ଦୁଇ ସଡ଼କ ଦୁର୍ଘଟଣାରେ ୪ ମୃତ, ୧ ଗୁରୁତର

Get real time updates directly on you device, subscribe now.

ଲେଫ୍ରିପଡ଼ା,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀପୋଷ ଓ ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଟାଙ୍ଗରପାଲିରେ ଦୁଇଟି ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ଲକ୍ଷ୍ମୀପୋଷ ଠାରେ ବସ୍ ଓ ଆକ୍ଟିଭା ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ସେହିପରି ଟାଙ୍ଗରପାଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଡମ୍ପର ଧକ୍କାରେ ଜଣେ ଯୁବକଙ୍କ ମୃତୁ୍ୟ ଘଟିଥିବା ଜଣାପଡ଼ିଛି ।
ଦଲକି ପଟୁ କୁତ୍ରାକୁ ପବନପୁତ୍ର ନାମକ ଏକ ଯାତ୍ରୀବାହୀ ବସ୍ (ଓଆର୧୪ଏଲ୍ ୧୨୭୯) ଲକ୍ଷ୍ମୀପୋଷ ଶଙ୍ଖ ବି୍ରଜ ଅତିକ୍ରମ କରି ଆସୁଥିଲା । ଅପରାହ୍ନ ୫ଟା ସମୟରେ ଲକ୍ଷ୍ମୀପୋଷ ବସ୍ଷ୍ଟାଣ୍ଡ ନିକଟସ୍ଥ ମୋଡ଼ାଣି ଠାରେ ସମ୍ମୁଖରୁ ଆସୁଥିବା ଆକ୍ଟିଭା (ଓଡ଼ି୧୪ଏଫ୍ ୪୫୬୫)କୁ ବସ୍ଟି ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଦଲକି ଗ୍ରାମର ହେମନ୍ତ ବୁଡା ଓ ସନ୍ଦିପ ପ୍ରଧାନଙ୍କ ଘଟଣା ସ୍ଥଳରେ ମୃତୁ୍ୟ ଘଟିଥିବା ବେଳେ କ୍ରିଷ୍ଣା ପ୍ରଧାନ ଏବଂ ଦେବେନ୍ଦ୍ର ରାଉତ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତଙ୍କ ବୟସ ୧୮ରୁ ୨୨ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡ଼ିଛି । ଆହତ ଦ୍ୱୟଙ୍କ ମଧ୍ୟରୁ କିଷ୍ଣାଙ୍କୁ ରାଜଗାଙ୍ଗପୁର ଓ ସନ୍ଦିପଙ୍କୁ ବୀରମିତ୍ରପୁର ଡାକ୍ତରଖାନାକୁ ଚିକିତ୍ସା ଲାଗି ପଠାଯାଇଛି । ରାଜଗାଙ୍ଗପୁର ଡାକ୍ତରଖାନାରେ ଡାକ୍ତର କ୍ରିଷ୍ଣାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ସେଠାରେ ଚାପା ଉତ୍ତେଜନା ଦେଖା ଦେଇଛି । ଘଟଣା ସ୍ଥଳରେ ଲାଞ୍ଜିବେର୍ଣ୍ଣା ଫାଣ୍ଡ ପୁଲିସ୍ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡ଼ିଛି ।
ଦ୍ୱିତୀୟ ଦୁର୍ଘଟଣାଟି ପୂର୍ବାହ୍ନ ସାଢେ଼ ୧୧ଟା ସମୟରେ ଲେଫ୍ରିପଡା ଥାନା ଅନ୍ତର୍ଗତ ଟାଙ୍ଗରପାଲି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଘଟିଛି । ଲେଫ୍ରିପଡ଼ା ଗ୍ରାମର ସାହାଜାଦା ଆଲାମ ଏକ ଟିଭିଏସ୍ ସ୍କୁଟର(ଓଡି୧୬ଇ ୧୩୫୩) ଯୋଗେ ସୁନ୍ଦରଗଡ଼ ଅଭିମୁଖେ ଆସୁଥିଲେ । ଏହି ସମୟରେ ଟାଙ୍ଗରପାଲି ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଥିବା ହମ୍ସ୍ ଠାରେ ଏକ ଛଅ ଚକିଆ ଡମ୍ପର (ଓଆର୧୬ସି ୮୬୨୫) ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସାହାଜାଦା ଗୁରୁତର ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ଲାଗି ସୁନ୍ଦରଗଡ଼ ସରକାରୀ ଡାକ୍ତରଖାନାକୁ ପଠାଇଥିଲେ । ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦ୍ୱୟକୁ ଜବତ କରିଛି । ମୃତ ସାହାଜାଦା ଲେଫ୍ରିପଡା ଠାରେ ଏକ ପୋଷାକ ଦୋକାନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons