ଆସାମ ଭଳି ରାଜଧାନୀ ଦିଲ୍ଲୀ ଓ ବାଣିଜ୍ୟ ନଗରୀ ମୁମ୍ବାଇରେ ମଧ୍ୟ ଏନ୍ଆରସି ଲାଗୁ କରିବାକୁ ଦାବି ଉଠିଛି । ଦିଲ୍ଲୀ ବିଜେପି ଶାଖା ସଭାପତି ତଥା ସାଂସଦ ମନୋଜ ତିୱାରୀ କହିଛନ୍ତି ବର୍ତ୍ତମାନ ରାଜଧାନୀରେ ବହୁ ସଂଖ୍ୟକ ବେଆଇନ ନାଗରିକ ବସବାସ କରୁଛନ୍ତି । ଯାହାଫଳରେ ଦିଲ୍ଲୀ ଏବେ ବିପଜ୍ଜନକ ଅଞ୍ଚଳରେ ପରିଣତ ହୋଇଛି । ତେଣୁ ସେମାନଙ୍କୁ ଠାବ କରି ତଡିବା ଲାଗି ଏଠାରେ ଏନ୍ଆରସି କାର୍ଯ୍ୟକାରୀ କରାଯିବା ଆବଶ୍ୟକ । ଗତ ମେ’ରେ ମଧ୍ୟ ତିୱାରୀ ଦିଲ୍ଲୀରେ ଏନ୍ଆରସି ଲାଗୁ କରିବାକୁ ଦାବି କରିଥିଲେ । କହିଥିଲେ ଦିଲ୍ଲୀରେ ବହୁ ସଂଖ୍ୟକ ରୋହିଙ୍ଗ୍ୟା ବସବାସ କରୁଥିବାରୁ ଆକ୍ରମଣର ଆଶଙ୍କା ରହିଛି । ଅନ୍ୟପକ୍ଷରେ ତିୱାରୀଙ୍କ ଏଭଳି ବୟାନକୁ କଂଗ୍ରେସ କଡା ସମାଲୋଚନା କରିଛି । ମହିଳା କଂଗ୍ରେସ ଟୁଇଟ କରି କହିଛି ଯେ ମନୋଜ ତିୱାରୀଜୀ ବିହାରର କଇମୁର ଅଞ୍ଚଳରେ ଜନ୍ମ ହୋଇଛନ୍ତି, ଉତ୍ତରପ୍ରଦେଶର ବାରାଣସୀରେ ପାଠପଢ଼ିଛନ୍ତି, ମହାରାଷ୍ଟ୍ରର ମୁମ୍ବାଇରେ କାମ କରିଛନ୍ତି, ଉତ୍ତରପ୍ରଦେଶର ଗୋରଖପୁରରୁ ନିର୍ବାଚନ ଲଢ଼ିଛନ୍ତି ଏବଂ ଏବେ ଦିଲ୍ଲୀରେ ନିର୍ବାଚନ ଲଢ଼ିଛନ୍ତି । ମାତ୍ର ସେ ଦିଲ୍ଲୀରୁ ଶରଣାର୍ଥୀଙ୍କୁ ବିଦା କରିବା କଥା କହିବା ହାସ୍ୟାସ୍ପଦ । ମୁମ୍ବାଇରେ ଶିବସେନା ମଧ୍ୟ ଏନ୍ଆରସି ଲାଗୁ କରିବାକୁ ଦାବି କରିଛି । ଶିବସେନା ନେତା ଅରବିନ୍ଦ ସାୱନ୍ତ କହିଛନ୍ତି ମୁମ୍ବାଇରେ ବହୁସଂଖ୍ୟକ ବେଆଇନ ନାଗରିକ ରହୁଛନ୍ତି । ତେଣୁ ଏଠାରେ ଏନ୍ଆରସି କାର୍ଯ୍ୟକାରୀ କରି ସେମାନଙ୍କୁ ହଟାଯିବା ଦରକାର । ତାଙ୍କ ଦଳ ହିଁ ଭାରତରେ ବେଆଇନ ଭାବେ ବସବାସ କରୁଥିବା ବାଂଲାଦେଶୀ ପ୍ରସଙ୍ଗ ଉଠାଇଥିବା ସେ କହିଛନ୍ତି । ଏଥିସହ ଅନ୍ୟ ରାଜ୍ୟରେ ମଧ୍ୟ ଏନ୍ଆରସି ଲାଗୁ କରିବାକୁ ସେ ଦାବି କରିଛନ୍ତି ।
Comments are closed, but trackbacks and pingbacks are open.