କୋଲକାତା: ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ରାଜସ୍ୱ ଗୁଇନ୍ଦା ନିଦେ୍ର୍ଧଶାଳୟ (ଡିଆର୍ଆଇ) ଅଧିକାରୀମାନେ ଦୁଇଟି ସ୍ଥାନରେ ବଡ଼ ଧରଣର ଚଢ଼ଉ କରିଛନ୍ତି । ଏହି ଦୁଇଟି ଘଟଣାରେ ୧୦ କିଲୋଗ୍ରାମ୍ରୁ ଅଧିକ ଓଜନର ସୁନା ଏବଂ ମଁ୍ୟାମାର ଓ ଭାରତୀୟ ମୁଦ୍ରା ଜବତ କରାଯାଇଛି । ଏହାର ମୋଟ ମୂଲ୍ୟ ୪.୨ କୋଟି ଟଙ୍କା ହେବ । ମୋଟ ୬ ଜଣଙ୍କୁ ଗିରଫ କରାଯାଇଛି । ବୁଧବାର ପ୍ରକାଶ ପାଇଥିବା ସରକାରୀ ବିବୃତିରୁ ଏହି ସୂଚନା ମିଳିଛି ।
ପ୍ରଥମ ଅପରେସନ୍ରେ ଡିଆର୍ଆଇ ଅଧିକାରୀମାନେ ଦୁଇଟି ବସ୍କୁ ପିଛା କରି ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ କାବୁ କରିଥିଲେ । ଗୋଟିଏ ବସ୍ ସିଲଙ୍ଗ୍ରୁ ଆସୁଥିଲା ବେଳେ ଅନ୍ୟଟି ଗୌହାଟୀରୁ ଆସୁଥିଲା । ଚଢ଼ଉ ବେଳେ ୩୮ ଖଣ୍ଡ ସୁନା ବିସ୍କୁଟ୍, (ପ୍ରତ୍ୟେକର ଓଜନ ୧୬୬ ଗ୍ରାମ୍) ଏବଂ ସୁନା ଛଡ଼ (୧ କିଲୋ) ମିଳିଥିଲା । ଏହି ସୁନାର ମୋଟ ଓଜନ ୭.୩ କିଲୋଗ୍ରାମ୍ ହେବ । ଅଭିଯୁକ୍ତମାନେ ସେମାନଙ୍କ ଜୋତାରେ ଏହାକୁ ଲୁଚାଇ ଆସୁଥିଲେ । ଆହୁରି ମଧ୍ୟ ଜଣେ ଅଭିଯୁକ୍ତଙ୍କ ନିକଟରୁ ୧,୦୦,୧୫୦ ମଁ୍ୟାମାର ମୁଦ୍ରା ଜବତ ହୋଇଥିଲା ।
ଜେରା ବେଳେ ସେମାନେ କହିଥିଲେ ଯେ ଜଣେ ମଁ୍ୟାମାର ନାଗରିକ ଆଇଜଲ୍ରେ ସେମାନଙ୍କୁ ଏହି ସୁନା ହସ୍ତାନ୍ତର କରିଥିଲେ । କୋଲକାତାରେ ପହଞ୍ଚିବା ପରେ କାହାକୁ ଏହି ସୁନା ଦିଆଯିବ, ତାହା ଜଣାଇ ଦିଆଯିବ ବୋଲି ସେମାନଙ୍କୁ କୁହାଯାଇଥିଲା । ପ୍ରକୃତରେ ଏହା କାହା ପାଖକୁ ଆସୁଥିଲା, ତାହା ଜାଣିବା ଲାଗି ଅଧିକ ତନାଘନା ଜାରି ରହିଛି । ଜବତ ସୁନା ଓ ମୁଦ୍ରାର ମୋଟ ମୂଲ୍ୟ ୨.୮୯ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।
ଅନ୍ୟପକ୍ଷରେ ଡିଆର୍ଆଇ ଅଧିକାରୀମାନେ ଦ୍ୱିତୀୟ ଘଟଣାରେ ମଙ୍ଗଳବାର ସକାଳେ ରାଣାଘାଟ ନିକଟରେ ଏକ ବସ୍କୁ ପିଛା କରିଥିଲେ । ଏହି ଘଟଣାରେ ଦୁଇଜଣ ମହିଳାଙ୍କୁ ଧରାଯାଇଥିଲା । ଜେରା ବେଳେ ସେମାନେ ଲଗେଜରେ ସୁନା ଲୁଚାଇ ଆସୁଥିବା ଜଣେ ମହିଳା ମାନିଥିଲେ । ଏହାପରେ ସେମାନଙ୍କ ଠାରୁ ୨୦ ଖଣ୍ଡ ସୁନା ବିସ୍କୁଟ୍ ଜବତ କରାଯାଇଥିଲା । ପ୍ରତ୍ୟେକ ସୁନା ବିସ୍କୁଟ୍ର ଓଜନ ୧୬୬ ଗ୍ରାମ୍ ହେବ । ଏହାବ୍ୟତୀତ ଏମାନଙ୍କଠାରୁ ୨୧,୬୦୦ ଟଙ୍କା ମଧ୍ୟ ଜବତ ହୋଇଥିଲା ।
ଦ୍ୱିତୀୟ ଘଟଣାରେ ମଧ୍ୟ ଜଣେ ମଁ୍ୟାମାର ନାଗରିକ ଏହି ସୁନାକୁ ଦୁଇ ମହିଳା ବସ୍ ଯାତ୍ରୀଙ୍କୁ ଦେଇଥିଲେ । କୋଲକାତାରେ ଜଣେ ବ୍ୟକ୍ତିଙ୍କୁ ଏହି ସୁନା ହସ୍ତାନ୍ତର କରିବାକୁ କୁହାଯାଇଥିଲା । କିନ୍ତୁ ତାଙ୍କ ନାମ ତାଙ୍କୁ କୁହାଯାଇ ନଥିଲା । ଏହି ସୁନାର ମୋଟ ଓଜନ ୩.୩ କିଲୋଗ୍ରାମ ହେବ, ଯାହାର ମୂଲ୍ୟ ୧.୩୧ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।


Comments are closed, but trackbacks and pingbacks are open.