ଦୁଇ ଜଣଙ୍କୁ କଚାଡ଼ି ମାରିଲା ଦନ୍ତା

Get real time updates directly on you device, subscribe now.

ଛେଣ୍ଡିପଦା,(ବି.ବି.ନୁ୍ୟଜ): ଛେଣ୍ଡିପଦା ବନାଞ୍ଚଳ ପାଟକମୁଣ୍ଡା ପଞ୍ଚାୟତ ରାମଚନ୍ଦ୍ରପୁର ଗ୍ରାମରେ ବୁଧବାର ସକାଳେ ହାତୀ ଆକ୍ରମଣରେ ଦୁଇ ଜଣଙ୍କର ଅକାଳ ମୃତୁ୍ୟ ଘଟିଛି । ମହୁଲ ସଂଗ୍ରହ କରିବାକୁ ଯାଇଥିବା ବେଳେ ଗ୍ରାମର ସୁହାଗି ସେଠୀ (୫୦) ଓ ପଞ୍ଚାନନ ପାଣିଗ୍ରାହୀ (୬୦) ଦନ୍ତା ହାବୁଡ଼ରେ ପଡ଼ି ପ୍ରାଣ ହରାଇଛନ୍ତି । ଏହି ଘଟଣା ଗ୍ରାମରେ ତୀବ୍ର ଉତ୍ତେଜନା ସୃଷ୍ଟି କରିଥିବା ବେଳେ ହାତୀ ଉପଦ୍ରବର ସ୍ଥାୟୀ ପ୍ରତିକାର ଦାବି କରାଯାଇଛି ।
ପ୍ରକାଶ ଯେ, ରାମଚନ୍ଦ୍ରପୁର ଜନବସତି ଭିତରକୁ ହାତୀ ପଶିଆସିଥିବା ନେଇ ଆଜି ସକାଳ ୬ଟା ବେଳେ ପ୍ରଚାର ହୋଇଯାଇଥିଲା । ଗ୍ରାମବାସୀ ଯିଏ ଯେଉଁଠିଥିଲେ ଗାଁ’ ଭିତରେ ଏକାଠି ହୋଇଯାଇଥିଲେ । କିନ୍ତୁ ସୁହାଗି ଓ ପଞ୍ଚାନନଙ୍କ ଦେଖାମିଳିଥିଲା । ସୁହାଗି ଭୋର୍ରୁ ଘରଠାରୁ ମାତ୍ର ୧୦୦ ମିଟର ଦୂର ମହୁଲ ଗଛ ପାଖକୁ ମହୁଲ ସଂଗ୍ରହ କରିବାକୁ ପଳାଇ ଯାଇଥିଲେ । ପରେ ତାଙ୍କ ସ୍ୱାମୀ ଭଜମନ ସେଠୀ ଖୋଜାଖୋଜି କରି ଗଛ ପାଖରେ ସୁହାଗିଙ୍କ ରକ୍ତରଂଜିତ ମୃତଦେହ ଠାବ କରିଥିଲେ । ପୂର୍ବରୁ ସେହି ରାସ୍ତାରେ ପଞ୍ଚାନନ ସାଇକେଲ୍ରେ ଯାଇଥିଲେ । ସେହି ରାସ୍ତାରେ ତାଙ୍କ ଭାଇ ତଲାସି ନେବାରୁ ସାଇକେଲ୍ ସହ ପଞ୍ଚାନନଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଦୁଇ ଦୁଇଟି ଜୀବନ ନେବା ପରେ ହାତୀ ନିକଟସ୍ଥ ଆମ୍ବ ବଗିଚାରେ ରହିଥିଲା ।
ଖବର ପାଇ ଛେଣ୍ଡିପଦା ରେଞ୍ଜର୍ ପ୍ରତାପ ରାଉଳ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ବନ ବିଭାଗ ପକ୍ଷରୁ ଉତ୍ତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରାଯାଇଥିଲା । ପ୍ରତ୍ୟେକ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ୪ ଲକ୍ଷ ଟଙ୍କା ଦିଆଯିବାର ସରକାରୀ ବ୍ୟବସ୍ଥା ରହିଥିବା ବେଳେ ଅନ୍ତେ୍ୟଷ୍ଟି ନିମନ୍ତେ ୪୦ ହଜାର ଏବଂ ଆବଶ୍ୟକ କାଗଜାତ୍ ପ୍ରସ୍ତୁତି ପରେ ୩.୬ ଲକ୍ଷ ପ୍ରଦାନ କରାଯିବ ବୋଲି ବନ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା । ପରେ ପୁଲିସ ପଞ୍ଚାନାମା କରି ଶବ ବ୍ୟବଚ୍ଛେଦ ପାଇଁ ଛେଣ୍ଡିପଦା ଡାକ୍ତରଖାନାକୁ ଅଣାଯାଇଥିଲା । ବନକର୍ମଚାରୀ ଗାଁ’ ପାଖରେ ରହି ହାତୀର ଗତିବିଧି ଉପରେ ନଜର ରଖିଥିବା ଜଣାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons