
ବ୍ରହ୍ମପୁର,(ବି.ବି.ନୁ୍ୟଜ): ଗଞ୍ଜାମ ଜିଲ୍ଲାରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ପ୍ରାୟ ସାଢେ଼ ୩ ମାସରୁ ଅଧିକ ସମୟ ବ୍ୟବଧାନରେ ଜିଲ୍ଲାରେ କୌଣସି ଗୋଟିଏ ଦିନ ଚିହ୍ନଟ ସଂକ୍ରମିତଙ୍କ ସଂଖ୍ୟା ଦୁଇ ଅଙ୍କ ପାର୍ କରିଛି । ଜିଲ୍ଲା ପ୍ରଶାସନ ଦ୍ୱାରା ଶନିବାର ପ୍ରଦତ୍ତ ସୂଚନା ମୁତାବକ ୧୧ ଜଣ ଆକ୍ଟିଭ୍ କଣ୍ଟାକ୍ଟ ଓ ୨ ଜଣ ପ୍ରବାସୀ ନୂଆ କରି ସଂକ୍ରମିତ ହୋଇଛନ୍ତି । ଗତ ଡିସେମ୍ବର ମାସ ୧୩ ତାରିଖରେ ଶେଷ ଥର ପାଇଁ ଜିଲ୍ଲାରେ କୌଣସି ଦିନ ପଜିଟିଭ୍ ସଂଖ୍ୟା ଦୁଇ ଅଙ୍କ ଉପରେ ଥିଲା । ସେହି ଦିନ ଜଣେ ପ୍ରବାସୀ, ଦୁଇ ଜଣ ଯୋଦ୍ଧା ଓ ୧୧ ଜଣ ଆକ୍ଟିଭ୍ କଣ୍ଟାକ୍ଟ ତଥା ମୋଟରେ ୧୪ ଜଣ ଆକ୍ରାନ୍ତ ହୋଇଥିଲେ । ତା ପୂର୍ବରୁ ନଭେମ୍ବର ୨୮ରେ ଜଣେ ଯୋଦ୍ଧା ଓ ୯ ଜଣ ଆକ୍ଟିଭ୍ କଣ୍ଟାକ୍ଟ ବା ମୋଟ ୧୦ ଜଣ ପଜିଟିଭ୍ ଠାବ ହୋଇଥିଲେ । ଅପରପକ୍ଷରେ ଗତ ୭ ଦିନରେ ୪୭ ଜଣ ସଂକ୍ରମିତ ବାହାରିଲେଣି । ଏଥିରୁ ଜିଲ୍ଲାରେ ଏବେ ସଂକ୍ରମଣ ଧିରେ ଧିରେ ଉପରମୁହାଁ ହେଉଥିବା ସ୍ପଷ୍ଟ ଅନୁମାନ କରି ହେଉଛି ।
ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୨ ହଜାର ଛୁଇଁବାକୁ ଯାଉଛି । ୧୩ ନୂଆ ପଜିଟିଭ୍ ଚିହ୍ନଟ ପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧,୯୯୨ ହୋଇଛି । ତେବେ ଆଉ ୭ ଜଣ ରୋଗୀ ସୁସ୍ଥ ହେବା ପରେ ଆରୋଗ୍ୟ ଲାଭ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୨୧,୭୦୮ ହୋଇଛି । ଜିଲ୍ଲାରେ ଏବେ ଆଉ ୨୮ ଜଣ କୋଭିଡ୍- ୧୯ ରୋଗୀ ଚିକିତ୍ସାଧୀନ ଥିବା ବେଳେ ପୂର୍ବରୁ ୨୫୬ ଜଣଙ୍କ ମୃତୁ୍ୟ ଘଟିଥିଲା । ମୋଟ ସଂକ୍ରମିତ ଓ ମୋଟ ସୁସ୍ଥ ହୋଇଥିବା ବ୍ୟକ୍ତି ତାଲିକାରେ ଗଞ୍ଜାମ ଏବେ ଖୋର୍ଦ୍ଧା ଓ କଟକ ପରେ ତୃତୀୟ ସ୍ଥାନରେ ରହିଛି । ମୃତୁ୍ୟ ତାଲିକାରେ ଗଞ୍ଜାମ ଦ୍ୱିତୀୟ ସ୍ଥାନରେ ଅଛି । ତେବେ ଆଶ୍ୱସ୍ତିର କଥା ଆକ୍ଟିଭ୍ ପଜିଟିଭ୍ (ଚିକିତ୍ସାଧୀନ ରୋଗୀ) ତାଲିକାରେ ଗଞ୍ଜାମ ଏଯାବତ୍ ବେଶ୍ ଭଲ ସ୍ଥାନରେ ରହିଛି । ଅପରପକ୍ଷରେ ଶୁକ୍ରବାର ୧୮୨୭ ନମୁନା ପରୀକ୍ଷା ପାଇଁ ସଂଗ୍ରହ କରାଯାଇଥିଲା । ଫଳରେ ମୋଟ ନମୁନା ସଂଗ୍ରହ ସଂଖ୍ୟା ୮ ଲକ୍ଷ ୧୩ ହଜାର ୯୪୩ ହୋଇଛି ।
ନୂଆ ପଜିଟିଭ୍ ମଧ୍ୟରୁ ଆସିକା ବ୍ଲକ୍ର ୨ ଜଣ ପ୍ରବାସୀ ସଂକ୍ରମିତ ରହିଛନ୍ତି । ସର୍ବାଧିକ ୪ ଜଣ ଆକ୍ଟିଭ୍ କଣ୍ଟାକ୍ଟ ବ୍ରହ୍ମପୁରରୁ, ୩ ଜଣ ଛତ୍ରପୁରରୁ, ଜଣେ କବିସୂର୍ଯ୍ୟନଗରରୁ ଓ ଗଞ୍ଜାମ ଜିଲ୍ଲାରେ ଥିବା ଅନ୍ୟ ଅଞ୍ଚଳର ୩ ଜଣ ଆକ୍ଟିଭ୍ କଣ୍ଟାକ୍ଟ ବ୍ୟକ୍ତି ଆକ୍ରାନ୍ତ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ବାହାରୁ ଲୋକଙ୍କୁ ନିହାତି ଦରକାର ନଥିଲେ ଗଞ୍ଜାମକୁ ଆସିବାକୁ ବାରଣ କରିଛି । ଦଣ୍ଡ ଯାତ୍ରା କିମ୍ବା ଚୈତ୍ର ମଙ୍ଗଳବାର ଯାତ୍ରା ପାଇଁ ଜିଲ୍ଲାକୁ ନ ଆସିବାକୁ ପରାମର୍ଶ ଦେଇଛି । ଅଥଚ ଟ୍ରେନ୍ ଯୋଗେ ଦେଶର ହଟ୍ସ୍ପଟ୍ କୁହାଯାଉଥିବା ମହାରାଷ୍ଟ୍ର, ଗୁଜରାଟ ସମେତ ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟରୁ ପ୍ରତ୍ୟହ ବହୁ ଲୋକ ବ୍ରହ୍ମପୁର ତଥା ଗଞ୍ଜାମକୁ ଆସୁଛନ୍ତି । ସେହି କାରଣରୁ ଅନେକ ମାସ ବ୍ୟବଧାନରେ ଜିଲ୍ଲାରେ ପ୍ରବାସୀମାନେ ପୁଣି ଥରେ ଆକ୍ରାନ୍ତ ହେବା ପରିଲକ୍ଷିତ ହେଉଛି । ଗତ ୩୧ ତାରିଖରେ ୬ ଜଣ ଆକ୍ଟିଭ୍ କଣ୍ଟାକ୍ଟ ଓ ଜଣେ ପ୍ରବାସୀ ସଂକ୍ରମିତ ହୋଇଥିଲେ । ଶନିବାର ଦୁଇ ଜଣ ପ୍ରବାସୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଜିଲ୍ଲାରେ ପୁଣି ଦୁଇ ଅଙ୍କରୁ ଊଦ୍ଧ୍ୱର୍ ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ କଟକଣାକୁ କଠୋର କରିଛି । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଯେ- ଏଣିକି ପ୍ରତ୍ୟେକ ଦଣ୍ଡନାଚ ପାର୍ଟିରେ ସର୍ବାଧିକ ୨୫ ଜଣ ହିଁ ଭାଗ ନେଇପାରିବେ । ପୂର୍ବରୁ ୫୦ ଜଣ ଦଣ୍ଡୁଆଙ୍କୁ ସାମିଲ ହେବାକୁ ଅନୁମତି ଦିଆଯାଇ ଥିଲା । ସେହିପରି ରାତିରେ ଆଉ ପାରମ୍ପରିକ କାର୍ଯ୍ୟକ୍ରମ ହେବ ନାହିଁ ବୋଲି ନିଦେ୍ର୍ଧଶ ଦିଆଯାଇଛି । ପୂର୍ବରୁ ସାମାଜିକ ଦୂରତା ସହ ସର୍ତ୍ତମୂଳକ ଭାବେ ରାତ୍ର କାର୍ଯ୍ୟକ୍ରମକୁ ଅନୁମତି ଦେଇଥିଲା ପ୍ରଶାସନ । ସେହିପରି ପ୍ରସିଦ୍ଧ ତାରାତାରିଣୀ ପୀଠରେ ଏଣିକି ମୁଣ୍ଡନ କାର୍ଯ୍ୟକୁ ବାରଣ କରାଯାଇଛି । ପ୍ରଥମ ପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରାୟ ୨ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା । ହଜାର ହଜାର ଶିଶୁଙ୍କ ମୁଣ୍ଡନ କରାଯାଇ ଥିଲା । ଏବେ ଆଉ ତାହାକୁ ଅନୁମତି ଦେବନି ପ୍ରଶାସନ । ସେହିପରି ଜିଲ୍ଲାର ସମସ୍ତ ଦୋକାନୀ ସାମାଜିକ ଦୂରତା ସହ ପଞ୍ଚସୂତ୍ର ନିୟମ ପାଳନ କରିବାକୁ ବାଧ୍ୟତାମୂଳକ କରାଯାଇଛି । ନଚେତ୍ ଦୋକାନ, ସପିଙ୍ଗ୍ ମଲ୍ ସିଲ୍ କରି ଦିଆଯିବ ବୋଲି ପୂର୍ବରୁ ପ୍ରଶାସନ ଚେତାଇ ଦେଇଛି । ନିହାତି ଆବଶ୍ୟକତା ନଥିଲେ ବାହାରକୁ ନବାହାରି ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ବୋଲି ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।
ଗୋଟିଏ ପଟେ କୋଭିଡ୍ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଉଥିବା ବେଳେ ଆରପଟେ ଟିକାକରଣ ମଧ୍ୟ ଜାରି ରହିଛି । ଶନିବାର ସୁଦ୍ଧା ଜିଲ୍ଲାରେ ୨ ଲକ୍ଷ ୫୮ ହଜାର ୩୩୦ ଜଣ ପ୍ରଥମ ଡୋଜ୍ ଟିକା ନେଇସାରିଲେଣି । ୪୫ରୁ ୬୦ ବର୍ଷ ବୟସ ମଧ୍ୟରେ ୭୬,୮୮୧ ଜଣ ଏବଂ ୬୦ ବର୍ଷରୁ ଊଦ୍ଧ୍ୱର୍ ବୟସ୍କ ୧ ଲକ୍ଷ ୮୧ ହଜାର ୪୪୯ ଜଣ ଟିକା ନେଲେଣି । ଶନିବାର ଏହି ବର୍ଗରେ ଯଥାକ୍ରମେ ୨୧,୫୨୧ ଜଣ ଏବଂ ୬୯୮୯ ଜଣ ପ୍ରଥମ ଡୋଜ୍ ଗ୍ରହଣ କରିଛନ୍ତି । ସେହିପରି ଦ୍ୱିତୀୟ ଡୋଜ୍ ଏଯାବତ୍ ୪୫ରୁ ୬୦ ବର୍ଷ ବୟସ ମଧ୍ୟରେ ମୋଟ ୧୬୮ ଏବଂଂ ୬୦ ବର୍ଷରୁ ଅଧିକ ବୟସର ୪୭୯୦ ଜଣ ଗ୍ରହଣ କରିଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରୁ ପ୍ରକାଶ ।
Comments are closed, but trackbacks and pingbacks are open.