କେନ୍ଦ୍ରାପଡ଼ା,(ବି.ବି.ନୁ୍ୟଜ୍): ଦୃଢ଼ ମନୋବଳ, ନିÂା, ସାଧନା, କିଛି କରି ଦେଖାଇବାର ଇଚ୍ଛାଶକ୍ତିି ଥିଲେ ଅସମ୍ଭବ ବି ସମ୍ଭବ ହୋଇପାରିବ । ଯାହା ପ୍ରମାଣିତ କରିଛନ୍ତି ବରଜ କୁମାର ଦାସ । ଶାରୀରିକ ଅକ୍ଷମତା ସହ ପରିବାରର ଆର୍ଥିକ ଦୁଃସ୍ଥିତି ସତ୍ତେ୍ୱ କମାଲ୍ କରି ଦେଖାଇଛନ୍ତି ଦିବ୍ୟାଙ୍ଗ ଛାତ୍ର ବରଜ । ଆଜି ପ୍ରକାଶିତ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ସେ ମୋଟ୍ ୮୪ ପ୍ରତିଶତ ନମ୍ୱର ରଖିଥିବା ଜଣାପଡିଛି । ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ପ୍ରତିକୂଳ ପରିବେଶ ଭିିତରେ ସମସ୍ତ ପ୍ରକାର ବାଧାବିଘ୍ନ ସହିତ ଲଢି ସେ ୬୦୦ରୁ ୫୦୫ ଅର୍ଥାତ୍ ୮୪ ପ୍ରତିଶତ ନମ୍ବର ରଖି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଯେଉଁଠି ଛାତ୍ରଛାତ୍ରୀଙ୍କୁ ସମସ୍ତ ସୁବିଧା, କୋଚିଂ ଖଞ୍ଜି ଦିଆଯାଉଥିଲେ ବି ପରୀକ୍ଷାରେ ଆଶାନୁରୂପ ଫଳ କରିପାରୁ ନାହାନ୍ତି, ବରଜ କିନ୍ତୁ ଏଥିରେ ବ୍ୟତିକ୍ରମ ପାଲଟିଛନ୍ତି ।
କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବିଜୟନଗର ପଞ୍ଚାୟତ ଶଙ୍ଖପଦା ଗ୍ରାମରେ ବରଜଙ୍କ ଘର । ଆର୍ଥିକ ଚଳଣି ଭଲ ନୁହେଁ । ରଞ୍ଜନ କୁମାର ଦାସଙ୍କ ଦୁଇ ପୁଅଙ୍କ ମଧ୍ୟରେ ବରଜ ହେଉଛନ୍ତି ସବା ସାନ । ବରଜ ଜନ୍ମରୁ ଦିବ୍ୟାଙ୍ଗ । ଆଣ୍ଠୁ ପାଖରୁ ଗୋଡ଼ ତଳକୁ ନାହିଁ । ଉଭୟ ଗୋଡ଼ ଓ ହାତରେ ଦୁଇଟି ଲେଖାଏଁ ଅଙ୍ଗୁଳି । ତାରି ଭିତରେ ସେ ସଂଘର୍ଷ କରିଆସିଛନ୍ତି । ଦିବ୍ୟାଙ୍ଗ ହେଲେ ବି କେବେ ବି ସେ ହାର ମାନିନାହାନ୍ତି । ପାରିବାରିକ ଆର୍ଥିକ ଦୁଃସ୍ଥିତି, ଭିନ୍ନକ୍ଷମତା ସତ୍ତେ୍ୱ ସେ ହାରିନଯାଇ ସଫଳତା ରଚି ଚାଲିଛନ୍ତି । ବାପା ରଞ୍ଜନ ମୂଲ ଲାଗି ଗଲେ ଘରେ ଚୁଲି ଜଳେ । ମା’ ସୁକାନ୍ତି ଦାସ ଗୃହିଣୀ । ତାରି ଭିତରେ ଘର ଚଳିବ ଓ ଆଉ ଦୁଇ ଭାଇ ପାଠ ମଧ୍ୟ ପଢ଼ିବେ । ବଡ଼ଭାଇ ସରୋଜ ବିଏ ପାସ୍ କଲା ପରେ ଏବେ ବିଏଡ୍ ପାଠ୍ୟକ୍ରମ ଅଧ୍ୟୟନ କରୁଛନ୍ତି । ବରଜ କିନ୍ତୁ ଭିନ୍ନକ୍ଷମ, ସାହାରା ନ ମିଳିଲେ ତାଙ୍କର ସବୁ କାମ ଅଚଳ । ଦୈନନ୍ଦିନ କାମ କରିପାରିବେନି ସେ । ହେଲେ ପାଠ ପଢ଼ିବାର ଝୁଙ୍କ୍ ତାଙ୍କୁ ଆଜି ଏ ସ୍ଥାନରେ ପହଞ୍ଚାଇ ପାରିଛି । ମାଟ୍ରିକ୍ରେ ୮୬ ପ୍ରତିଶତ ରଖି ଉତ୍ତୀର୍ଣ୍ଣ ହେଲା ପରେ ସେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଅଧିକାରୀ ପ୍ରଭାସ କୁମାର ଦାସ ଏ ସମ୍ୱନ୍ଧରେ ଜାଣିବା ପରେ ତକ୍ରାଳ ତାଙ୍କ ଗାଁକୁ ଯାଇ ଆଲୋଚନା କରି ବରଜଙ୍କ ପାଠ ପଢ଼ିବାର ଦୁର୍ବାର ଆଗ୍ରହ ଦେଖି ବିସ୍ମିତ ହୋଇଥିଲେ । ତାଙ୍କ ନିÂା, ଅଧ୍ୟବସାୟ ଏବଂ ଅଶାନୁରୂପ ପ୍ରଦର୍ଶନରେ ଖୁସି ହୋଇ ତାଙ୍କୁ ପ୍ରଶାସନର ସହଯୋଗରେ ଏକ ତିନିଚକିଆ ସାଇକେଲର ବ୍ୟବସ୍ଥା କରାଇଥିଲେ । ତକ୍ରାଳୀନ ଜିଲ୍ଲାପାଳ ରେଘୁ ଜୀଙ୍କୁ କହି ଆନୁସଙ୍ଗିକ ସୁବିଧା, ଜାତୀୟ ପୋଷ୍ଟ ମାଟ୍ରିକ୍ ମେଧାବୃତ୍ତିର ବ୍ୟବସ୍ଥା କରାଇବା ସହ ନିଜେ ବ୍ୟକ୍ତିଗତ ଭାବେ ସହାୟତାର ହାତ ବଢ଼ାଇଥିଲେ । ଏମିତିକି ମାଟ୍ରିକ୍ ପରେ ପ୍ରଶାସନ ଉଦ୍ୟମରେ କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟରେ ବିନା ଦେୟରେ ତାଙ୍କ ନାମଲେଖା ହୋଇଥିଲା । ବହି ପଢ଼ିବାକୁ ଯୋଗାଇ ଦିଆଯାଇଥିଲା ତାଙ୍କୁୁ । ଏମିତିକି ପାଠପଢ଼ିବାକୁ ଶ୍ରେଣୀଗୃହକୁ ଯାଇପାରୁନଥିବାରୁ ତାଙ୍କୁ ଅଧ୍ୟାପକ, ସହପାଠୀମାନେ ଗାଡ଼ିରେ ବସାଇ ନେଇଯାଉଥିଲେ । କେତେଜଣ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ସେ କେନ୍ଦ୍ରାପଡ଼ା ସହର ଉପକଣ୍ଠରେ ରହି ପଢ଼ୁଥିଲେ । କଲେଜରେ ତାଙ୍କୁ ସବୁ ପ୍ରକାର ସହଯୋଗ ଆମେ ଯୋଗାଇ ଦେଇଥିଲୁ ବୋଲି କହନ୍ତି ଅଧ୍ୟକ୍ଷ ଡ. ରାଜେନ୍ଦ୍ର ପ୍ରସାଦ ତ୍ରିପାଠୀ । ଆଗକୁ ସେ ଜଣେ ଡାକ୍ତର ହୋଇ ରୋଗୀ ସେବା କରିବାକୁ ଚାହୁଥିବା ବେଳେ ଏଥିରେ ବାଧକ ସାଜିଛି ଅର୍ଥ । ତଥାପି ଉଦ୍ୟମରୁ ହଟିନାହାନ୍ତି ସେ । ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଦାସ ବରଜଙ୍କୁ ଏକ ସ୍ମାର୍ଟଫୋନ୍ ଯୋଗାଇ ଦେଇଛନ୍ତି ଯେଉଁଥିରେ ସେ ଘରେ ରହି ମେଡିକାଲ୍ ପାଠ୍ୟକ୍ରମ ପଢ଼ିବା ଲାଗି କୋଚିଂ ନେଇପାରୁଛନ୍ତି । ଏଥିସହ ତାଙ୍କୁ ଏକ ବହି ସେଟ୍ ବି ଯୋଗାଇ ଦେଇଛନ୍ତି । ବରଜଙ୍କ ସଫଳତା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ତାଙ୍କ ଫଟୋ ଓ ସଫଳତା କାହାଣୀ ସମ୍ୱନ୍ଧରେ ସୂଚନା ଦେଇ ଫେସ୍ବୁକ୍ରେ ପୋଷ୍ଟ୍ ମଧ୍ୟ କରିଛନ୍ତି ।
Comments are closed, but trackbacks and pingbacks are open.