ଦୁର୍ଦ୍ଦାନ୍ତ ଡକାୟତ ‘ଆଶୁ’ ସମେତ ୭ ଗିରଫ

Get real time updates directly on you device, subscribe now.

ଭୁବନେଶ୍ୱର/ଚନ୍ଦକା,(ବି.ବି.ବ୍ୟୁରୋ): ଡକାୟତି ପାଇଁ ଯୋଜନା କରୁଥିବା ବେଳେ ବାରଙ୍ଗ ଥାନା ପୁଲିସ ଚଢ଼ଉ କରି ଦୁର୍ଦ୍ଦାନ୍ତ ଡକାୟତ ଆଶୁ ଓରଫ ଭାଗିରଥି ଓରଫ ଅଶୋକ ସ୍ୱାଇଁ(୨୯) ସମେତ ୭ ଜଣଙ୍କୁ ଗିରଫ କରିଛି । ଆଶୁର ଘର କଟକ ଜିଲ୍ଲା ନିଆଳି ଥାନା ଅନ୍ତର୍ଗତ କୁଳକୋରକୋରା । ତା’ ସହଯୋଗୀ ବାରଙ୍ଗ ମଧୁପୁରର ମୁନା ଓରଫ ସନ୍ଦିପ ପାଲ(୨୧), ନିଆଳି ଥାନା ଦିଆନସିଂହପାଟଣାର ଭିକି ଓରଫ ଅଜିତ ସିଂହ(୨୧), ନିଆଳି ସହରାଜପୁରର ସମ୍ବିତ କୁମାର ଦାସ(୨୩), ପୁରୀ କାକଟପୁର ଥାନା ଅନ୍ତର୍ଗତ ପଥରପକାର ଲିକୁ ନାୟକ(୨୬), ଜଗତସିଂହପୁର ନୂଆଗାଁ ଥାନା ଅନ୍ତର୍ଗତ ଡ଼େରିକିର ମୁକେଶ ସ୍ୱାଇଁ(୨୫) ଓ ବାରଙ୍ଗ ମଧୁପୁରର ସୁନୀଲ ମଲ୍ଲିକ(୨୩) । ଗିରଫ ଡକାୟତଙ୍କ ଠାରୁ ଦୁଇଟି ବୋମା, ବିଭିନ୍ନ ମାରଣାସ୍ତ୍ର, ମୋବାଇଲ୍, ୩ଟି ବାଇକ୍ ଓ ଦୁଇ ପ୍ୟାକେଟ୍ ଲଙ୍କାଗୁଣ୍ଡ ଜବତ ହୋଇଛି ।
ପୁଲିସ ସୂଚନା ଅନୁଯାୟୀ, ଗତକାଲି ରାତି ୧୧ଟାବେଳେ ବାରଙ୍ଗ ଥାନା ଏଏସ୍ଆଇ ଅଦୈତ୍ୟ ଚରଣ ସାହୁ ଥାନା ଷ୍ଟାଫ୍ଙ୍କ ସହ ରାତ୍ରିକାଳୀନ ପାଟ୍ରୋଲିଂରେ ବୁଲୁଥିଲେ । ବିଶ୍ୱସ୍ତ ସୂତ୍ରରୁ ସେ ଖବର ପାଇଥିଲେ କି, ମଧୁପୁର ଗାଁ ମୁଣ୍ଡରେ ଥିବା ଶ୍ମଶାନ ନିକଟରେ କିଛି ଅପରାଧୀ ବସି ଡକାୟତି ପାଇଁ ଯୋଜନା କରୁଛନ୍ତି । ଏଏସ୍ଆଇ ଶ୍ରୀ ସାହୁ ସଙ୍ଗେ ସଙ୍ଗେ ଏନେଇ ଥାନା ଅଧିକାରୀଙ୍କୁ ଅବଗତ କରିବା ସହ ଟିମ୍ ନେଇ ସେଠାରେ ଚଢ଼ଉ କରିଥିଲେ । ଖବରପାଇ ଥାନା ଅଧିକାରୀ ଅନ୍ୟ କର୍ମଚାରୀଙ୍କୁ ଧରି ମଧ୍ୟ ସେଠାରେ ପହଞ୍ଚି ଯାଇଥିଲେ । ୭ ଡକାୟତଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୨ଟି ବୋମା, ଗୋଟିଏ କଟୁରି, ୫ଟି ଲୁହା ରଡ୍, ୬ଟି ମୋବାଇଲ ଫୋନ୍, ଗୋଟିଏ ଟର୍ଚ୍ଚ, ୩ଟି ବାଇକ୍ ଓ ଦୁଇ ପ୍ୟାକେଟ୍ ଲଙ୍କା ଗୁଣ୍ଡ ଜବତ କରିଥିଲେ । ଗିରଫ ୭ ଜଣଙ୍କୁ ଥାନାକୁ ଆଣି ଜେରା କରିବାବେଳେ ସେମାନେ ଦେଉଳିରେ ରହୁଥିବା ବାର୍ ମାଲିକ ମଣ୍ଟୁ ଓରଫ ହରିହର ସ୍ୱାଇଁଙ୍କ ଘରେ ଡକାୟତି ପାଇଁ ପ୍ରସ୍ତୁତ ହେଉଥିବା ସୂଚନା ଦେଇଥିଲେ । ପୁଲିସ ଏକ ଡକାୟତି ଉଦ୍ୟମ ମାମଲା ରୁଜୁକରି ୭ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons