ଦୁଇ ବ୍ରାଉନ୍ସୁଗର ବେପାରୀ ଗିରଫ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ରାଜଧାନୀରୁ ପୁଣି ଧଳା ଜହର (ବ୍ରାଉନ୍ସୁଗର) ଜବତ ହୋଇଛି । ଖଣ୍ଡଗିରି ଥାନା ପୁଲିସ ଓ କୁଇକ୍ ଆକ୍ସନ୍ ଟିମ୍ (କ୍ୟୁଏଟି) ଆଜି ଅପରାହ୍ଣରେ ଡୁମୁଡୁମାରେ ଚଢ଼ଉ କରି ଦୁଇ ବେପାରୀଙ୍କୁ ଗିରଫ କରିବା ସହ ୧୫ ଗ୍ରାମ ବ୍ରାଉନ୍ସୁଗର, ଟଙ୍କା, ମୋବାଇଲ୍ ଫୋନ୍ ଓ ୨ଟି ବାଇକ୍ ଜବତ କରିଛନ୍ତି । ଗିରଫ ଦୁଇ ବେପାରୀ ହେଲେ ଯଦୁପୁର ଅଞ୍ଚଳର ପତନୁ ଖାନ୍ ଓ ଖୋର୍ଦ୍ଧା ବନରାଜ୍ୟର ନଣ୍ଡା ଓରଫ ପ୍ରଭାତ କୁମାର ସାହୁ ।
ପୁଲିସ ସୂଚନା ଅନୁଯାୟୀ, ପତନୁ ଓ ନଣ୍ଡା ବ୍ରାଉନ୍ସୁଗର ବିକ୍ରି କରିବା ପାଇଁ ଆଜି ଅପରାହ୍ଣରେ ଡୁମୁଡୁମା ଆମ୍ବେଦକର କଲେଜ ନିକଟରେ ଗ୍ରାହକଙ୍କୁ ଅପେକ୍ଷା କରିଥିଲେ । ବିଶ୍ୱସ୍ତ ସୂତ୍ରରୁ ଖବରପାଇ କ୍ୟୁଏଟି ଓ ଖଣ୍ଡଗିରି ଥାନା ପୁଲିସ ମିଳିତ ଭାବେ ସେଠାରେ ଚଢ଼ଉ କରିଥିଲେ । ପତନୁ ଓ ନଣ୍ଡାଙ୍କୁ ଧରି ପୁଲିସ ସେମାନଙ୍କ ପକେଟ୍ ଯାଞ୍ଚ କରିଥିଲେ । ପତନୁଙ୍କ ପକେଟରୁ ୧୫ ଗ୍ରାମ ବ୍ରାଉନ୍ସୁଗର ଓ ନଣ୍ଡାଙ୍କ ପକେଟରୁ ୧୪ ହଜାର ଟଙ୍କା ମିଳିଥିଲା । ପୁଲିସ ବ୍ରାଉନ୍ସୁଗର, ଟଙ୍କା, ଦୁଇଟି ମୋବାଇଲ୍ ଓ ଦୁଇଟି ବାଇକ୍ ସେମାନଙ୍କ ଠାରୁ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିଲା । ଜେରାବେଳେ ସେମାନେ ଖୋର୍ଦ୍ଧାରୁ ବ୍ରାଉନ୍ସୁଗର ଆଣି ଡୁମୁଡୁମା ଓ ଖଣ୍ଡଗିରି ଅଞ୍ଚଳରେ କାରବାର କରନ୍ତି ବୋଲି ପୁଲିସକୁ ସୂଚନା ଦେଇଛନ୍ତି । ଆସନ୍ତାକାଲି ଦୁଇ ବେପାରୀଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons