ଦୁଇ ଗାଁ ମୁହାଁମୁହିଁ:ତୀର ମାଡ଼ରେ ଜଣଙ୍କ ମୃତ୍ୟୁ, ୨୦ ଆହତ

Get real time updates directly on you device, subscribe now.

ନରସିଂହପୁର,(ବି.ବି.ନ୍ୟୁଜ୍): ପାଣି ବନ୍ଧ କାଟିବାକୁ କେନ୍ଦ୍ର କରି ଦୁଇ ଗାଁ ମଧ୍ୟରେ ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷ ହୋଇଛି । ତୀର ମାଡ଼ରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଉଭୟ ପକ୍ଷର ୨୦ ରୁ ଅଧିକ ଆହତ ହୋଇଛନ୍ତି । ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନାମ ହେଲା ଶ୍ରୀଧର ସାମଲ(୫୦) । ମାର୍ପିଟ୍ ସହ ଘର ଭଙ୍ଗାରୁଜା ଏବଂ ପୋଡାଜଳା ଯୋଗୁଁ ଉତ୍ତେଜନା ଲାଗି ରହିଛି । ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି । ଘଟଣାସ୍ଥଳରେ ପୁଲିସ ପହଞ୍ôଚ ପରିସ୍ଥିତିକୁ ଆୟତ୍ତକୁ ଆଣିବା ସହ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି ।
ମିଳିଥିବା ସୂଚନା ମୁତାବକ, କିଛି ଦିନ ତଳେ ଚାମୁଣ୍ଡାପଲ୍ଲୀ ବନ୍ଧରୁ ପାଣି ଭାଗବଣ୍ଟା ନେଇ ସାଗର ଓ ପାଞ୍ଚଗୋଛିଆ ଗାଁ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ସ୍ଥାନୀୟ ତହସିଲଦାର ଏହାର ସମାଧାନ କରିଥିଲେ ବି ଆଜି ହଠାତ୍ ବିବାଦକୁ କେନ୍ଦ୍ର କରି ଦୁଇ ଗାଁ ମୁହାମୁହିଁ ହୋଇଥିଲେ । ଯାହଫଳରେ ଗୋଷ୍ଠୀ ସଂଘର୍ଷର ସୂତ୍ରପାତ ହୋଇଥିଲା । ଉଭୟ ପକ୍ଷ ପରସ୍ପର ଉପରେ ଆକ୍ରମଣ କରିଥିଲେ । ମାର୍ପିଟ୍, ଢେଲାପଥର ମାଡ଼ ସହ ତୀର ଚାଳନା ବି ହୋଇଥିଲା । ତୀର ମାଡ଼ରେ ସାଗର ଗ୍ରାମର ଶ୍ରୀଧର ସାମଲ୍ ଘଟଣାସ୍ଥଳରେ ଟଳି ପଡିଥିଲେ । ସେହିପରି ଉଭୟ ପକ୍ଷର ଆକ୍ରମଣ ଓ ପ୍ରତିଆକ୍ରମଣରେ ଦୁଇ ଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ପ୍ରାୟ ୨୦ରୁ ଅଧିକ ବ୍ୟକ୍ତି ଆହତ ହୋଇଛନ୍ତି । ଗୁରୁତର ମାନଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଘଟଣା ନେଇ ପରିସ୍ଥିତି ଉତ୍ତେଜନାମୂଳକ ରହିଛି । ଭୟରେ ଉଭୟ ଗ୍ରାମ ପୁରୁଷଶୂନ୍ୟ ହୋଇଯାଇଛି । କଟକ ଗ୍ରାମାଞ୍ଚଳ ଏସ୍ପି ରାଧାବିନୋଦ ପାଣିଗ୍ରାହୀ, ଏସ୍ଡିପିଓ ଆଲୋକ ରଞ୍ଜନରାୟ, ନରସିଂହପୁର ଥାନା ଅଧିକାରୀ ଲିଙ୍ଗରାଜ ଲେଙ୍କାଙ୍କ ସମେତ କାନପୁର, ବଡମ୍ବା, ତିଗିରିଆ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ôଚ ସ୍ଥିତି ଯାଞ୍ଚ୍ କରିଛନ୍ତି । ଗାଁରେ ୧୦ଜଣ ଏଏସ୍ଆଇଙ୍କ ସମେତ ଦୁଇ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି । ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଘଟଣାସ୍ଥଳରୁ ପୁଲିସ୍ ଧନୁ,ତୀର ଜବତ କରିଛି । ଘଟଣାକୁ କେନ୍ଦ୍ର କରି ଉଭୟ ଗ୍ରାମର ଶତାଧିକ ଲୋକଙ୍କ ନାଁରେ ନରସିଂହପୁର ଥାନାରେ ଅଭିଯୋଗ ହୋଇଛି । ପୁଲିସ୍ ଦୁଇଟି ମାମଲା ରୁଜୁ କରାଯାଇଥିବା ଜଣାପଡିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons