ହରିଚନ୍ଦନପୁର, (ବି.ବି.ନ୍ୟୁଜ୍): ସେମାନେ ଜୀବନକୁ ବାଜି ଲଗାଇଥିଲେ । ଦେଶକୁ ସ୍ୱାଧୀନ କରିବା ଲାଗି ସହିଦ ହୋଇଥିଲେ । ଏହା ଭିତରେ ସ୍ୱାଧୀନତାକୁ ବିତିଛି ୭୨ ବର୍ଷ । ହେଲେ ସୋମାନଙ୍କ ପରିବାର ଆଜି ବି ବନ୍ଧା ପଡିଛନ୍ତି ଦୁଃଖର ଶିକୁଳିରେ । ପେଟ ଚାଖଣ୍ଡକ ପାଇଁ ବାରଦୁଆର ହେଉଛନ୍ତି । ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡିଏ ନାହିଁ । ଏଭଳି ଦୁର୍ଦ୍ଦିନରେ ଜୀବନ ବିତାଉଛନ୍ତି ସହିଦ ଆନନ୍ଦ ଦଣ୍ଡପାଟଙ୍କ ପରିବାର । ଆନନ୍ଦଙ୍କ ଘର କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ଶଗଡପଟା ପଞ୍ଚାୟତ ବେଡାଦୁମା ସାହିରେ । ଦେଶ ସିନା ସ୍ୱାଧୀନ ହେଲା ହେଲେ ତାଙ୍କ ପରିବାର ପ୍ରତି ସରକାର ଆଦୌ ଦୃଷ୍ଟି ଦେଉ ନ ଥିବା କହିଛନ୍ତି ସହିଦଙ୍କ ପୁତ୍ରବଧୂ ଲଳିତା ଦଣ୍ଡପାଟ ।
ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇ ଲାଠି ମାଡ ଖାଇବା ସହିତ ୬ ମାସ ଜେଲ ମଧ୍ୟ ଯାଇଥିଲେ ଆନନ୍ଦ । ସ୍ୱାଧୀନତା ସଚେତନତା କରିବା ପାଇଁ ଭିକ୍ଷାବୃତ୍ତି କରି ଗାଁ ଗାଁ ବୁଲୁଥିଲେ । ଦେଶ ମାତୃକା ପାଇଁ ଅନେକ କିଛି କରିଥିବା ବେଳେ ନିଜର ପରିବାର ସ୍ୱାର୍ଥକୁ ଭୁଲି ଯାଇଥିଲେ । ତେବେ ତାଙ୍କର ସମ୍ମାନ ପାଇଁ ଗ୍ରାମରେ ପ୍ରତିମୂର୍ତ୍ତି ତ ଦୂରର କଥା ପର୍ଯ୍ୟନ୍ତ ସଂଗ୍ରାମୀଙ୍କ ଗ୍ରାମରେ ବିଜୁଳି ଆଲୋକ କିମ୍ବା ପାନୀୟ ଜଳ ପରି ମୌଳିକ ସୁବିଧା ବି ନାହିଁ କହିଲେ ଚଳେ । ଶେଷରେ ପରିବାର ଲୋକେ ପ୍ରତିମୂର୍ତ୍ତି ନିର୍ମାଣ କଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ଆର୍ଥିକ ଅଭାବ କାରଣରୁ ଉନ୍ମୋଚନ ହୋଇ ପାରୁ ନାହିଁ ।
ସହିଦଙ୍କ ପରିବାରରେ ଏବେ ରହୁଛନ୍ତି ୧୩ ଜଣ । ଇତି ମଧ୍ୟରେ ସହିଦଙ୍କ ଦୁଇ ପୁଅ ହରିହର ଦଣ୍ଡପାଟ ଏବଂ ନରହରି ଦଣ୍ଡପାଟ ଆରପାରିକୁ ଚାଲିଗଲେଣି । ସହିଦ ଆନନ୍ଦଙ୍କ ଦୁଇ ପୁଅ ଏବଂ ଜଣେ ପୁତ୍ର ବଧୂ ଆରପାରିକୁ ଚାଲିଗଲା ପରେ ଲଳିତା ଏକମାତ୍ର ପୁତ୍ରବଧୂ ଭାବେ ଅଛନ୍ତି । ବହୁବାର ନେହୁରା ହେବା ପରେ ୨୦୧୭ ମସିହାରେ ସହିଦଙ୍କ ପରିବାରକୁ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ମାତ୍ର ଘର ସମ୍ପୂର୍ଣ୍ଣ ହୋଇ ପାରିନାହିଁ ବୋଲି ଚାଳଛପର ଘରେ ରହୁଛନ୍ତି ।
କେନ୍ଦୁଝର ଦରବାର ହଲରେ ସହିଦ ଆନନ୍ଦଙ୍କ ପ୍ରତିମୂର୍ତ୍ତି ଥିବା କଥା କହିଛନ୍ତି ତାଙ୍କ ପରିବାର । ୧୯୭୨ ମସିହାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସହିଦ ଆନନ୍ଦଙ୍କୁ ଏକ ତାମ୍ରଫଳକ ମଧ୍ୟ ପ୍ରଦାନ କରିଥିବା ସୂଚନା ଦେଇଛନ୍ତି ତାଙ୍କ ଅଣନାତି ପ୍ରଦୀପ କୁମାର ଦଣ୍ଡପାଟ । ପେଟକୁ ଦାନା ମୁଠିଏ ଯୋଗାଡ କରିବା ପାଇଁ ପରିଣତ ବୟସରେ ମୂଲ ଲାଗିବାକୁ ପଡୁଛି ସହିଦଙ୍କ ପୁତ୍ରବଧୂକୁ । ଜଣେ ସହିଦ ସଂଗ୍ରାମୀଙ୍କ ପରିବାର ପ୍ରତି କ’ଣ ସରକାରଙ୍କ ଏଭଳି ଦରଦ ବୋଲି ପ୍ରଶ୍ନ କରିଛନ୍ତି?
Comments are closed, but trackbacks and pingbacks are open.