ଦୁର୍ଘଟଣାରେ ଚାଲିଗଲା ୨ ଡ୍ରାଇଭରଙ୍କ ଜୀବନ

Get real time updates directly on you device, subscribe now.

ପଟ୍ଟାଙ୍ଗି,(ବି.ବି.ନୁ୍ୟଜ): ଘନ କୁହୁଡି ହେଲା କାଳ । ଦୁର୍ଘଟଣାରେ ଚାଲିଗଲା ଦୁଇ ଟ୍ରକ୍ ଡ୍ରାଇଭରଙ୍କ ପ୍ରାଣ । ଏଭଳି ମର୍ମନ୍ତୁଦ ଘଟଣା ଘଟିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ସିପାଇପୁଟ ଗାଁ ନିକଟ ୨୬ନମ୍ବର ଜାତୀୟ ରାଜପଥରେ । ମୃତକମାନେ ହେଲେ ପଟ୍ଟାଙ୍ଗି ଥାନା ଚନ୍ଦକା ପଞ୍ଚାୟତ ବାରଜ ଗାଁର ରାଜେଶ ପଡାଲ(୩୨) ଏବଂ ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ବେତବେଡା ଗାଁର କିଷାନ ସାହା । ପଟ୍ଟାଙ୍ଗି ପୁଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲେ । ଷ୍ଟିଅରିଂରେ ଚାପି ହୋଇ ଜଣେ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତୁ୍ୟ ହୋଇଥିବା ବେଳେ ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲ୍ ନେବା ବାଟରେ ଡୁମୁରିପୁଟଠାରେ ମୃତୁ୍ୟ ହୋଇଥିଲା । ଘଟଣାର ତଦନ୍ତ ଚାଲିଥିବା ଆଇଆଇସି ବିଜୟରାଜ ମାଝୀ କହିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ଆଜି ସକାଳେ ପଟ୍ଟାଙ୍ଗି ବ୍ଲକ ଅମ୍ଫାବାଲି କାରଖାନାରୁ ସିମେଣ୍ଟ ବୋଝେଇ କରି ଟ୍ରକ(ଓଡି୧୦ଜି ୭୬୨୯) ଜୟପୁର ଅଭିମୁଖେ ଆସୁଥିଲା । ଏହି ସମୟରେ ବିପରୀତ ଦିଗରୁ ବିଶାଖାପାଟଣା ଯାଉଥିଲା ଅନ୍ୟ ଏକ ଟ୍ରକ(ସିଜି ୦୪ ଏଚୱାଇ ୭୨୧୧) । ସିପାଇପୁଟଠାରେ କୁହୁଡ଼ି ଯୋଗୁ ଉଭୟ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଦୁଇଟି ଯାକ ଟ୍ରକ୍ର ଆଗପଟ ଭାଙ୍ଗି ଚୁରମାର୍ ହୋଇଯାଇଥିଲା । ସିମେଣ୍ଟ ବୋଝେଇ ଟ୍ରକ୍ ଡ୍ରାଇଭର ଷ୍ଟିଅରିଂରେ ଚାପିହୋଇ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ପୁଲିସ ଏବଂ ଅଗ୍ନିଶମ କର୍ମଚାରୀ ବହୁକଷ୍ଟରେ କଟର୍ ସାହାଯ୍ୟରେ ଲୁହା କାଟି ଡ୍ରାଇଭରଙ୍କ ମୃତଦେହକୁ ଉଦ୍ଧାର କରିଥିଲେ । ପଟ୍ଟାଙ୍ଗି ଅଞ୍ଚଳର ଡ୍ରାଇଭର ରାଜେଶଙ୍କ ଦୁଇଟି ଛୋଟ ପୁଅ ଓ ଝିଅ ଥିବା ବେଳେ ତାଙ୍କ ମୃତୁ୍ୟରେ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି । ଗାଁରେ ଶୋକର ଛାୟା ଖେଳିଯାଇଛି । ଚନ୍ଦକା ସରପଞ୍ଚ ପ୍ରଦୀପ ଫୁଲ, ଜିଲ୍ଲା ପରିଷଦ ସଦସ୍ୟ ଲଇଛନ୍ ଖରା ହରିଶ୍ଚନ୍ଦ୍ର ଯୋଜନାରେ ୨ହଜାର ଟଙ୍କା ଏବଂ ତହସିଲଦାର ହରିପଦ ମଣ୍ଡଳ ଜିଲ୍ଲା ରେଡକ୍ରସ ପକ୍ଷରୁ ତାଙ୍କ ପରିବାରକୁ ୧୦ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଉଭୟ ଟ୍ରକ୍କୁ ଜବତ କରିଛି ପୁଲିସ୍ । ଏ ସଂପର୍କରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons