କେନ୍ଦ୍ରାପଡ଼ା: ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଘଟିଛି ତୁମୁଳକାଣ୍ଡ । ପ୍ରତିଶୋଧ ପରାୟଣ ହୋଇ ଜଣେ ଦିବ୍ୟାଙ୍ଗ ଯୁବକଙ୍କୁ ଠେଙ୍ଗାରେ ପିଟିପିଟି ଜୀବନ ନେଇଛନ୍ତି ତାଙ୍କ ସମ୍ପର୍କୀୟ ବଡ଼ ବାପା ପୁଅ ଭାଇ ଓ ତାଙ୍କ ପୁଅ । କେନ୍ଦ୍ରାପଡ଼ା ସଦର ଥାନା ଅଧୀନ ଖସାଡ଼ି (ତିନିଘରିଆ) ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ଯୁବକ ଏକାଦଶୀ ସ୍ୱାଇଁ ବୋଲି ସୂଚନା ମିଳିଛି । ଅଭିଯୋଗ ପାଇ ସଦର ପୁଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି । ଆକ୍ରମଣକାରୀ ବଡ଼ ବାପା ପୁଅ ଭାଇ ନିଧିରାମ ସ୍ୱାଇଁ ପୁଲିସ ନିକଟେରେ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କ ପୁଅ ସନ୍ତୋଷ ଫେରାର ହୋଇଯାଇଛି ।
ମିଳିଥିବା ସୂଚନା ଅନୁସାରେ, ଖସାଡ଼ି ଗ୍ରାମରେ ନନ୍ଦକିଶୋର ସ୍ୱାଇଁ ଓ ନିଧିରାମ ସ୍ୱାଇଁ ସପରିବାର ବସବାସ କରିଆସୁଛନ୍ତି । ଦୁଇ ପରିବାର ମଧ୍ୟରେ ଜମିବାଡ଼ିକୁ କେନ୍ଦ୍ର କରି ପୂର୍ବରୁ ବିବାଦ ରହିଥିବା ବେଳେ ଏହାକୁ ନେଇ ଅନେକ ବାର ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ, ମାରପିଟ୍ ଯାଏ କଥା ଯାଇଛି । କିଛିଦିନ ଆଗରୁ ସରପଞ୍ଚ, ସମିତି ସଭ୍ୟଙ୍କ ଜରିଆରେ ସେମାନଙ୍କ ମଧ୍ୟରେ ବିବାଦ ସମାଧାନ ହୋଇଥିଲା । ନିଧିରାମ ଓ ତାଙ୍କ ପୁଅ ସନ୍ତୋଷ, ନନ୍ଦ କିଶୋରଙ୍କ ପୁଅ ଏକାଦଶୀଙ୍କୁ ସର୍ବସମ୍ମୁଖରେ କ୍ଷମା ମାଗିଥିଲେ । ନିଜ ଭୁଲ ପାଇଁ ପଶ୍ଚାତାପ କରୁଥିବା କଥା କହିଥିଲେ ବି ମନେ ମନେ ପ୍ରତିଶୋଧ ନିଆଁରେ ସେମାନେ ଜଳୁଥିଲେ । କେମିତି ଏକାଦଶୀଙ୍କ ଉପରେ ରାଗ ଶୁଝାଇବେ ସେ ମଉକାରେ ଥିଲେ । ଏକାଦଶୀଙ୍କୁ ଆକ୍ରମଣ ପାଇଁ ଯୋଜନା ବି କରିଥିଲେ । ସୁଯୋଗକୁ ଆଜି ଦିବ୍ୟାଙ୍ଗ ଏକାଦଶୀ ଗାଁ ଛକ ପାଖରୁ ଛୋଟେଇ ଛୋଟେଇ ସଉଦା କିଣି ଫେରୁଥିବା ବେଳେ ତାଙ୍କୁ ଘେରି ଯାଇଥିଲେ ନିଧିରାମ ଓ ତାଙ୍କ ପୁଅ ସନ୍ତୋଷ । ତାଙ୍କ ସହିତ ପାଟିତୁଣ୍ଡ କରିବା ସହ ସାଙ୍ଗରେ ଆଣିଥିବା ମୂଳିଆ ଠେଙ୍ଗାରେ ନିସ୍ତୁକ ପିଟିଥିଲେ । ତାଙ୍କ ମୁଣ୍ଡରେ ଜୋରରେ ପାହାର ବାଜିବାରୁ ଗୁରୁତର ଆହତ ହୋଇ ଏକାଦଶୀ ଚେତା ହରାଇ ପଡ଼ିଯାଇଥିଲେ । ଏହାପରେ ନିଧିରାମ ଓ ସନ୍ତୋଷ ସେଠାରୁ ଫେରାର ହୋଇଯାଇଥିଲେ । ଯିବା ବେଳେ ସ୍ଥାନୀୟ ଲୋକଙ୍କୁ ଧମକଚମକ ଦେଇ ଯାଇଥିଲେ । ପରେ ୧୦୮ ଆମ୍ବୁଲାନ୍ସ ଯୋଗେ ଏକାଦଶୀଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏକାଦଶୀଙ୍କ ବାପା ନନ୍ଦକିଶୋର ସ୍ୱାଇଁ ଏତଲା ଦାଏର କରିବା ପରେ ପୁଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଆଇଆଇସି ପବିତ୍ର ମହାରଣା ସୂଚନା ଦେଇଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ


Comments are closed, but trackbacks and pingbacks are open.