କେନ୍ଦୁଝର,(ବି.ବି.ନୁ୍ୟଜ୍): କେନ୍ଦୁଝର ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ମଇଦାନକେଲ ଗ୍ରାମର ୪୫ ବର୍ଷିୟା ଗୌରୀ ମହାନ୍ତ ୨୦୧୭ ମସିହାରେ ନିଖୋଜ ହୋଇଯାଇଥିଲେ । ସୋସିଆଲ ମିଡିଆରେ ମହିଳାଙ୍କ ନିଖୋଜ ସମ୍ପର୍କରେ ଖବର ମିଳିବା ପରେ ମହିଳାଙ୍କୁ ଉଦ୍ଧାର କରାଯିବା ଘଟଣା କେନ୍ଦୁଝର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ମହିଳା ନିଖୋଜ ହେବା ପରେ ପରିବାର ଏବଂ ଗାଁ ଲୋକେ ନିରାଶ ହୋଇ ଆଶା ଛାଡି ଦେଇଥିବା ବେଳେ ଅଚାନକ ମହିଳାଙ୍କ ପତ୍ତା ମିଳିବା ଏବଂ ସେ ଗାଁକୁ ଫେରି ଆସିବା ଘଟଣା କେନ୍ଦୁଝରରେ ଏକ ପ୍ରମୁଖ ଖବର ହୋଇଛି । ଏଥିନେଇ ମଇଦାନକେଳ ଗ୍ରାମରେ ଖୁସିର ଲହରୀ ଖେଳିଯାଇଛି ।
ମଇଦାନକେଲ ଗ୍ରାମର ଗୌରୀ ମହାନ୍ତ ପାଚିକା ଭାବେ କାମ କରୁଥିଲେ । ପାଚିକା ସଂଘର ଆହ୍ୱାନରେ ସେ ଆନେ୍ଦାଳନରେ ସାମିଲ ହୋଇଥିଲେ । ସଂଘ ପକ୍ଷରୁ ପାଚିକାଙ୍କ ସମସ୍ୟା ସମ୍ପର୍କରେ ୨୦୧୭ ମସିହାରେ ଜୋରଦାର ଆନେ୍ଦାଳନ ହେଉଥିଲା । ରାଜ୍ୟ ସରକାରଙ୍କ ଠାରୁ ନିରାଶ ହେବା ପରେ ସଂଘର ଡାକରାରେ ପାଚିକାମାନେ ଦିଲ୍ଲୀ ଦରବାରରେ ଆନେ୍ଦାଳନ ପାଇଁ ନିଷ୍ପତ୍ତି ନେଇଥିଲେ । ୨୦୧୭ ନଭେମ୍ବର ୭ ତାରିଖରେ ଗୌରୀ ମହାନ୍ତ ଓ ତାଙ୍କ ଭଉଣୀ କୁନ୍ତଳା ମହାନ୍ତ ନିଜ ହକ ପାଇ ଆନେ୍ଦାଳନ କରିବାକୁ ଶହ ଶହ ପାଚିକାଙ୍କ ସହ ଦିଲ୍ଲୀ ଯାଇଥିଲେ । ହେଲେ ସେଠାରେ ଆନେ୍ଦାଳନ ପରେ ଗୌରୀ ମହାନ୍ତ ଦିଲ୍ଲୀରେ ବାଟବଣା ହୋଇ କୁଆଡେ ନିଖୋଜ ହୋଇଗଲେ । ତାଙ୍କୁ ଅନେକ ଖୋଜା ଖୋଜି କରିବା ପରେ କେହି ପତ୍ତା ପାଇଲେ ନାହିଁ । ସଂଙ୍ଗଠନ ପକ୍ଷରୁ ତାଙ୍କ ଘରକୁ ଖବର ଦେବା ପରେ ନଭେମ୍ବର ୧୨ ତାରିଖରେ ତାଙ୍କ ପୁତୁରା ଦିଲ୍ଲୀ ଯାଇ ଅନେକ ଦିନ ଧରି ଖୋଜା ଖୋଜି କରି ଖୁଡୀଙ୍କୁ ନ ପାଇ ଶେଷରେ ଦିଲ୍ଲୀର କାଇକାଜି ଥାନାରେ ଏକ ଏତଲା ଦେଇ ନିରାଶରେ ଘରକୁ ଫେରିଥିଲେ । ଇତିମଧ୍ୟରେ ୩ ବର୍ଷ ବିତିବାକୁ ଆଉ ଅଳ୍ପଦିନ ବାକି ରହିଥିବା ବେଳେ ପରିବାର ଲୋକେ ଓ ଗାଁ ସାଇପଡିଶା ଗୌରୀ ଆଉ ମିଳିବେନି ବୋଲି ବିଶ୍ୱାସ କରି ସାରିଥିଲେ । ଗତ ୧୦ ତାରିଖରେ ସୋସିଆଲ ମିଡିଆରେ ଗୌରୀଙ୍କ ସମ୍ପର୍କରେ ଫୋଟ ସହିତ ଏକ ଲେଖା ମଇଦାନକେଲ ସ୍କୁଲର ଶିକ୍ଷକ ସୁଧାଂଶୁ ଶେଖର ରାଉତ ଓ ମନୋଜ କୁମାର ମହାନ୍ତଙ୍କ ମୋବାଇଲକୁ ଆସିଥିଲା । ଏହି ଶିକ୍ଷକମାନେ ପାଚିକା ଗୌରୀକୁ ଚିହ୍ନଟ କରିବା ପରେ ତାଙ୍କ ପରିବାର ସହିତ ଆଲୋଚନା କରିଥିଲେ । ଫଳରେ ଗୌରୀଙ୍କ ପୁତୁରା କ୍ଷିରୋଦ ଓ ସଞ୍ଜୟ ଦିଲ୍ଲୀ ଯାଇ ଦି ଆର୍ଥ ସେଭର୍ର୍ସ ଫାଉଣ୍ଡେସନ ନାମକ ଏକ ସଂସ୍ଥାରୁ ଗୌରୀଙ୍କୁ ଉଦ୍ଧାର କରିଛନ୍ତି । ଏ ସମ୍ପର୍କରେ ଗୌରୀ କୁହନ୍ତି ସେ ନିଖୋଜ ହେବା ପରେ ଏହି ସଂସ୍ଥାରେ ଯାଇ ପହଞ୍ଚିଥିଲେ । ମାତ୍ର ସେ ଓଡ଼ିଆ ବ୍ୟତିତ ଅନ୍ୟ କୌଣସି ଭାଷା ଜାଣି ପାରିନଥିବାରୁ ନିଜାର ପରିଚୟ ଦେଇ ପାରିନଥିଲେ । ନିକଟରେ କଟକର ଜଣେ ମହିଳା ଉକ୍ତ ସଂସ୍ଥାରେ ଚାକିରୀରେ ଯୋଗ ଦେବା ପରେ ଗୌରୀ ସମ୍ପର୍କରେ ଜାଣି ସୋସିଆଲ ମିଡିଆର ସହାୟତା ନେଇଥିଲେ । ଫଳରେ ପରିବାର ଲୋକଙ୍କ ସହିତ ତାଙ୍କର ସମ୍ପର୍କ ସ୍ଥାପନ ହୋଇପାରିଥିଲା ବୋଲି କହିଥିଲେ ।
Comments are closed, but trackbacks and pingbacks are open.