ଦୁନିଆକୁ ଅଲ୍‌ବିଦା କହି ଚାଲିଗଲେ ଇରଫାନ ଖାନ, ଅନ୍ତିମ ସଂସ୍କାର କଲେ ଦୁଇ ପୁଅ

Get real time updates directly on you device, subscribe now.

ମୁମ୍ବାଇ : ପ୍ରସିଦ୍ଧ ବଲିଉଡ୍ ଅଭିନେତା ଇରଫାନ ଖାନ ଦୀଘ ଦିନ କ୍ୟାନ୍ସର ରୋଗରେ ପୀଡିତ ହେବା ପରେ ଦୁନିଆରୁ ବିଦାୟ ନେଇଛନ୍ତି। ଇରଫାନ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି ଥିଲେ। ତାଙ୍କ ବିୟୋଗରେ ସମଗ୍ର ଦେଶରେ ଶୋକର ଲହରି ଖେଳି ଯାଇଛି। ବଲିଉଡ୍, କ୍ରିକେଟ୍ ଏବଂ ରାଜନୈତିକ ଜଗତ ବଡ ବଡ ହସ୍ତୀ ଇରଫାନଙ୍କୁ ସାମାଜିକ ଗଣମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛନ୍ତି। ଇରଫାନଙ୍କ ନିଧନ ଲକ୍‌ଡାଉନ୍‌ ସମୟରେ ହୋଇଥିବାରୁ ତାଙ୍କର ଅନ୍ତିମ ସଂସ୍କାର ନେଇ ନିୟମ କଡାକଡି ପାଳନ କରାଯାଇଛି। ବୁଧବାର ସନ୍ଧ୍ୟା ୫ଟରେ ମୁମ୍ବାଇର ବର୍ସୋବା ସ୍ଥିତ କବରସ୍ତାନରେ ଇରଫାନଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଏହି ସମୟରେ ତାଙ୍କ ପରିବାର ଓ ଦୁଇ ପୁତ୍ର ଉପସ୍ଥିତ ଥିଲେ।
ଲକ୍‌ଡାଉନ୍‌ କାରଣରୁ ଇରଫାନଙ୍କ ଅନ୍ତିମ ଯାତ୍ରାରେ କେବଳ ୨୦ ଜଣଙ୍କୁ ଯିବାକୁ ଅନୁମତି ମିଳିଥିଲା। ଏଥିରେ ଇଣ୍ଡଷ୍ଟ୍ରୀର ବିଶାଳ ଭରଦ୍ଵାଜ, ତିଗମାଂଶୁ ଧୁଲିଆଙ୍କ ବ୍ୟତୀତ ରାଜପାଲ ଯାଦବ, କପିଲ ଶର୍ମା ଓ ମିକା ସିଂହ ପରି କିଛି ସେଲିବ୍ରିଟି ସାମିଲ ହୋଇଥିଲେ। ଇରଫାନଙ୍କ ପ୍ରଶଂସକ ସଂଖ୍ୟା ବହୁତ ଥିବାରୁ ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ତେଣୁ ବଲିଉଡ ଜଗତର ଅନେକ ଅନେକ କଳାକାର ତାଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇ ପାରିନଥିଲେ।
ଉଲ୍ଲେଖଯୋଗ୍ୟ, ଇରଫାନ ଗତ ଅନେକ ବର୍ଷ ଧରି କ୍ୟାନ୍ସର ରୋଗରେ ପୀଡିତ ଥିଲେ। ଇଂରାଜୀ ମିଡିୟମ ତାଙ୍କର ଶେଷ ଫିଲ୍ମ ଥିଲା। ସମସ୍ତ କଳାକାର ସାମାଜିକ ଗଣମାଧ୍ୟମରେ ଇରଫାନଙ୍କ ବିୟୋଗରେ ଶୋକ ପ୍ରକଟ୍ କରିଛନ୍ତି। ବୁଧବାର ସକାଳ ୧୧ଟାରେ ଇରଫାନ ୫୪ ବର୍ଷ ବୟସରେ କୋକିଲାବେନ ହସ୍ପିଟାଲରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି।
ବଲିଉଡ୍ ତାରକା ବ୍ୟତୀତ ରାଜନେତା ମଧ୍ୟ ଇରଫାନଙ୍କ ନିଧନରେ ଶୋକ ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଇରଫାନଙ୍କ ନିଧନରେ ଟୁଇଟ୍‌ କରି ଦୁଃଖ ପ୍ରକଟ୍ କରିଛନ୍ତି। ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ, ଇରଫାନଙ୍କ ନିଧନ ସିନେମା ଓ ଥିଏଟର ଜଗତ ପ୍ରତି ବହୁତ ବଡ କ୍ଷତି। ଭିନ୍ନ ଭିନ୍ନ ମାଧ୍ୟମରେ ତାଙ୍କର କାମ ପାଇଁ ସେ ଚିର ଦିନ ସ୍ମରଣୀୟ ହୋଇ ରହିବେ।
ଇରଫାନ ଅଭିନୟ ଜଗତରେ ପ୍ରାୟ ୩୨ ବର୍ଷ କାମ କରିଛନ୍ତି। ସେ ଅନେକ ଫିଲ୍ମରେ ସ୍ମରନୀୟ ଅଭିନୟ କରିଛନ୍ତି। ମୀରା ନାୟରଙ୍କ ନିର୍ଦ୍ଦେଶିତ ଫିଲ୍ମ ସଲାମ ବମ୍ବେରେ ସେ ବଲିଉଡରେ ପାଦ ଦେଲେ ସେହି ସମୟରେ ତାଙ୍କ ବୟସ ପ୍ରାୟ ୨୧ ବର୍ଷ ହୋଇଥିଲା।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons