ପୁରୀ,(ବି.ବି.ନୁ୍ୟଜ୍): ବହୁ ଚର୍ଚ୍ଚିତ ଦିଲ୍ଲୀପ ସ୍ୱାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ । ଅସ୍ତରଙ୍ଗ ଥାନାରେ ହତ୍ୟା ମାମଲା ରୁଜୁ ହୋଇଥିବାବେଳେ କୋଣାର୍କରେ ତାକୁ ଧରିଛି ପୁଲିସ । ହତ୍ୟା ପରେ ମୁଖ୍ୟ ଅଭିଯୁକ୍ତ ଅସ୍ତରଙ୍ଗ ମେରାଇନ୍ ଥାନା ଅଧୀନ ଝାଡଲିଙ୍ଗ ଗ୍ରାମର ମୁନା ଓରଫ ରାଧା ମୋହନ ବିଶ୍ୱାଲ (୨୬) ପୁଲିସ ପାଇଁ ଟାର୍ଗେଟ ପାଲଟିଥିଲା । ଗତ ୫ ତାରିଖ ଦିନ ଗାଡି ଓଭର୍ଟେକ୍କୁ କେନ୍ଦ୍ର କରି ସେହି ଅଞ୍ଚଳର ବୁବୁନା ଓରଫ ମହାପ୍ରସାଦ ବେହେରା, ଗାଣ୍ଡୁଆ ଓରଫ ସୁନିଲ ବେହେରା ଓ ବରୁଣ ବିଶ୍ୱାଳଙ୍କ ସହ ସ୍ଥାନୀୟ ଅଠତିରା ଗ୍ରାମର ଦିଲ୍ଲିପ ସ୍ୱାଇଁ (୨୭)ଙ୍କ ବିବାଦ ହୋଇଥିଲା । ଆଳସାହି ଛକରେ ଏହି ବିବାଦକୁ କେନ୍ଦ୍ର କରି ଦିଲ୍ଲୀପଙ୍କ ବାପା ସାଧୁ ଚରଣ ସ୍ୱାଇଁଙ୍କ ସହ ଝଗଡା ହେଉଥିବାବେଳେ ୩ ଜଣ ଫୋନ୍ କରି ମୁନାକୁ ଡାକିଥିଲେ । ମୁନା ଘଟଣାସ୍ଥଳରେ ପହଞ୍ଚିଥିଲା । ସେହି ସମୟରେ ସାଧୁଙ୍କୁ ଆକ୍ରମଣ ହେଉଥିବା ଖବର ପାଇ ପୁଅ ଦିଲ୍ଲୀପ ସେଠାରେ ପହଞ୍ଚିଥିଲେ । ପରେ ଝଗଡା ଉଗ୍ର ରୂପ ନେଇଥିଲା । ସେହି ସମୟରେ ମୁନା ପାଖରେ ରଖିଥିବା ଏକ ଛୁରୀ ଦିଲ୍ଲୀପଙ୍କ ପେଟରେ ଭର୍ତ୍ତି କରିଦେଇଥିଲା ବୋଲି କହିଛି ପୁଲିସ । ପରେ ଦିଲ୍ଲୀପଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସା କରାଯାଉଥିବାବେଳେ ତାଙ୍କର ୬ ତାରିଖ ରାତିରେ ମୃତୁ୍ୟ ଘଟିଥିଲା ।
ଏହି ଘଟଣାବେଳେ ସାଧୁ ଚରଣ ସ୍ୱାଇଁ ଓ ଅନ୍ୟଜଣେ ବିପିନ ବିହାରୀ ମୁଦୁଲି ମଧ୍ୟ ଗୁରୁତର ଭାବେ ଆହତ ହୋଇ ଏବେ ଚିକିତ୍ସା ହେଉଥିବା ପୁଲିସ କହିଛି । ଏନେଇ ମୃତ ଦିଳ୍ଲୀପଙ୍କ ଭାଇ ରାଜେଶ କୁମାର ସ୍ୱାଇଁଙ୍କ ଏତଲା କ୍ରମେ ଦଫା ୩୪୧,୨୯୪, ୩୨୩, ୩୨୪, ୩୦୭, ୩୦୨ ଓ ୩୪ ଆଇପିସି ବଳରେ ହତ୍ୟା ମାମଲା (୯୯/୧୯) ରୁଜୁ ହୋଇଥିଲା । ସେପଟେ ମାମଲାରେ ମୁନା ସହ ଆଉ ୩ ଜଣ ଗିରଫ ହୋଇଛନ୍ତି । ପୂର୍ବରୁ ଗିରଫ ହୋଇଥିବା ଅଭିଯୁକ୍ତମାନେ ବୁବୁନା ଓରଫ ମହାପ୍ରସାଦ ବେହେରା ସହ କୈଳାଶ ବେହେରା ଓ ସରୋଜ ଖଟୁଆ । ଘଟଣା ଦିନ ମୁନାକୁ ଘଟଣା ସ୍ଥଳରେ ପହଞ୍ଚିବାକୁ ନିଜ ଗାଡି ଯୋଗାଇଥିଲା କୈଳାଶ । ଅପରାଧ ପରେ ଅଭିଯୁକ୍ତଙ୍କୁ ଆଶ୍ରୟ ଦେଇ ସହଯୋଗ କରୁଥିବା ଅଭିଯାଗରେ ସରୋଜ ମଧ୍ୟ ମାମଲାରେ ଛନ୍ଦି ହୋଇଥିବା ଜଣାପଡିଛି । ଏହି ମାମଲାରେ ଗାଣ୍ଡୁଆ ଓ ବରୁଣ ଫେରାର ଥିବା ପୁଲିସ କହିଛି ।
ମୁନା କେବଳ ଏହି ହତ୍ୟା ମାମଲାରେ ନୁହେଁ । ପୂର୍ବରୁ ବିଭିନ୍ନ ଥାନାରେ ଏକାଧିକ ମାମଲାରେ ଜଡିତ ଥିବା ତା’ର କ୍ରାଇମ୍ ରେକର୍ଡରୁ ଜଣାପଡିଛି । ୨୦୧୭ ମସିହାରୁ ଅସ୍ତରଙ୍ଗ ଥାନାରେ ଏପର୍ଯ୍ୟନ୍ତ ତା’ ନାମରେ ଏହି ହତ୍ୟା ମାମଲା ସହ ମୋଟ ୩ଟି ମାମଲା, ଅସ୍ତରଙ୍ଗ ମେରାଇନ୍ ଥାନାରେ ୨୦୧୮ ମସିହାରେ ଗୋଟିଏ, ନୟାପଲ୍ଲୀ ଥାନାରେ ୨୦୧୬ ମସିହାରେ ଗୋଟିଏ ଏବଂ ଖଣ୍ଡଗିରି ଥାନାରେ ୨୦୧୮ ମସିହାରେ ଗୋଟିଏ ମାମଲା ରୁଜୁ ହୋଇଛି । ଅଞ୍ଚଳରେ ସାମାନ୍ୟ କଥାକୁ ନେଇ ମୁନା ଆତଙ୍କ ଖେଳାଉଥିବା କହିଛି ପୁଲିସ । ମାତ୍ର ୩ ବର୍ଷରେ ମୁନା ୬ଟି ମାମଲାରେ ଜଡ଼ିତ ଥିବା ଜଣାପଡିଛି ।
Comments are closed, but trackbacks and pingbacks are open.