ଧାମନଗର,(ବି.ବି.ନୁ୍ୟଜ୍): ଚଞ୍ଚକତା କରି ଏଟିଏମ କାର୍ଡ ନେଉଥିଲେ । ସେଥିରୁ ଲକ୍ଷ ଲକ୍ଷ ଟଙ୍କା ଉଠାଉ ଥିଲେ । ନୀରିହ ଗରାଖଙ୍କୁ ଟାର୍ଗେଟ କରୁଥିଲେ । ଏଟିଏମ ହାତେଇ ଚମ୍ପଟ ମାରୁଥିଲେ । ସଙ୍ଗେସଙ୍ଗେ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇ ଯାଉଥିଲା । ଏଭଳି ଦୁଇ ଜଣ କୁଖ୍ୟାତ ଲୁଟେରାଙ୍କୁ ଧାମନଗର ପୁଲିସ ଗିରଫ କରିଛି । ଗିରଫ ପରେ ସେମାନଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ଥିବା ପୁଲିସ ଜାଣିବାକୁ ପାଇଛି । ଗିରଫ ହୋଇଥିବା ଅଭିଯୁକ୍ତ ଦ୍ୱୟ ହେଲେ ଯାଜପୁର ଜିଲା ମଙ୍ଗଳପୁର ଥାନା ଚମ୍ପେଇପାଳ ଗ୍ରାମର ସୂର୍ଯ୍ୟମଣି ସାମଲଙ୍କ ପୁଅ ପ୍ରମୋଦ ଓ ତାଙ୍କ ସମ୍ପର୍କୀୟ ଭାଇ ସୌମ୍ୟ ରଞ୍ଜନ ସାମଲ ।
ଧାମନଗର ଥାନା ଭଗବାନପୁର ଅଞ୍ଚଳର ମାୟାଧର ଦାସ ଗତ ଜୁଲାଇ ୨୨ ତାରିଖ ଧାମନଗରସ୍ଥିତ ମନିସ୍ପଟ ଏଟିଏମକୁ ଟଙ୍କା ଉଠାଇବାକୁ ଆସିଥିଲେ । ସେଠାରୁ ଦୁଇ ହଜାର ଟଙ୍କା ଉଠାଇ ଥିଲେ । ଟଙ୍କା ଉଠାଇବା ପରେ ତାଙ୍କ ପଛ ପଟେ ଠିଆ ହୋଇଥିବା ଜଣେ ଯୁବକ ମିନି ଷ୍ଟେଟମେଣ୍ଟ ମାରନ୍ତୁ ବୋଲି କହିଥିଲେ । ଏହି ସମୟରେ ସମ୍ପୃକ୍ତ ଯୁବକ ମାୟାଧରଙ୍କ ଏଟିଏମ କାର୍ଡ କୌଶଳ କ୍ରମେ ହାତେଇ ନେଉଥିଲେ । ଅନ୍ୟ ଏକ ଏଟିଏମ କାର୍ଡ ତାଙ୍କ ହାତକୁ ବଢାଇ ଦେଇଥିଲେ । ଏପରିକି ମିନି ଷ୍ଟେଟମେଣ୍ଟ ମାରିବା ବେଳେ ପାସୱାର୍ଡକୁ ମନେରଖି ଦେଇଥିଲେ । ମାୟାଧର ପୁରୁଣା ଏଟିଏମକୁ ନିଜ ପର୍ସରେ ରଖି ଘରକୁ ଚାଲି ଯାଇଥିଲେ । ମାତ୍ର ସେହି ମାସ ୨୨-୨୪ ତାରିଖ ମଧ୍ୟରେ ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୬୮ ହଜାର ଟଙ୍କା ଉଠାଣ ହୋଇଥିଲା । ୨୫ ତାରିଖ ମାୟାଧର ପୁଣି ଧାମନଗର ଆସି ଏଟିଏମରୁ ଟଙ୍କା ଉଠାଇବା ପାଇଁ ପର୍ସରୁ କାର୍ଡ ବାହାର କରିବା ସମୟରେ ତାଙ୍କର ଏହି କାର୍ଡ ନୁହେଁ ବୋଲି ଜାଣିବାକୁ ପାଇଥିଲେ । ପରେ ତୁରନ୍ତ ଦୋବଲସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ଆସି ନିଜ ଆକାଉଣ୍ଟକୁ ବ୍ଲକ କରିଦେଇଥିଲେ । ସେତେ ବେଳକୁ ତାଙ୍କ ଆକାଉଣ୍ଟରେ ମାତ୍ର ୩୬୦ ଟଙ୍କା ରହିଥିବା ଜାଣିବାକୁ ପାଇଥିଲେ । ଏସମ୍ପର୍କରେ ମାୟାଧର ଧାମନଗର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଥାନାଧିକାରୀ ମାନସ କୁମାର ଦେଓଙ୍କ ନିଦେ୍ର୍ଧଶରେ ଏସଆଇ ମୋତିଲାଲ ମାରାଣ୍ଡି ଏହି ମାମଲାର ତଦନ୍ତ ଭାର ନେଇଥିଲେ । ପୁଲିସ ଏହି ଏଟିଏମ କାର୍ଡରୁ କେଉଁ କେଉଁ ସ୍ଥାନରୁ ଟଙ୍କା ଉଠାଯାଇଛି ତାହାର ଖୋଳତାଡ଼ ଆରମ୍ଭ କରିଥିଲା । ପ୍ରଥମେ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କ ଠାରୁ ସୁରାକ ପାଇବା ପରେ ସେସବୁ ସ୍ଥାନର ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲା । ସମ୍ପୃକ୍ତ ଲୁଟେରା ଏଟିଏମ ହାତେଇବା ପରେ ପ୍ରଥମେ ଦୋବଲ ଏଟିଏମ କାଉଣ୍ଟରରୁ ୪୦ ହଜାର ଟଙ୍କା ଉଠାଇ ଥିଲେ । ପରେ ଭଦ୍ରକ ମେଟ୍ରୋ ବଜାରରେ କିଛି ସାମଗ୍ରୀ କିଣିଥିଲେ । ସେଠାରେ ଜିନିଷ କିଣିବା ବେଳେ ବିଲରେ ତାଙ୍କ ମୋବାଇଲ ନମ୍ବର ଦେଇଥିଲେ । ପରେ ଜୁଲାଇ ୨୩ ଓ ୨୪ ତାରିଖ ଯାଜପୁର ଜିଲାର ଛତିଆ, ଚଣ୍ଡିଖୋଲ, ମଙ୍ଗଳପୁର ଓ ଦଶରଥପୁର ଆଦି ଏଟିଏମରୁ ମୋଟ୍ ୧ ଲକ୍ଷ ୬୫ ହଜାର ୭ ଶହ ଟଙ୍କା ଉଠାଇ ଥିଲେ । ପୁଲିସ ଉକ୍ତ ମୋବାଇଲ ନମ୍ବରରୁ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚି ଥିଲା । ମୁଖ୍ୟ ଅଭିଯୁକ୍ତଙ୍କ ଘର ଯାଜପୁର ଜିଲା ମଙ୍ଗଳପୁର ଥାନା ଚମ୍ପେଇପାଳ ଗ୍ରାମର ସୂର୍ଯ୍ୟମଣି ସାମଲଙ୍କ ପୁଅ ପ୍ରମୋଦ ବୋଲି ଜାଣିଥିଲା ।
ପ୍ରମୋଦ ଓ ତାଙ୍କର ଅନ୍ୟ ଜଣେ ସହଯୋଗୀ ଭାଇ ସୌମ୍ୟରଞ୍ଜନ ସାମଲ ନିଜ ଗାଁ ଛକରେ ଥିବା ବେଳେ କୌଣସି ସୂତ୍ରରୁ ଖବରପାଇ ପୁଲିସ ସେଠାରେ ପହଞ୍ଚି ଉଭୟଙ୍କୁ ଗିରଫ କରିଥିଲା । ସମ୍ପୃକ୍ତ ଅଭିଯୁକ୍ତଙ୍କ ନାମରେ ଭଦ୍ରକ ଗ୍ରାମାଞ୍ଚଳ, ଆଳି ଓ ଯାଜପୁର ଟାଉନ ଥାନାରେ ମାମଲା ରହିଛି । ଗିରଫ ହୋଇ ଜେଲରେ ଥିବା ବେଳେ ଏବେ ବେଲରେ ଆସି ଏପରି କାଣ୍ଡ ଭିଆଉଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଗିରଫ ସମୟରେ ପୁଲିସ ଏକ କାର ସହିତ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ଆଜି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
Comments are closed, but trackbacks and pingbacks are open.