ଜଳେଶ୍ୱର,(ବି.ବି.ନ୍ୟୁଜ୍): ଜଲେଶ୍ୱର ଦୀନକୃଷ୍ଣ ମହାବିଦ୍ୟାଳୟରେ ରବିବାର ଅଭାବନୀୟ ପରିସ୍ଥିତି ଉପୁଜିଛି । ଆଜି ଦିନ ପ୍ରାୟ ୩ ଟାରେ ମହାବିଦ୍ୟାଳୟ ପରିସରରେ ସ୍ଥାନୀୟ ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟିର ଗୁରୁତ୍ୱପୁର୍ଣ୍ଣ ବୈଠକ ବସିଥିଲା । ଖୋଦ୍ ବିଧାୟକ ଉକ୍ତ କମିଟିର ଅଧ୍ୟକ୍ଷ ରହିଥିବା ସ୍ଥଳେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରମେଶ ଚନ୍ଦ୍ର ରାଉତ ସମ୍ପାଦକ ଅଛନ୍ତି । ଏଥିସହିତ ଅନ୍ୟ ୧୩ ଜଣ ଏହି କମିଟିରେ ସଦସ୍ୟ ଅଛନ୍ତି । କମିଟିର ନିୟମ ମୁତାବକ ବାଲେଶ୍ୱର ସାଂସଦ କିମ୍ବା ସାଂସଦଙ୍କ ପ୍ରତିନିଧି ମଧ୍ୟ ଉକ୍ତ ବୈଠକରେ ଉପସ୍ଥିତ ରହି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କାର୍ଯ୍ୟକାରିତା ଉପରେ ଅଂଶଗ୍ରହଣ କରିବାକୁ ପ୍ରଚଳିତ ପ୍ରଥା ଥିଲେ ମଧ୍ୟ ଆଜିକାର ବୈଠକରେ ବ୍ୟତିକ୍ରମ ଦେଖାଯାଇଥିଲା । ଯାହାକୁ ନେଇ ମହାବିଦ୍ୟାଳୟର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ବୈଠକ ଚାଲୁଥିବା ବେଳେ କମିଟିର ସ୍ୱେଚ୍ଛାଚାରିତା କାର୍ଯ୍ୟଶୈଳୀକୁ ବିରୋଧ କରି ମହାବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଯାଇଥିଲା । ଫଳରେ ମହାବିଦ୍ୟାଳୟ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଉଭୟ ବିଧାୟକ ଓ ଅଧ୍ୟକ୍ଷ ଏବିଭିପିର କର୍ମକର୍ତ୍ତା ତଥା ଛାତ୍ର ସତ୍ୟବାନ ଚନ୍ଦ, ଦୀନକୃଷ୍ଣ ମହାନ୍ତି, ଲକ୍ଷ୍ମଣ ମଣ୍ଡଳ, ଉକ୍ରଳ ସିଟ୍, ଭବାନୀଶଙ୍କର ବାରିକ, ସୁବ୍ରତ ନନ୍ଦୀ, ଛାତ୍ରୀ ଦୀପାଞ୍ଜଳି ପାତ୍ର, ପୂର୍ଣ୍ଣିମା ପାତ୍ର, ସୋନାଲୀ ବାରିକ, ପୁଷ୍ପିତା ଜେନା, ଇତିଶ୍ରୀ ଦାସ ପ୍ରମୁଖଙ୍କୁ ବୁଝାସୁଝା କରି ମହାବିଦ୍ୟାଳୟ ପରିସରରୁ ବାହାରିଥିଲେ । ତେବେ ଏହି ସମୟରେ ଛାତ୍ରଛାତ୍ରୀଙ୍କ ପ୍ରଶ୍ନ ବାଣରେ ସ୍ଥାନୀୟ ବିଧାୟକ ଶ୍ରୀ ପାତ୍ର ଓ ଅଧ୍ୟକ୍ଷ ଉଭୟେ ଏକପ୍ରକାର ହଟହଟା ହେବାର ଦେଖାଯାଇଥିଲା । ଏଣିକି ଭବିଷ୍ୟତରେ ଏଭଳି ବ୍ୟତିକ୍ରମ ହେବ ନାହିଁ ବୋଲି ପ୍ରତିଶ୍ରୁତି ଦେଇଥିଲେ ଅଧ୍ୟକ୍ଷ ଶ୍ରୀ ରାଉତ ।
Comments are closed, but trackbacks and pingbacks are open.