପ । ଖୁବ୍ଶୀଘ୍ର ଏ ନେଇ ମୁଖ୍ୟମନ୍ତ୍ରୀ କିଛି ବଡ଼ ଘୋଷଣା କରିବେ । ଏଥିରେ ବଡ଼ ପ୍ୟାକେଜ୍ ଘୋଷଣା ହୋଇପାରେ । ଆଜି ଅନୁÂିତ ଶ୍ରମ ବିଭାଗର ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ଓ ‘ମୋ ସରକାର’ ସଚେତନତା କର୍ମଶାଳାରେ ଏହି ସୂଚନା ମିଳିଛି ।
ଆଜି ପାନ୍ଥନିବାସରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା । ଏଥିରେ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ସୁଶାନ୍ତ ସିଂହ, ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂ, ବିଭାଗୀୟ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗ, ଶ୍ରମ କମିଶନର ନିରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ନିଷ୍ପତ୍ତି ହୋଇଛି, ଦାଦନ ଶ୍ରମିକ ସମସ୍ୟାର ସମାଧାନ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ନିଆଯିବ । ଦିଲ୍ଲୀରେ ଥିବା ଶ୍ରମ ବିଭାଗର ଅଫିସକୁ ନବୀକରଣ କରାଯିବ । କେନ୍ଦ୍ର ବିଦେଶ ମନ୍ତ୍ରାଳୟ ସହ ଯୋଗାଯୋଗ ରଖାଯିବ । ବିଦେଶକୁ କାମ ପାଇଁ ଯିବାକୁ ହେଲେ ଉକ୍ତ ଅଫିସରେ ତଥ୍ୟ ଦେବାକୁ ପଡ଼ିବ । ଭିସା ପାଇବା ପାଇଁ ଉକ୍ତ ଅଫିସର ସହାୟତା ନେବାକୁ ହେବ । ଏହାଦ୍ୱାରା ସମସ୍ତ ଶ୍ରମିକଙ୍କ ତଥ୍ୟ ସରକାରଙ୍କ ପାଖରେ ରହିବ । ଏହାଦ୍ୱାରା ଆବଶ୍ୟକ ସ୍ଥଳେ ସରକାର ସେମାନଙ୍କୁ ସହଯୋଗ କରିପାରିବେ । ମୁଖ୍ୟମନ୍ତ୍ରୀ ଆସନ୍ତା ନୂଆବର୍ଷ ବେଳକୁ କିଛି ବଡ଼ ଘୋଷଣା କରିପାରନ୍ତି ।
ରାଜ୍ୟର ୧୧ଟି ଜିଲ୍ଲା ଦାଦାନ ପ୍ରବଣ ଜିଲ୍ଲା ଭାବେ ଚିହ୍ନଟ କରାଯାଇଛି । ବାହାର ରାଜ୍ୟରେ ଦାଦନ ଖଟୁଥିବା ଶ୍ରମିକଙ୍କ ସହାୟତା ପାଇଁ ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ହେଲ୍ପ ଡେସ୍କ ଖୋଲାଯାଇଛି । ନିକଟରେ ଦିଲ୍ଲୀ, ଆନ୍ଧ୍ର ଓ ତେଲଙ୍ଗାନାରେ ହେଲ୍ପ ଡେସ୍କ ଖୋଲାଯାଇଛି । ଖୁବ୍ଶୀଘ୍ର କର୍ଣ୍ଣାଟକ, ତାମିଲନାଡ଼ୁ, କେରଳ ଓ ଗୁଜରାଟରେ ହେଲ୍ପ ଡେସ୍କ ଖୋଲାଯିବ ।
ନୂଆବର୍ଷରେ ନୂଆ ମଡେଲରେ କାମ କରିବ ଶ୍ରମ ବିଭାଗ । ଶ୍ରମିକଙ୍କ କଲ୍ୟାଣ ସହ ଲୋକଙ୍କ ପାଖରେ ଯୋଜନା ପହଞ୍ଚାଇବା ପାଇଁ ଆସନ୍ତା ଜାନୁଆରୀରୁ ‘ମୋ ସରକାର ଏବଂ ‘୫-ଟି’ ଲାଗୁ କରାଯିବ ଶ୍ରମ ବିଭାଗରେ । ସମ୍ପୂର୍ଣ୍ଣ ଜିରୋ ଟଲେରାନ୍ସ ନୀତି ଆପଣାଯିବ । କର୍ତ୍ତବ୍ୟରେ ଅବହେଳାକୁ ଆଦୌ ବରଦାସ୍ତ କରାଯିବନି । ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଅତ୍ୟାଧୁନିକ ଟେକ୍ନୋଲୋଜି ଆପଣାଯିବ । ଏ ନେଇ ଆଜି କର୍ମଶାଳାରେ ଉପସ୍ଥିତ ଉପ ଶ୍ରମ କମିଶନର, ଜିଲ୍ଲା ଶ୍ରମ ଅଧିକାରୀ ଓ ସହକାରୀ ଶ୍ରମ ଅଧିକାରୀମାନଙ୍କୁ ସଚେତନ କରାଯାଇଛି ।
ବୈଠକରେ ସୂଚନା ଦିଆଯାଇଥିଲା, ବର୍ତ୍ତମାନ ସୁଦ୍ଧା ମୋଟ ୨୯ ଲକ୍ଷ ୬୦ ହଜାର ନିର୍ମାଣ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି । ସେମାନଙ୍କ କଲ୍ୟାଣ ପାଇଁ ଗତ ୫-୬ ବର୍ଷ ଭିତରେ ସରକାର ପ୍ରାୟ ୧୮୦୦ କୋଟି ଟଙ୍କା ବିଭିନ୍ନ ଯୋଜନାରେ ବ୍ୟୟ କରିଛନ୍ତି ।
Comments are closed, but trackbacks and pingbacks are open.