ଦୁଇ ନାବାଳକ ଭାଇଙ୍କୁ ଚେଙ୍କ ଘଟଣା :ପିଲା ଖେଳରୁ ଉତ୍ତେଜନା, ପଡେ଼ାଶୀ ଗିରଫ

Get real time updates directly on you device, subscribe now.

ପାରଳାଖେମୁଣ୍ଡି,(ବିବି.ନୁ୍ୟଜ୍): ପାରଳାଖେମୁଣ୍ଡି ସହରର ସଞ୍ଜୟ ଗାନ୍ଧି କଲୋନୀର ଦୁଇ ନାବାଳକ ଭାଇଙ୍କୁ ଚେଙ୍କ ଘଟଣାରେ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ବି.ଲୋକୁ ବୋଲି ଏସ୍ଡିପିଓ ଠାକୁର ପ୍ରସାଦ ପାତ୍ର କହିଛନ୍ତି । ଏହି ଘଟଣାରେ ଏତଲା ଦେବାରେ ବିଳମ୍ବ ପଛରେ କି ରହସ୍ୟ ରହିଛି ତାହାର ତଦନ୍ତ କରାଯାଉଥିବା ଏସଡିପିଓ କହିଛନ୍ତି ।
ପାରଳାଖେମୁଣ୍ଡି ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ କହିଛନ୍ତି ଯେ ଗତ ୯ତାରିଖ ପୂର୍ବାହ୍ନ ପ୍ରାୟ ୧୧ଟାରେ ନାବାଳକ ଦୁଇ ଭାଇଙ୍କ ସମେତ ସାହିର କିଛି ପିଲା ଦାଣ୍ଡରେ ଖେଳୁଥିଲେ । ଏହି ସମୟରେ ଦୁଇ ନାବାଳକ ଭାଇଙ୍କ ସହ ତାଙ୍କ ପଡୋଶୀ ବି.ଲୋକୁଙ୍କ ଝିଅ ସହ କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ଲୋକୁ ଏହି ଦୁଇ ନାବାଳକ ଭାଇଙ୍କୁ ଡାକି ନେଇ ଲୁହା ଗରମ କରି ସେମାନଙ୍କ ଗୁପ୍ତାଙ୍ଗରେ ଚେଙ୍କ ଦେଇଥିଲା । ଏଥିରେ ଦୁଇ ନାବାଳକ ଗୁରୁତର ହୋଇଥିଲେ । ସେମାନେ ଘରକୁ ଫେରି ଅଭିଭାବକଙ୍କୁ ଜଣାଇଥିଲେ । କୌଣସି କାରଣରୁ ସେମାନେ ଚୁପ ରହିଥିଲେ । ଶନବାର ସନ୍ଧ୍ୟାରେ ପାରଳାଖେମୁଣ୍ଡି ଥାନାରେ ନାବାଳକ ଦୁଇଭାଇଙ୍କ ବାପା ଲିଖିତ ଅଭିଯୋଗ କରିଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ନାବାଳକଙ୍କୁ ଉଦ୍ଧାର ଜିଲ୍ଲା ମୁଖ୍ୟ ଚିକିାଳୟକୁ ଚିକିତ୍ସା ପାଇଁ ପଠାଇଥିଲା । ଚେଙ୍କ ଦେଇଥିବା ପଡେ଼ାଶୀ ଲୋକୁକୁ ଥାନାକୁ ଆଣି ପଚରା ଉଚୁରା କରିଥିଲା । ଏହି ସମୟରେ ସେ ତାର ସମସ୍ତ ଭୂଲ ସ୍ୱୀକାର କରିଥିବା ବେଳେ ଆଜି ଅଭିଯୁକ୍ତ ବି.ଲୋକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ନାବାଳକଙ୍କ ଦ୍ୱୟଙ୍କ ବୟସ ୬ ଏବଂ ୭ବର୍ଷ ହୋଇଥିବାରୁ ସେମାନେ ଏହି ଘଟଣା ସମ୍ପର୍କରେ କିଛି ସ୍ପଷ୍ଟ କହିପାରୁନାହାନ୍ତି । ଏହି ଘଟଣାର ୩ ଦିନ ଯାଏଁ ନାବାଳକଙ୍କ ଅଭିଭାବକ ଚୁପ୍ ରହିବା ଏବଂ ଶନିବାର ସନ୍ଧ୍ୟାରେ ହଠାତ୍ ଅଭିଯୋଗ କରିବା ପଛର ରହସ୍ୟକୁ ଉନ୍ମୋଚନ କରିବାରେ ପୁଲିସ ସଫଳ ହୋଇନାହିଁ । ଏନେଇ ଅଧିକ ତଦନ୍ତ ଜାରି ରହିଥିବା ପାରଳାଖେମୁଣ୍ଡି ଏସ୍ଡିପିଓ ଠାକୁର ପ୍ରସାଦ ପାତ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସମ୍ବାଦିକ ସମ୍ମିଳନୀରେ ପାରଳାଖେମୁଣ୍ଡି ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ଏବଂ ଏସ୍ଆଇ ଶରତ ଚନ୍ଦ୍ର ରାୟ ପ୍ରମୁଖ ଉପସ୍ଥିତ ଥିଲେ ।
ଜୁଭେନାଇଲ ଜଷ୍ଟିସ ଆକ୍ଟ ଅନୁସାରେ, ନାବାଳକଙ୍କୁ ନିର୍ଯ୍ୟାତନା ଦେବା ଲୋକ ଯେତିକି ଦୋଷୀ ଏହାକୁ ଜାଣି ମଧ୍ୟ ଚୁପ୍ ରହିବା ମଧ୍ୟ ସେତିକି ଦୋଷୀ । ଏହି ଘଟଣାରେ ଦୁଇ ନାବାଳକଙ୍କ ଅଭିଭାବକ କିଭଳି ୩ଦିନ ଯାଏଁ ଚୁପ୍ ରହିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏହା ପଛରେ ଲୁଚି ରହିଥିବା ରହସ୍ୟ ଉପରେ ସମସ୍ତଙ୍କ ନଜର ରହିଛି । ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀଙ୍କ ସହ ଯୋଗାଯୋଗ କରାଯିବାରେ ନାବାଳକଙ୍କ ଜୀବନ ପ୍ରତି ବିପଦ ଥିବା ଜାଣ ମଧ୍ୟ ଅଭିଭାବକ ଥାନାରେ ଏତଲା ନଦେବା ଦୁର୍ଭାଗ୍ୟଜନକ । ତେବେ ଏହା ଉପରେ ନିଶ୍ଚିତ ଭାବେ ତଦନ୍ତ କରାଯାଇ ପ୍ରକୃତ କାରଣ ଜାଣିବାକୁ ପ୍ରୟାସ କରାଯିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons