କଟକ,(ବି.ବି.ନ୍ୟୁଜ୍): ଉଲିବୁରୁ ଖଣି ଦୁର୍ନୀତି ଘଟଣାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତାଙ୍କ ଜାମିନ୍ ମାମଲାରେ ଆଜି ଭିଜିଲାନ୍ସ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଛି । ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଙ୍ଗମ କୁମାର ସାହୁଙ୍କ ଅଦାଲତରେ ଆଜି ଭିଜିଲାନ୍ସ ପକ୍ଷରୁ କରାଯାଇଥିବା ଯୁକ୍ତି ଉପସ୍ଥାପନ ଅସମାପ୍ତ ରହିଛି । ଆସନ୍ତା ୧୭ ତାରିଖକୁ ମାମଲାର ଶୁଣାଣି ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିଦିନ ଭିଜିଲାନ୍ସ ପୁଣି ତା’ର ପକ୍ଷ ରଖିବ । ଉଲ୍ଲେଖଯୋଗ୍ୟ ଯେ, ଦୀପକ ଗୁପ୍ତାଙ୍କ ନାମରେ ୧୮୦୦ କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ଭିଜିଲାନ୍ସ ଦୀପକ ଗୁପ୍ତାଙ୍କ ସହ ତାଙ୍କ ପରିବାର ଲୋକଙ୍କ ନାମରେ ମାମଲା ରୁଜୁ କରିଥିଲା । ଏଥିରେ ଦୀପକ ଗୁପ୍ତାଙ୍କୁ ଗିରଫ ମଧ୍ୟ କରାଯାଇଥିଲା । ଏହି ମାମଲାରେ ଦୀପକ ଗୁପ୍ତା ହାଇକୋର୍ଟରେ ୫ ଥର ଜାମିନ୍ ଆବେଦନ କରିଥିଲାବେଳେ ସୁପ୍ରିମ୍କୋର୍ଟରେ ୨ ଥର ଜାମିନ୍ ଆବେଦନ କରିଥିଲେ । ସବୁଥର ଜାମିନ୍ ଆବେଦନ ଖାରଜ ହୋଇଥିଲା । ଷଷ୍ଠ ଥର ଲାଗି ଦୀପକ ଗୁପ୍ତା ଜାମିନ୍ ଆବେଦନ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଭିଜିଲାନ୍ସ ପକ୍ଷରୁ ଏହି ମାମଲାକୁ ପରିଚାଳନା ଲାଗି ସ୍ୱତନ୍ତ୍ର ଭାବେ ବରିଷ୍ଠ ଆଇନଜୀବୀ ଏନ୍.ସି. ପାଣିଗ୍ରାହୀଙ୍କୁ ନିଯୁକ୍ତ କରାଯାଇଥିଲାବେଳେ ଆଇନଜୀବୀ ସାଗର ରଞ୍ଜନ ପାଣିଗ୍ରାହୀ, ଏନ୍.କେ. ତ୍ରିପାଠୀ ଏବଂ ଦିପ୍ତି ଧଳ ତାଙ୍କୁ ଏଥିରେ ସହାୟତା କରୁଛନ୍ତି ।
Comments are closed, but trackbacks and pingbacks are open.